Odisha news

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ସରକାରର ମୁଖ୍ୟ ଭାବେ ସମ୍ମୁଖକୁ ଆସି ନେତୃତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ: ଅପରାଜିତା ଷଡଙ୍ଗୀ

 ରାଜ୍ୟର ବର୍ଦ୍ଧିତ ମହିଳା ନିର୍ଯ୍ୟାତନା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ରାଜ୍ୟର ଗୃହ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ସିଧାସଳଖ ଦାୟୀ
 ରାଜ୍ୟରେ ଗୋଟିଏ ଛାୟା ସରକାର ଶାସନ କ୍ଷମତାରେ ଅଛି
ଭୁବନେଶ୍ୱର, ତା.୨୯/୧୦: ରାଜ୍ୟରେ ପାଖାପାଖି ଅଢେଇ କୋଟି ମହିଳାଙ୍କୁ ସଶକ୍ତିକରଣ ପାଇଁ ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ନିହାତି ଆବଶ୍ୟକ । ଏନସିଆରବି ରିପୋର୍ଟ-୨୦୨୦ ଅନୁସାରେ ମହିଳା ଅତ୍ୟାଚାର, ହିଂସା ଓ ନିର୍ଯ୍ୟାତନା କ୍ଷେତ୍ରରେ ଓଡିଶା ରାଜ୍ୟ ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନରେ ରହିଛି । ଅନ୍ୟ ପଟେ ଦଣ୍ଡବିଧାନ ହାରରେ ଓଡିଶା ରାଜ୍ୟର ସ୍ଥାନ ଅତ୍ୟନ୍ତ ନଗଣ୍ୟ ଏବଂ ଏହା ମାତ୍ର ୯.୨୦ ପ୍ରତିଶତ । ପଡୋଶୀ ଛତିଶଗଡ, ତେଲେଙ୍ଗାନା, ଝାଡଖଣ୍ଡ ଓ ବିହାର ରାଜ୍ୟରେ ଦଣ୍ଡବିଧାନ ହାର ଓଡିଶା ତୁଳନାରେ ଅଧିକ । ଅପରାଧ କରି ଅପରାଧୀମାନେ ନିର୍ଭୟରେ ବାହାରେ ବୁଲୁଛନ୍ତି । ପରୀ, ସ୍ମିତାରାଣୀ, ବେବିନା, ପିହୁ, ମାଧବୀଲତା ହତ୍ୟାକାଣ୍ଡ ପରେ ବର୍ତମାନ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ସମସ୍ତଙ୍କ ମନକୁ ଆନେ୍ଦାଳିତ କରିଛି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ୨୧ ଦିନ ବିତିଗଲାଣି । ଏଭଳି ବିଭତ୍ସ ହତ୍ୟାକାଣ୍ଡରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତିର ଅଭିଯୋଗ ପରେ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ଧାରଣାର ନିଆଁ ବ୍ୟାପିଲାଣି । ସମଗ୍ର ରାଜ୍ୟରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇଛି । ବିଜେପି ମହିଳା ଏବଂ ଯୁବ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନୀ କରାଯାଇଛି । ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ରାଜ୍ୟର ବର୍ଦ୍ଧିତ ମହିଳା ନିର୍ଯ୍ୟାତନା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ରାଜ୍ୟର ଗୃହ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ସିଧାସଳଖ ଦାୟୀ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭୂବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।
ରାଜ୍ୟରେ ଗୋଟିଏ ଛାୟା ସରକାର ଶାସନ କ୍ଷମତାରେ ଅଛି । ଏହି କାରଣରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାର ନୀରବ ସାଜିଛନ୍ତି । ସରକାରର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ସମ୍ମୁଖକୁ ଆସି ନେତୃତ୍ୱ ନେବା ପାଇଁ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବର୍ତମାନ ସୁଦ୍ଧା କାହିଁକି ମୁହଁ ଖୋଲି ନାହାନ୍ତି ? ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ନା ନାହିଁ ? ମମିତା ହତ୍ୟାକାଣ୍ଡରେ ତାଙ୍କ ସହଯୋଗୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ଥିବା ସାଧାରଣ ଜନତାଙ୍କ ଆକ୍ରୋଶକୁ ହ୍ରାସ କରିବା ପାଇଁ ଚାହୁଁ ନାହାନ୍ତି କି ମୁଖ୍ୟମନ୍ତ୍ରୀ ? ରାଜ୍ୟରେ ଆଇନକୁ ତା ନିଜ ବାଟରେ ଚାଲିବାକୁ ସତରେ ଚାଲିବାକୁ ଦିଆଯାଉଛି ତ ? ଏଭଳି ସ୍ପର୍ଷକତା ଘଟଣାରେ ସମ୍ବେଦନଶୀଳ ହୋଇ ଉତରଦାୟୀ ଭାବେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦେବା ସହିତ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାର ଘୋଷଣା କରିବାକୁ ଶ୍ରୀମତୀ ଷଡଙ୍ଗୀ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ କସ୍ତୁରୀ ମିଶ୍ର, ପ୍ରତିଭା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Comments are closed.