Odisha news

ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ବହିଷ୍କାର, ଗିରଫ ଏବଂ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବୀରେ ଆଗାମୀ ତିନି ଦିନ ଧରି ରାଜ୍ୟର ସମସ୍ତ ୬୨୫ଟି ପୋଲିସ ଥାନା ଘେରାଓ କରିବ ବିଜେପି : ଡ.ଲେଖାଶ୍ରୀ

 ସମସ୍ତ ୬୨୫ଟି ପୋଲିସ ଥାନାରେ ବିଜେପି ତରଫରୁ ଘେରାଓ, ପ୍ରତିବାଦ ଓ ଏଫଆଇଆର ରୁଜୁ କରାଯିବ
 ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ୩ ଜଣିଆ ବିଜେପି କେନ୍ଦ୍ରୀୟ ପ୍ରତିନିଧିଦଳ
 ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବାନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ, ବିଧାୟିକା ରୁପା ମିତ୍ର ଚୈାଧୁରୀ ସାମିଲ ଅଛନ୍ତି
 ବଲାଙ୍ଗୀର ଜିଲ୍ଲା ଝରନୀ ଗ୍ରାମକୁ ଯାଇ ମମିତାଙ୍କ ପରିବାର ସହ ଆଲୋଚନା କରିବେ ପ୍ରତିନିଧି ଦଳ
 ମହାଲିଙ୍ଗ ଗ୍ରାମକୁ ଗସ୍ତ କରି ଘଟଣା ସଂପର୍କରେ ଅନୁଧ୍ୟାନ କରିବେ ପ୍ରତିନିଧି ଦଳ
 ଘଟଣା ସଂପର୍କରେ ବିସ୍ତୃତ ରିପୋର୍ଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ପ୍ରଦାନ କରିବେ
ଭୁବନେଶ୍ୱର,ତା.୨୮/୧୦: ବହୁଚର୍ଚ୍ଚିତ ମମିତା ମେହେର୍ ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏହି ବିଭତ୍ସ ହତ୍ୟାକାଣ୍ଡରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଛି । ବର୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ କୈାଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଅତୀତରେ ସାମାନ୍ୟ ଅଭିଯୋଗ ହେଲେ ମନ୍ତ୍ରୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ମୁଖ୍ୟମନ୍ତ୍ରୀ ଏହି ବିଭତ୍ସ ହତ୍ୟାକାଣ୍ଡ ପ୍ରସଙ୍ଗରେ କାହିଁକି ନୀରବ ରହୁଛନ୍ତି ? ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ ଘନିଷ୍ଠ ସଂପର୍କ କାରଣରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ବିନା କୈାଣସି ବାଧାବିଘ୍ନରେ ଲୋକସେବା ଭବନ ଓ ନବୀନ ନିବାସ ଯାଉ ନଥିଲେ କି ? ତଦନ୍ତ ଆଳରେ ସମସ୍ତ ତଥ୍ୟପ୍ରମାଣକୁ ଲିପାପୋଛା କରି ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଖସାଇ ଦେବାର ପୂର୍ଣ୍ଣ ଉଦ୍ୟମ କରାଯାଉ ନାହିଁ ତ ?ମୃତ ମମିତା ନିଖୋଜ ହେବା ପରେ ଦୀର୍ଘଦିନ ଧରି ପରିବାରବର୍ଗଙ୍କ ଏଫଆଇଆରକୁ ପୋଲିସ୍ ନରଖିବା, ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରି ତାକୁ ହାଜତରେ ନରଖି ବ୍ୟାରେକ ଭିତରେ ରଖିବା, ବ୍ୟାରେକରୁ ଫେରାର ସମୟରେ ବିଦୁ୍ୟତ୍ ସରବାରୋହ ବନ୍ଦ କରାଯିବା, ଗୋଡରେ ଆହତ କାରଣରୁ ସଠିକ ଭାବେ ଚାଲି ପାରୁନଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ୧୨ ଫୁଟ ଉଚ୍ଚତାର ପାଚେରୀ ଡେଇଁ ଖସି ପଳାଇବା, ଅଭିଯୁକ୍ତଙ୍କୁ ଫେରାର କରାଯାଇ ୪ ଦିନ ପରେ ପୁଣି ଅଭିଯୁକ୍ତକୁ ଗିରଫ କରିବା, ପରବର୍ତୀ ସମୟରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯିବା, ଅଭିଯୁକ୍ତର ସିନ୍ ରିକ୍ରିଏସନ କରାଯାଇ ଗଣମାଧ୍ୟମରେ ପ୍ରଦର୍ଶନ କରାଯିବା ଆଦି ଘଟଣା ସାଧାରଣରେ ବହୁ ସନେ୍ଦହ ସୃଷ୍ଟି କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ବିରାଟ ପ୍ରଶ୍ନ ହୋଇ ଛିଡା ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଏହି ଘଟଣା ସଂପର୍କରେ ବାସ୍ତବ ସ୍ଥିତି ଜାଣିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିଦେ୍ର୍ଦଶକ୍ରମେ ଆସନ୍ତା କାଲି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡିଶା ଆସୁଛନ୍ତି । ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ବନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ ଏବଂ ବିଧାୟିକା ରୁପା ମିତ୍ର ଚୈାଧୁରୀ ସାମିଲ ଅଛନ୍ତି । ପ୍ରତିନିଧି ଦଳ ବଲାଙ୍ଗୀର ଜିଲ୍ଲା ଝରନୀ ଗ୍ରାମକୁ ଯାଇ ମୃତ ମମିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ବିସ୍ତୃତ ଆଲୋଚନା କରିବା ପରେ ମହାଲିଙ୍ଗ ଗ୍ରାମକୁ ଯାଇ ଘଟଣା ସ୍ଥଳ ବୁଲି ଘଟଣା ସଂପର୍କରେ ଅନୁଧ୍ୟାନ କରିବେ । ଏହି ପ୍ରତିନିଧି ଦଳ ଆସନ୍ତା ୩୦ ତାରିଖ ଦିନ ଭୂବନେଶ୍ୱରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗସ୍ତ ସଂପର୍କରେ ଅବଗତ କରାଇବେ । ଘଟଣା ସଂପର୍କରେ ସଂପୂର୍ଣ୍ଣ ରିପୋର୍ଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ପ୍ରତିନିଧି ଦଳ ପ୍ରଦାନ କରିବେ ଡ.ଲେଖାଶ୍ରୀ ସୁଚନା ଦେଇଛନ୍ତି ।
ସେହିପରି ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଓ ଗିରଫ ସହିତ ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବୀରେ ଆଗାମୀ ୨୯, ୩୦ ଓ ୩୧ ତାରିଖ ତିନି ଦିନ ଧରି ରାଜ୍ୟର ସମସ୍ତ ୬୨୫ଟି ପୋଲିସ ଥାନାରେ ବିଜେପି ତରଫରୁ ଘେରାଓ, ପ୍ରତିବାଦ ଓ ଏଫଆଇଆର ରୁଜୁ କରାଯିବ ବୋଲି ଡ.ଲେଖାଶ୍ରୀ ସୁଚନା ଦେଇଛନ୍ତି ।

Comments are closed.