ମୟୂରଭଞ୍ଜ ଜିଲ୍ଲା ବିଜେପିର ୬ଜଣ ଜିଲ୍ଲା ପରିଷଦ ସଦସ୍ୟ ୟୁ ଟର୍ଣ୍ଣ ମାରିଲେ : ୪୮ଘଣ୍ଟା ନପୁରୁଣୁ ପୁଣି ବିଜେପିକୁ ଫେରିଲେ
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ପୁଣି ରାଜନିତୀ ସରଗରମ, ୪୮ ଘଣ୍ଟା ନପୁରୁଣୁ ଇସ୍ତଫା ଦେଇଥିବା ମୟୂରଭଞ୍ଜ ଜିଲ୍ଲାର ୬ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ୟୁ ଟର୍ଣ୍ଣ ମାରିଛନ୍ତି । ଗତ ଶୁକ୍ରୁବାର ଜିଲ୍ଲା ପରିଷଦ ବୈଠକ ଚାଲିଥିବାବେଳେ ୧୫ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରି ନିଜର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପ୍ରେରଣ କରିଥିଲେ ।
ମାତ୍ର ୪୮ଘଣ୍ଟାରେ ସବୁକିଛି ବଦଳିଗଲା, ହଠାତ୍ ପୁଣି ୬ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିବା ସହ ବିଜେଡି ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ସେମାନେ ସଙ୍ଗୀନ ଅଭିଯୋଗ କରିଛନ୍ତି ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ଟଙ୍କାର ପ୍ରଲୋଭନ ଓ ଧମକ ଭୟରେ ସେମାନେ ବିଜେପିରୁ ଇସ୍ତଫା ଦେଇଥିଲେ । ଏହି ପ୍ରତିକ୍ରିୟା ପରେ ବିଜେଡିକୁ ଶକ୍ତ ଚାପୁଡା ବାଜିଛି ।
ମିଳିଥିବା ସୂଚନା ଅନୁଯାୟୀ ୨୪ ନମ୍ବର ଜୋନ୍ର ମଧୁସ୍ମିତା ପରିଡା, ୨୨ ନମ୍ବର ଜୋନର ଅସ୍ମିତାମଣୀ ସିଂ, ୫୫ ନମ୍ବର ଜୋନ୍ର ରବି ନାରାୟଣ ନାଏକ, ୩୩ ନମ୍ବର ଜୋନର ନନିକା ନାଏକ, ୪୨ ନମ୍ବର ଜୋନର ଗାନ୍ଧାରୀ ନାଏକ ଓ ୪୪ ନମ୍ବର ଜୋନର ପରମେଶ୍ୱର ନାଏକ ପୁଣି ବିଜେପି ଦଳକୁ ଫେରିଛନ୍ତି ।
ଫଳରେ ସମୁଦାୟ ଘଟଣାକୁ ନେଇ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ମାଣିତ୍ରୀ ଡାକବଙ୍ଗଳା ଠାରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍, ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ବଡସାହି ବିଧାୟକ ସନାତନ ବିଜୁଳି ଓ ସାରସକଣା ବିଧାୟକ ଡାଃ ବୁଢାନ ମୁର୍ମୁଙ୍କ ଉପସ୍ଥିତିରେ ୨୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ମଧୁସ୍ମିତା ପରିଡା ଓ ୨୨ ନମ୍ବର ଜୋନ୍ର ଅସ୍ମିତାମଣୀ ସିଂ ପ୍ରକାଶ କରିଥିଲେ ଯେ, ଶୁକ୍ରୁବାର ଜିଲ୍ଲା ପରିଷଦ ବୈଠକ ଚାଲିଥିବାବେଳେ ସେମାନଙ୍କୁ ବିଜେଡିର କିଛି କୁଚକ୍ରି ନେତା ମାନେ ଏକ ହୋଟେଲକୁ ଡାକି ଜିଲ୍ଲା ପରିଷଦର ବିଭିନ୍ନ ବିଷୟରେ ଆଲୋଚନା କରାଯିବ କହି ତାଙ୍କର ଦସ୍ତଖତ ନେଇ ଯାଇଥିଲେ ।
ମାତ୍ର ସେମାନେ ଏ ବିଷୟରେ ଅଜ୍ଞ ଥିଲେ ବୋଲି ସଫେଇ ଦେଇଛନ୍ତି । ଆଜିର ସମୁଦାୟ ଘଟଣା ପରେ ପୁଣି ବିଜେପି ଓ ବିଜେଡି ମଧ୍ୟରେ ରାଜନୈତିକ ଖେଳ ଆହୁରି ଜମିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି । ବିଜେପିର ଏହି ନେତାମାନଙ୍କର ୟୁ ଟର୍ଣ୍ଣ ପରେ ବିଜେଡି ମଧ୍ୟ କିଛିବାଟ ବ୍ୟାକ୍ ଫୁଟ୍କୁ ଚାଲିଯାଇଛି ବୋଲି ସାଧାରଣ ମହଲରେ ଚର୍ଚ୍ଚା ଜୋରଧରିଛି ।
Comments are closed.