Odisha news

ଆଶ୍ଚର୍ଯ୍ୟ ହେଲେ ବି ସତ : କୋଇଲା ଖଣି ନିକଟରେ ଥିବା ମାଟି ଗଦାତଳେ ଗଢ଼ିଉଠୁଛି ନୂତନଗାଁ

ତାଳଚେର : ତାଳଚେର ଅଂଚଳରେ ରହିଥିବା ୯ଟି ଖୋଲା କୋଇଲା ଖଣିରେ ଥିବା ୧୬ଟି ପଂଚାୟତର ଅନୁନ୍ୟ ୧୫୦ରୁ୨ଶହ ଗାଁ ତାଳଚେରରୁ ବିିଚ୍ଛିନ୍ନ ହୋଇଥିବା ବେଳେ କୋଇଲା ଖଣିରୁ ବାହାରୁ ଥିବା ପର୍ବତ ତୁଲ୍ୟ ମାଟିଗଦା ପାଦ ଦେଶରେ ଗଢ଼ି ଉଠୁଛି ନୂତନଗାଁ ତାଳଚେର ଲିଙ୍ଗରାଜ କୋଇଲା ଖଣି ଠାରୁ ଆରମ୍ଭ କରି ବଉଳପୁର ପର୍ଯ୍ୟନ୍ତ ଏମସିଏଲ ଲୋକଙ୍କର ଜମିବାଡ଼ି ଘରଦ୍ୱାର ଅଧିଗ୍ରହଣ କରି ସାରିବା ପରେ ପ୍ରଥମେ ମାଟି କାଢ଼ିବାପରେ କୋଇଲା ଉତୋଳନ କରିଥାଏ । ଏହି ମାଟି ଓ ବଡ଼ବଡ଼ ପଥର ପାହାଡ଼ ସଦୃଶ୍ୟ ଗଦା କରାଯାଇଥାଏ । ଏହି ମାଟିଗଦାର ପାଦଦେଶରେ ଏବେ ସୃଷ୍ଟି ହୋଇଚାଲିଛି ନୂତନ ଗାଁ ।

ଏହି ମାଟି ଗଦାତଳେ କିଛି କ୍ଷତିଗ୍ରସ୍ତ ପ୍ରଜାଙ୍କର ଜମି ରହିଥିବା ବେଳେ ଆଉ କିଛି ସରକାରୀ ଓ ଏମସିଏଲର ଅଧିଗ୍ରହଣ ଜମି ରହିଛି । ଏମସିଏଲ ବିସ୍ତାରବାଦୀ ଚିନ୍ତାଧାରାରେ ମାଡ଼ିଚାଲିଥିବା ହେତୁ ଅଧିଗ୍ରହଣ କରିଥିବା ଜାଗାରେ ଅକ୍ତିଆର ନଥିବାରୁ ସେହି ଜାଗା ଉପରେ ଜବରଦଖଲକାରୀ କେମିତିି ଏଠାରେ ଅବସ୍ଥାପିତ ହୋଇ ଗାଁ ସୃଷ୍ଟି କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଅବସ୍ଥା ସୃଷ୍ଟି କରିଛି । ବାହାର ରାଜ୍ୟ ଓ ଜିଲ୍ଲାର  ଏହି ନୂତନ ଗ୍ରାମରେ ଭଡ଼ାସୂତ୍ରରେ ରହି ଜମି ଜବରଦଖଲ କରିବାସହ ନୂତନଗୃହ ନିର୍ମାଣ କରି ସ୍ଥାୟୀ ବାସୀନ୍ଦା ହୋଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଏବଂ ପୋଲିସ୍ ସେମାନଙ୍କୁ ଠାବ କରିବା କଷ୍ଟକର ବ୍ୟାପର ହୋଇପଡ଼ୁଛି । ପୁନଶ୍ଚ ଆଶ୍ଚର୍ଯ୍ୟର ବିଷୟଯେ, ଏହି ବସ୍ତି ଅଂଚଳକୁ ସେହି ଏମସିଏଲ ପକ୍ଷରୁ ଜଳଯୋଗାଣ, ରାସ୍ତା ନିର୍ମାଣ, ବିଦ୍ୟୁତ୍ ଯୋଗାଣ ନିରବଚ୍ଛିନ୍ନ ଭାବରେ ଯୋଗାଇ ଦେଉଥିବା ଅଭିଯୋଗ ହେଉଛି ।

ଏଥିସହ ସେମାନଙ୍କ ନାମରେ ଭୋଟରକାର୍ଡ଼, ଆଧାରକାର୍ଡ଼, ରାସନକାର୍ଡ଼ ଏପରିକି ସରକାରଙ୍କ ବିଭିନ୍ନ ଯୋଜନା ହାତେଇବାରେ ସଫଳ ହେଉଛନ୍ତି କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି? ଏପରି ସ୍ଥଳେ ଏତେ ଗୁଡ଼ିଏ ନୂତନ ଗାଁ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ଏମସିଏଲ କର୍ତୁପକ୍ଷ ଜାଣି ଅଜଣା କାହା ସ୍ୱାର୍ଥରେ?

ଏଠାରେ ଉଲ୍ଲେଖ ଯୋଗ୍ୟଯେ, ପାହାଡ଼ ପର୍ବତ ସଦୃଶ୍ୟ ଏହି ମାଟିଗଦା ଯଦି ଭୂ-ସ୍ଖଳନ ହୁଏ ତେବେ ସୃଷ୍ଟି ହୋଇଥିବା ନୂତନ ଗ୍ରାମ ଗୁଡ଼ିକ ବିଲୀନ ହେବାପାଇଁ ବେସି ସମୟ ଲାଗିବ ନାହିଁ, ତତ୍ ସହିତ କେତେଯେ ଧନଜୀବନ ଆଖି ପିଛୁଳାକେ ଚାଲିଯିବ ତାହା ଆଗାମୀ ସମୟ ହିଁ କହିବ ବୋଲି ଏକ ଚିନ୍ତାଜନକ ଅବସ୍ଥା ସୃଷ୍ଟି କରିଛି । ତେଣୁ ଏଥିପ୍ରତି ଏମସିଏଲ କର୍ତୁପକ୍ଷ ଓ ସ୍ଥାନୀୟ ପୋଲିସ୍ ଏବଂ ପ୍ରଶାସନ ଯତ୍ନବାନ୍ ନହେଲେ ଆଗକୁ କ’ଣ ହେବ ତାହା କହିବା ଏବେ ଠାରୁ ସମ୍ଭବପର ନୁହେଁ ।

Comments are closed.