Odisha news

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ସରଜମିନ୍ ଅନୁଧ୍ୟାନ କଲେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

 ପ୍ରତିନିଧି ଦଳ ଦୀର୍ଘ ଏକ ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି ମମିତାଙ୍କ ପରିବାରର ସଦସ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କଲେ
 ମହାଲିଙ୍ଗ ଯାଇ ଘଟଣାସ୍ଥଳ ବୁଲି ଦେଖିବା ସହ ସ୍ଥାନୀୟବାସିନ୍ଦାଙ୍କ ସହ ଆଲୋଚନା କରିଲେ
 ଏହି ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତିର ଅଭିଯୋଗ ଆସୁଥିବାରୁ ଏବଂ ତଦନ୍ତ ପ୍ରକ୍ରିୟାକୁ ଚାପମୁକ୍ତ କରିବା ପାଇଁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଶ୍ରୀ ମିଶ୍ର ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରନ୍ତୁ
 ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ବହିଷ୍କାର, ଗିରଫ ଏବଂ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ
 ଆସନ୍ତା କାଲି ଭୂବନେଶ୍ୱର ପହଂଚି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗସ୍ତ ସଂପର୍କରେ ସୁଚନା ପ୍ରଦାନ କରିବେ
ଭୁବନେଶ୍ୱର, ତା.୨୯/୧୦: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟସାରା ନିଆଁ ଜଳୁଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିଦେ୍ର୍ଦଶକ୍ରମେ ଘଟଣା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଅନୁସନ୍ଧାନ ପାଇଁ ବିଜେପିର ଏକ ୩ ଜଣିଆ ପ୍ରତିନିଧିଦଳ ଆଜି ନୂଆଦିଲ୍ଲୀରୁ ସିଧାସଳଖ ରାୟପୁର ଦେଇ ବଲାଙ୍ଗୀର ଜିଲ୍ଲା ଝରନୀ ଗ୍ରାମରେ ପହଂଚିଥିଲେ । ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ବନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ ଏବଂ ବିଧାୟିକା ରୁପା ମିତ୍ର ଚୈାଧୁରୀ ସାମିଲ ଅଛନ୍ତି । ଏହି ପ୍ରତିନିଧି ଦଳ ଦୀର୍ଘ ଏକ ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି ମମିତାଙ୍କ ପରିବାରର ସଦସ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଏହା ପରେ ପ୍ରତିନିଧି ଦଳ ସିଧାସଳଖ ମହାଲିଙ୍ଗ ଯାଇ ଘଟଣାସ୍ଥଳ ବୁଲି ଦେଖିବା ସହ ସ୍ଥାନୀୟବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ସଂପ୍ରତି ରାଜ୍ୟରେ ମହିଳା ହିଂସା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଥିବାବେଳେ ମମିତା ହତ୍ୟାକାଣ୍ଡ ଭଳି ସ୍ପର୍ଶକତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅତ୍ୟନ୍ତ ନିନ୍ଦନୀୟ । ମମିତା ହତ୍ୟାକାଣ୍ଡକୁ ଦୃଢ ନିନ୍ଦା କରି ଏଭଳି ବିଭତ୍ସ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବୀ କରିଛନ୍ତି । ଏଥି ସହ ଏହି ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତିର ଅଭିଯୋଗ ଆସୁଥିବାରୁ ଏବଂ ତଦନ୍ତ ପ୍ରକ୍ରିୟାକୁ ଚାପମୁକ୍ତ କରିବା ପାଇଁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଶ୍ରୀ ମିଶ୍ର ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀନିବାସନ ଦାବୀ କରିଛନ୍ତି । ଏହି ଘଟଣାରେ ବହୁ ପ୍ରଭାବଶାଳୀ ରାଜନେତା ଜଡିତ ଥିବା ଅଭିଯୋଗ କାରଣରୁ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବା ପାଇଁ ଏହି ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରିବାକୁ ପ୍ରତିନିଧି ଦଳର ସଦସ୍ୟ ତଥା ସାଂସଦ ଶ୍ରୀମତୀ ସୁନୀତା ଦୁଗଲ କହିଛନ୍ତି । ଘଟଣା ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ରିପୋର୍ଟ ଅବଗତ କରାଯିବ ବୋଲି ଅନ୍ୟତମ ସଦସ୍ୟା ତଥା ବିଧାୟିକା ଶ୍ରୀମତୀ ରୁପା ମିତ୍ର ଚୈାଧୁରୀ ସୁଚନା ଦେଇଛନ୍ତି ।
ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ଆସନ୍ତା କାଲି ଭୂବନେଶ୍ୱର ପହଂଚି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗସ୍ତ ସଂପର୍କରେ ସୁଚନା ପ୍ରଦାନ କରିବେ । ଏହି ଅବସରରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା କେ.ଭି.ସିଂହଦେଓ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସୋସିଆଲ ମିଡିଆ ପ୍ରଭାରୀ ସୁଜାତା ପାଢୀ, ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.