Odisha news

‘ଫୋର୍ବସ୍‌’ର ସବୁଠୁ ଅଧିକ କ୍ଷମତାଶାଳିନୀ ୧୦୦ ମହିଳାଙ୍କ ତାଲିକାରେ ୩ୟ ଥର ପାଇଁ ନିର୍ମଳା ସୀତାରମଣ

0

ନୂଆଦିଲ୍ଲୀ: ‘ଫୋର୍ବସ୍‌’ର ସବୁଠୁ ଅଧିକ କ୍ଷମତାଶାଳିନୀ ବିଶ୍ବର ୧୦୦ ମହିଳାଙ୍କ ତାଲିକାରେ କ୍ରମାଗତ ୩ୟ ଥର ପାଇଁ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ତାଲିକାରେ ତାଙ୍କ ସ୍ଥାନ ୩୭ ଥିବା ବେଳେ ଗତବର୍ଷ ଥିଲା ୪୧ରେ। ଆମେରିକାର ଅର୍ଥମନ୍ତ୍ରୀ ଜାନେଟ୍‌ ୟେଲେନ୍‌ଙ୍କ ଠାରୁ ମଧ୍ୟ ସେ ଦୁଇଟି ସ୍ଥାନ ଆଗରେ ଅଛନ୍ତି।

ସୀତାରମଣଙ୍କ ବ୍ୟତୀତ ଏଥର ତାଲିକାରେ ଥିବା ଅନ୍ୟ ଭାରତୀୟମାନେ ହେଲେ, ‘ଏଚ୍‌ସିଏଲ୍‌ କର୍ପୋରେସନ୍‌’ର ‘ସିଇଓ’ ରୋଶଣୀ ନାଦାର ମାଲହୋତ୍ରା (୫୨ତମ ସ୍ଥାନରେ), ‘ବାୟୋକୋନ୍‌’ର ଏକ୍ଜିକ୍ୟୁଟିଭ୍‌ ଚେୟାର୍‌ପର୍ସନ୍‌ କିରଣ ମଜୁମ୍‌ଦାର୍‌-ଶ’ (୭୨ତମ ସ୍ଥାନରେ)। ପ୍ରଥମ ଥର ପାଇଁ ଏଥର ଉକ୍ତ ତାଲିକାଭୁକ୍ତ ହୋଇଛନ୍ତି ‘ନିକ୍କା’ର ସଂସ୍ଥାପକ ଫାଲ୍ଗୁନୀ ନାୟର୍‌। ତାଙ୍କର ସ୍ଥାନ ୮୮ ନମ୍ବରରେ।

୨୦୨୦  ଉକ୍ତ ତାଲିକାରେ ୪୧ ନମ୍ବରରେ ଥିବା ସୀତାରମଣ ୨୦୧୯ରେ ଥିଲେ ୩୪ ନମ୍ବରରେ। ପ୍ରତିବର୍ଷ ଆମେରିକାର ବ୍ୟାବସାୟିକ ପତ୍ରିକା ‘ଫୋର୍ବସ୍‌’ ବିଶ୍ବର ୧୦୦ଜଣ ସବୁଠୁ ଅଧିକ କ୍ଷମତାଶାଳିନୀ ମହିଳାଙ୍କ ତାଲିକା ପ୍ରକାଶ କରେ। ଚଳିତ ବର୍ଷ ଏହି ୧୮ଶ ବାର୍ଷିକ ଶକ୍ତିଶାଳିନୀ ମହିଳା ତାଲିକାରେ ୪୦ଜଣ ‘ସିଇଓ’ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ୨୦୧୫ ଠାରୁ ଏହି ତାଲିକାରେ ଏଥର ମହିଳା ‘ସିଇଓ’ଙ୍କ ସଂଖ୍ୟା ସର୍ବାଧିକ ଏବଂ ସେମାନେ ୩.୩ ଟ୍ରିଲିୟନ୍‌ ଡଲାର୍‌ ଆୟର ତଦାରଖ କରୁଛନ୍ତି। ଏହି ତାଲିକାରେ ଜଣେ ‘ଇମ୍ୟୁନୋଲୋଜିଷ୍ଟ୍‌’ଙ୍କ (ରୋଗ ପ୍ରତିରୋଧକ ବିଶେଷଜ୍ଞ) ସମେତ ୧୯ଜଣ ବିଶ୍ବ ନେତାଙ୍କୁ ସାମିଲ କରାଯାଇଛି।

ଚଳିତ ବର୍ଷର ତାଲିକାରେ ଅନ୍ୟ ଗୋଟାଏ ଉଲ୍ଲେଖନୀୟ ବିଷୟ ହେଲା, ପ୍ରାୟ ଏକ ଦଶନ୍ଧି ଊର୍ଦ୍ଧ୍ବ ସମୟ ପରେ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଅନ୍ୟ ଜଣେ ନୂତନ ବ୍ୟକ୍ତି। ବିଦାୟୀ ଜର୍ମାନ୍‌ ଚାନ୍ସେଲର୍‌ ଆଞ୍ଜେଲା ମର୍କେଲ୍‌ ସ୍ଥାନରେ ଏଥର ତାଲିକାର ଶୀର୍ଷରେ ଅଛନ୍ତି ଜନହିତୈଷୀ ମ୍ୟାକେଞ୍ଜି ସ୍କଟ୍‌।

ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌। ଗତବର୍ଷ ସେ ୩ୟ ସ୍ଥାନରେ ଥିଲେ।

ଏଥର ୩ୟ ସ୍ଥାନରେ ଅଛନ୍ତି ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ୍‌ର ଅଧ୍ୟକ୍ଷ କ୍ରିଷ୍ଟାଇନ୍‌ ଲାଗାର୍ଡେ।

ତାଲିକାର ୧୦୦ତମ ସ୍ଥାନରେ ଅଛନ୍ତି ‘ଫେସ୍‌ବୁକ୍‌’ର ‘ହୁଇସିଲ୍‌ ବ୍ଲୋଅର୍‌’  ଫ୍ରାନ୍‌ସିସ୍‌ ହଗେନ୍‌ ଏବଂ ୪୩ତମ ସ୍ଥାନରେ ଅଛନ୍ତ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା।

Leave A Reply