Odisha news

ସ୍ୱଚ୍ଛ ଭାରତ ଅଭିଯାନରେ ଦୁର୍ନୀତି : ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ ସମ୍ମୁଖରେ ବିଜେପିର ଗଣଧାରଣା

ତିହିଡ଼ି,୦୪ା୧୦: ତିହିଡି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ସ୍ୱଚ୍ଛ ଭାରତ ଅଭିଯାନରେ ହୋଇଥିବା ପାଇଖାନା ନିର୍ମାଣରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ସୋମବାର ଦିନ ତିହିଡି ବ୍ଳକ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ବିଜେପି ନେତା ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ଯୁବନେତା ସୂର୍ଯ୍ୟବଂଶୀ ସୂରଜ, ପ୍ରମୋଦ ଦାସ, ପ୍ରତାପ ଜେନା, ଶରତ ଦାସ, ସମିତିସଭ୍ୟ ଯଶୋବନ୍ତ ଦାସ, ସୁରେନ୍ଦ୍ର ନାୟକ, ଯୁବନେତା ପ୍ରଦୀପ ବଳ, ସାଇଶରଣ ବେହେରା. କରୁଣାକର ମଳିକ, ସୁରେନ୍ଦ୍ର ନାୟକ, ଶରତ ଦାସ, ରମେଶ ଚନ୍ଦ୍ର ରାଉତ, ପୀତାମ୍ବର ବାରିକ, ମିନତି ସ୍ୱାଇଁ, ରମାମଣୀ ଓଝା, ଗେଡି ଓଝା, ଜିତେନ୍ଦ୍ର ରାଉତ, ମଦନମୋହନ ଦାସ ପ୍ରମୁଖ ବହୁ କର୍ମୀ ସାମିଲ ଥିଲେ ।

ପ୍ରକାଶ ଯେ, ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ପାଇଖାନା ଅର୍ଥ ମିଳି ନଥିବା ବେଳେ ଦଳୀୟ ଆଧାରରେ ଗୋଟିଏ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ତଥା ମୃତ ବ୍ୟକ୍ତିଙ୍କ ନାଁରେ ପାଇଖାନା ଟଙ୍କା ଉଠାଯାଇଛି । ପଞ୍ଚାୟତର ଖୋଦ ସରପଞ୍ଚ ନିଜ ର ଓ ତାଙ୍କ ସଂପର୍କୀୟ(ଯିଏକି ମୃତ)ଙ୍କ ନାଁରେ ମଧ୍ୟ ପାଇଖାନା ଟଙ୍କା ଉଠାଯାଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆଧାରରେ ଏହି ସତ୍ୟ ସାମ୍ନାକୁ ଆସିିଥିବା ବିଜେପି ନେତା ମାନେ ପ୍ରକାଶ କରିଛନ୍ତି ।

ପଞ୍ଚାୟତର ମୋଟ ୮୨୩ ଜଣଙ୍କ ନାଁ ପାଇଖାନା ତାଲିକାରେ ଥିବା ବେଳେ ପ୍ରକୃତପକ୍ଷେ ଆହୁରି ଅଧିକ ଲୋକଙ୍କ ନାଁରେ ବିଲ କରାଯାଇ ଟଙ୍କା ହଡପ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହି ଦୁର୍ନୀତିରେ ପଞ୍ଚାୟତର ଜନ ପ୍ରତିନିଧିଙ୍କ ଠାରୁ ବିଭାଗୀୟ ବ୍ଳକ ପ୍ରଶାସନିକ ଅଧିକାରୀ ମାନେ ସଂପୃକ୍ତ ଥିବା ଜଣାପଡିବା ପରେ ବିଜେପି ପକ୍ଷରୁ ବିଡିଓ ଓ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରାଯାଇଥିଲା । ତେବେ ରାଜନୈତିକ ଚାପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଲୋକ ଦେଖାଣିଆ ତଦନ୍ତ କରାଯାଇ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ।

Shares