Odisha news

ଇଶା ଅମ୍ବାନିଙ୍କୁ “ସ୍ମିଥ୍ସୋନିୟନ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟ’ର ବୋର୍ଡରେ ନିଯୁକ୍ତି

ଭୁବନେଶ୍ୱର: ଆମେରିକାର ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟର ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର (ଯୁବ) ସଦସ୍ୟା । ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି । ଇଶାଙ୍କ ବ୍ୟତୀତ ଏହି ବୋର୍ଡରେ କ୍ୟାରୋଲିନ୍ ବ୍ରେହମ୍ ଓ ଫିଟର କିମେଲ୍ମ୍ୟାନ୍ଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି ।
ଏହି ୧୭ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡରେ ଆମେରିକାର ଉପରାଷ୍ଟ୍ରପତି, ଆମେରିକାର ପ୍ରଧାନ ବିଚାରପତି, ଆମେରିକା ସିନେଟର ତିନି ଜଣ ସଦସ୍ୟ ଓ ଆମେରିକା ହାଉସ୍ ଅଫ ରିପ୍ରେଜେଟେଂଟିଭ୍ର ତିନି ଜଣ ସଦସ୍ୟ ସାମିଲ ରହିଛନ୍ତି । ଏଥିରୁ ଏହି ବୋର୍ଡ କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଅନୁମାନ ଲଗାଯାଇପାରିବ ।
ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟ ପକ୍ଷରୁ ଇଶା ଅମ୍ବାନିଙ୍କ ବିଷୟରେ କୁହାଯାଇଛି ଯେ ଭାରତରେ ଯେଉଁ ଡିଜିଟାଲ୍ ବିପ୍ଳବ ଆସିଛି ସେ ତାହାର ନେତୃତ୍ୱ ନେଉଛନ୍ତି । ସେ ହେଉଛନ୍ତି ରିଲାଏନ୍ସ ଜିଓ ଇନ୍ଫୋକମ୍ର ନିର୍ଦେଶିକା । ଜିଓ ପ୍ଲାଟଫର୍ମସ୍ ପାଇଁ ପୁଞ୍ଜିନିବେଶ ଯୋଗାଡ଼ କରିବା ଲାଗି ଯେଉଁ ଟିମ୍ କାର୍ଯ୍ୟ କରୁଥିଲା ସେ ତାହାର ସଦସ୍ୟା ଥିଲେ । ଏହି ଟିମ୍ ଫେସବୁକ୍ର ୫.୭ ବିଲିଅନ ଡଲାର ପୁଞ୍ଜିନିବେଶ ଆଣିବା ବୁଝାମଣା କରିଥିଲା । ଫେସନ ପୋର୍ଟାଲ୍ ଆଜିଓ ଡଟ୍ କମ୍ର ଶୁଭାରମ୍ଭ ପଛରେ ମଧ୍ୟ ଇଶାଙ୍କ ହାତ ରହିଛି । ଇ-କମର୍ସ ସଂସ୍ଥା ଜିଓ ମାର୍ଟର ମଧ୍ୟ ସେ ଦେଖାଶୁଣା କରୁଛନ୍ତି । ତାଙ୍କ ପାଖରେ ୟେଲ୍ ବିଶ୍ୱବିଦ୍ୟାଳୟ ଓ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ଡିଗ୍ରି ରହିଛି ଏବଂ ସେ ନୁ୍ୟୟର୍କର ମେକିନ୍ସେ ଆଣ୍ଡ୍ କଂପାନିରେ ବିଜନେସ୍ ଆନାଲିଷ୍ଟ୍ ଭାବେ କାର୍ଯ୍ୟ କରିଥିଲେ ।
ସଂଗ୍ରହାଳୟର ନିର୍ଦେଶକ ଚେସ୍ ଏଫ୍ ରବିନ୍ସନ୍ କହିଛନ୍ତି ଯେ “ସଂଗ୍ରହାଳୟରେ ନିଜର ସହଯୋଗୀ ଭାବେ ବୋର୍ଡକୁ ଏହି ସଦସ୍ୟମାନଙ୍କୁ ସ୍ୱାଗତ କରୁଥିବାରୁ ମୋତେ ବହୁତ ଖୁସି ଲାଗୁଛି । ବୋର୍ଡର ଏହି ନୂଆ ସଦସ୍ୟମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏହି ପ୍ରତିଭାଶାଳୀ ଓ ନୂଆ ସଦସ୍ୟମାନଙ୍କ ଲକ୍ଷ୍ୟ ଓ ଉତ୍ସାହ ଆମର ସଂଗ୍ରହ ଓ ବିଶେଷଜ୍ଞତାକୁ ଆହୁରି ଅଧିକ ସମ୍ମୋହକ କରିପାରିବ । ଆମର ସଂଗ୍ରହକୁ ସଂପ୍ରସାରଣ କରିବା ଏବଂ ଏସୀୟ କଳା ଓ ସଂସ୍କୃତିକୁ ଭଲ ଭାବେ ବୁଝିବା ଲାଗି ଆମର ପ୍ରାୟସକୁ ଏହା ତ୍ୱରାନ୍ୱିତ କରିବ ।’’
୧୯୨୩ରେ ସ୍ଥାପନ କରାଯାଇଥିବା ସ୍ମିଥ୍ସୋନିୟନ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟ ନିଜର ଆସାଧାରଣ ସଂଗ୍ରହ, ପ୍ରଦର୍ଶନୀ, ଅନୁସନ୍ଧାନ, କଳା ସଂରକ୍ଷଣ ଓ ସଂରକ୍ଷଣ ବିଜ୍ଞାନରେ ନିଜ ସଦସ୍ୟଙ୍କ ପୁରୁଣା ପରମ୍ପରା ଓ ଉକ୍ରୃଷ୍ଟତା ଯୋଗୁଁ ଆନ୍ତର୍ଜାତିକ ପ୍ରତିଷ୍ଠା ହାସଲ କରିଛି । ୨୦୨୩ରେ ସଂଗ୍ରହାଳୟ ନିଜ ଶତବାର୍ଷିକୀ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଏଭଳି ସମୟରେ ନୂଆ ବୋର୍ଡକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ।

 

Comments are closed.