Odisha news

କଂଗ୍ରେସ ଭବନରେ ନିଆଁ ଲଗାଇବା ମାମଲା ଦୁଇ ଗିରଫ: କାଠଫାଳିଆ ଜବତ

0

ଭୁବନେଶ୍ୱର,(ନି.ପ୍ର): ଗତ ୮ ତାରିଖରେ କଂଗ୍ରେସ ଭବନରେ ପଶି ନିଆଁ ଲଗାଇଦେବା ଘଟଣାର ତଦନ୍ତ କରି କ୍ୟାପିଟାଲ ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମଞ୍ଚେଶ୍ୱର ରସୁଲଗଡରେ ରହୁଥିବା କଟକ ଗୋବିନ୍ଦପୁରର ଇତିଶ୍ କୁମାର ପ୍ରଧାନ(୩୨) ଓ କେନ୍ଦ୍ରାପଡା ଭଗବାନପୁରର ପ୍ରସନ୍ନଜିତ୍ ମଲ୍ଲ(୩୫) । ଏହାସହ ଏମାନଙ୍କଠାରୁ ପୋଲିସ ମାରଣାସ୍ତ୍ର ଜବତ କରିଛି ।
ସୂଚନାନୁସାରେ, ଗତ ତା ୦୮/୦୯.୦୧.୨୦୨୨ ରିଖ ମଧ୍ୟରାତ୍ରରେ କେହି ଦୁର୍ବୃତ୍ତ କଂଗ୍ରେସ ଭବନ କାର୍ଯ୍ୟାଳୟ ପରିସରରେ ନିଅାଁ ଲଗାଇ ଦେଇଥିବା ଘଟଣା ଗଣମାଧ୍ୟମଠାରୁ ସୂଚନା ପାଇ ଅଭିଯୋଗକାରୀ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ ସେଠାରେ ପହଞ୍ଚିବା ପରେ ସେ ଦେଖିଥିଲେ ଯେ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସହ ତାଙ୍କ ଦଳର ଉପସ୍ଥିତ କର୍ମକର୍ତ୍ତାମାନେ ଭୟଭୀତ ହୋଇ ଉଦ୍ଧାର ପାଇଁ ଚିକ୍ରାର କରୁଛନ୍ତି । ସେମାନଙ୍କଠାରୁ ସେ ଜାଣିବାକୁ ପାଇଥିଲେ ଯେ ଇତିଶ୍ ଓ ପ୍ରସନ୍ନଜିତ୍ ତାଙ୍କ ସହଯୋଗୀମାନଙ୍କ ସହିତ କଂଗ୍ରେସ ଭବନ ଭିତରେ ଧସେଇ ପଶି ଏନ୍ଏସ୍ୟୁଆଇ କାର୍ଯ୍ୟାଳୟ ସମେତ ସଭାପତିଙ୍କ ଅଫିସ ଜାଳିଦେବାକୁ ନିଦେ୍ର୍ଦଶ ଦେଇଥିଲେ ଓ ନିଅାଁ ଲଗାଇ ସମସ୍ତ ଅଫିସ୍ ସାମଗ୍ରୀ ପୋଡି ପାଉଁଶ କରିଦେଇଥିବା ସହ ଏସି ଏବଂ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ନଷ୍ଟ କରିଦେଇଥିଲେ । ଅଭିଯୁକ୍ତମାନେ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହ ଖଣ୍ଡା ଏବଂ ବନ୍ଧୁକ ଦେଖାଇ ଜୀବନରୁ ହତ୍ୟା କରିବାକୁ ଧମକ ଦେଇ ସେ ଜାଗା ଛାଡି ଚାଲିଯାଇଥିଲେ । ତେଣୁ ଅଭିଯୋଗକାରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । କ୍ୟାପିଟାଲ ଥାନା ପୋଲିସ ଉପରୋକ୍ତ ମାମଲାର ତଦନ୍ତ କରି ଜଳିଯାଇଥିବା ପାଉଁଶ, ନଷ୍ଟ ହୋଇଥିବା ଅଫିସ୍ ସାମଗ୍ରୀ ସହିତ ଅଳ୍ପ ପରିମାଣର ପେଟ୍ରୋଲ ଥିବା ଗୋଟିଏ ପ୍ଲାଷ୍ଟିକ ବୋତଲ ଜବତ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖାବର ପାଇ କ୍ୟାପିଟାଲ ପୋଲିସ ରବିବାର ରାତିରେ ଅଭିଯୁକ୍ତ ଦ୍ୱୟଙ୍କୁ ରମାଦେବୀ କଲେଜ ନିକଟରୁ ଉଠାଇଥିଲା । ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ତଦନ୍ତରୁ ଜଣାପଡିଛି ଯେ, କିଛି ଦିନ ପୂର୍ବରୁ କଂଗ୍ରେସ ପାର୍ଟିରୁ ଇତିଶଙ୍କ ସହ କେତେକ ବ୍ୟକ୍ତିଙ୍କୁ ନିଲମ୍ୱନ କରାଯିବା ପରେ କଂଗ୍ରେସର ଏନ୍ଏସ୍ୟୁଆଇ ଦଳର କର୍ମୀଙ୍କ ମଧ୍ୟରେ ମତଭେଦ ଓ ଅସନ୍ତୋଷ ଦେଖାଦେଇଥିଲା । ଇତିଶ୍ ମଧ୍ୟ ଦଳରୁ ପୂର୍ବରୁ ନିଲମ୍ୱିତ ହୋଇଥିଲେ । ତେଣୁ ସମସ୍ତେ ପ୍ରତିଶୋଧ ନେବାକୁ ଯୋଜନା ଏବଂ ପ୍ରସ୍ତୁତି ସହ କଂଗ୍ରେସ ଭବନରେ ପ୍ରବେଶ କରି ଅଫିସ୍ ଆନୁଷଙ୍ଗିକ ସାମଗ୍ରୀ ଭଙ୍ଗାରୁଜା କରି ପେଟ୍ରୋଲ ଛିଞ୍ଚି କଂଗ୍ରେସ ଭବନ ଭିତରେ ସମ୍ପୂର୍ଣ୍ଣ ଅଗ୍ନିକାଣ୍ଡ ଘଟାଇବା ସହ କଂଗ୍ରେସ ଭବନ ଭିତରେ ଥିବା ଅନ୍ତେବାସୀଙ୍କୁ ଭୟଙ୍କର ପରିଣାମ ପାଇଁ ଧମକ ମଧ୍ୟ ଦେଇଥିଲେ । ଗତ ରବିବାର ସନ୍ଧ୍ୟାରେ ପୁଣି ସେମାନେ ସଂଘବଦ୍ଧ ହୋଇ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବାର ସୂଚନା ପାଇ କ୍ୟାପିଟାଲ ପୋଲିସ ଶହୀଦନଗର ଅଞ୍ଚଳରେ ଥିବା ଖଟିରେ ଚଢଉ କରିବା ସମୟରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ ଓ ଆକ୍ରମଣ ପାଇଁ ପ୍ରସ୍ତୁତ କରି ରଖିଥିବା କାଠ ଫାଳିଆ ସବୁ ଛାଡି ପଳାଇଥିଲେ । ପୋଲିସ ସେସବୁ ଜବତ କରିବା ସହ ଏହି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଏହି ମାମଲାର ତଦନ୍ତ ଚାଲୁ ରହିଛି ।

Ad2
Leave A Reply