Odisha news

ସାଳନ୍ଦୀ ସହ ହେଉନି କୁଣ୍ଡି ନଈର ସଂଯୋଗୀକରଣ , ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଣଧାରଣା ଓ ପ୍ରତିବାଦ ସଭା

ତିହିଡ଼ି,୦୪ା୧୦: ତିହିଡି ବ୍ଲକ ଅନ୍ତର୍ଗତ କମାରିଆ ବଜାରରେ ସୋମବାର ଦିନ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଣଧାରଣା ଦିଆଯିବା ସହ ପ୍ରତିବାଦ ସଭା କରାଯାଇଛି । ସାଳନ୍ଦୀ ସହିତ କୁଣ୍ଡି ନଈର ସଂଯୋଗୀକରଣ ଓ ଅନ୍ୟ ଦାବି ନେଇ ଏହି ପଦକ୍ଷେପ ନିଆଯାଇଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ନ ମିଳିବା ଯାଏଁ ଧାରଣା ଚାଲୁ ରହିବ ବୋଲି କୃଷକ ସଭା ପକ୍ଷରୁ ଚେତାବନୀ ଦିଆଯାଇଛି । ତହିଡି ବ୍ଲକର ଅଧିକାଂଶ ଲୋକ କଅଷି ଉପରେ ନିର୍ଭର କରୁଥିବା ବେଳେ ବ୍ଲକରେ ପ୍ରବାହିତ ନଈ ସେମାନଙ୍କ ଲାଗି ଆଶୀର୍ବାଦ ପାଲଟି ଥାଏ । ମାତ୍ର ଗତ ୨୦୦୯ ଠାରୁ ମନ୍ତେଇ ନଈର ପାଣି ଲୁଣା ହୋଇଯାଇଛି ।

ସମୁଦ୍ର ପାଣି ନଈ ଭିତରକୁ ପଶି ପାଣିକୁ ଲୁଣା କରୁଥିବାରୁ ଚାଷୀମାନେ ନଈ ପାଣିକୁ ଉପଯୋଗ କରିପାରୁ ନାହାନ୍ତି । ତେଣୁ ମନ୍ତେଇ ନଈ ପାଣି ଲୁଣାମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି । ସେହପରି କୁଣ୍ଡି ନଈ ସଂସ୍କାର ହେଉ ନଥିବା ବେଳେ ସାଳନ୍ଦୀ ସହ ଏହାର ସଂଯୋଗୀକରଣ ହୋଇପାରୁନି । ଯାହାଦ୍ୱାରା ତିହିଡି ଓ ବାସୁଦେବପୁର ବ୍ଲକର ୮ ପଞ୍ଚାୟତର ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦଶମୌଜା କେନାଲ ମଧ୍ୟ କାନପୁର ଯାଏଁ ସଂପ୍ରସାରଣ ହୋଇପାରୁନି । କୃଷକ ସଭା ପକ୍ଷରୁ ବିଭିନ୍ନ ସମୟରେ ଏ ନେଇ ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନି ।

ଏହାର ପ୍ରତିବାଦରେ କୃକେ ସଭାର ଉପଦେଷ୍ଟା ଶୁଭେନ୍ଦୁ ପ୍ରତାପ ମହାନ୍ତି, ଜିଲ୍ଲା ସଭାପତି ଅନନ୍ତ ମହାନ୍ତି, ଉପସଭାପତି ଦାମୋଦର ସେନାପତି, ସଂପାଦକ ବିମ୍ବାଧର ବାରିକ, ସନ୍ଥଚରଣ ବିଶ୍ୱାଳ, ରବିନ୍ଦ୍ର ବାରିକ, ନରେନ୍ଦ୍ର ତ୍ରିପାଠୀ, ଗଦାଧର ପଣ୍ଡା, ତ୍ରିଲୋଚନ ନାୟକ, ଭାଗିରଥି ରାଉତ, ବଳଭଦ୍ର ପାତ୍ର, ବିଦ୍ୟାଧର ମହାଳିକ ପ୍ରମୁଖ ଗଣଧାରଣାରେ ସାମିଲ ହୋଇଛନ୍ତି ।

Comments are closed.