Odisha news

କୋଣାର୍କ ରେ ଅନୁଷ୍ଠିତ ହେଲା ପୁରୀ ଜିଲ୍ଲା ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ : ମାତ୍ର କାକଟପୁର ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ଙ୍କ ଅନୁପସ୍ଥିତି ଦଳରେ ସୃଷ୍ଟି କଲା ଗୋଷ୍ଠୀ କନ୍ଦଳ

କୋଣାର୍କ :- ଆଜି ପୂର୍ବାହ୍ନ ୧୧ ଘଟିକା ସମୟ ରେ କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ବର୍ଦ୍ଧିତ ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ।ଆଜିର ଏହି ସଭା ରେ ପୁରୀ ଜିଲ୍ଲାର ସମସ୍ତ ହେଭି ୱେଟ ନେତା ଙ୍କ ଉପସ୍ଥିତ ରେ ଏହି ସମ୍ମିଳନୀ ଟି ଆୟୋଜନ କରାଯାଇଥିଲା। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ ଲକ୍ଷ ରେ ରଖି ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିଜୁ ଜନତା ଦଳର ପ୍ରାଣ ପ୍ରତିଷ୍ଠାତା ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏହି ସଭା ରେ ବିଜୁ ଜନତା ଦଳର ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ଥିବା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ଦାଶ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି, ସତ୍ୟବାଦୀ ବିଧାୟକ ଉମା ଶଙ୍କର ସାମନ୍ତରାୟ ,ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା, ରାଜ୍ୟ ସଭା ସାଂସଦ ରାଜଶ୍ରୀ ମଲ୍ଲିକ,  ଦେବୀ ପ୍ରସାଦ ମିଶ୍ର, ପିପିଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ,ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ଵାଧୀନ ନାୟକ ଉପସ୍ଥିତ ଥିଲେ। ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ଙ୍କ ପୌରାହିତ୍ୟ ରେ ଏହି ସଭା ଅନୁଷ୍ଠିତ ହୋଇଥିଲା।
ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଏହି ସମ୍ମିଳନୀ କରାଯାଇଥିବା ବେଳେ ବିଜୁ ଜନତା ଦଳକୁ ତୃଣ ମୂଳ ସ୍ତରରୁ ସୁଦୃଢ ଓ ଏକତ୍ରିତ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀ ଟି ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସଠିକ ଭାବରେ ଲୋକଙ୍କ ପାଖରେ ପହଁଚି ପାରୁଛି କି ନାହିଁ, ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ସ୍ମାର୍ଟ ହେଲଥ କାର୍ଡ କିଭଳି ସାଧାରଣ ଲୋକ ମାନଙ୍କୁ ଯୋଗାଇ ଦିଆଯିବ ଏବଂ ନିର୍ବାଚନ ପୂର୍ବରୁ ସମସ୍ତ ରଣନୀତି ପ୍ରସ୍ତୁତ ପାଇଁ ଏହି ସଭା ଟି କରାଯାଇଥିବା ନେଇ ସୂଚନା ମିଳିଛି। ଗୋଟିଏ ପଟେ ନିର୍ବାଚନ ମଇଦାନକୁ ଓଲ୍ହାଇବା ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ପାଇଁ ଆଜି ଏହି ସଭା କରାଯିବା ପରେ ବିଜୁ ଜନତା ଦଳ ରେ ଦେଖା ଦେଇଛି ଗୋଷ୍ଠୀ କନ୍ଦଳ। ଯାହାର ସ୍ପଷ୍ଟ ଚିତ୍ର ପ୍ରମାଣିତ କରିଛି ଆଜିର ପୁରୀ ଜିଲ୍ଲା ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ। କୋଣାର୍କ ଯାତ୍ରୀନିବାସ ରେ ଆୟୋଜନ ହୋଇଥିବା ଏହି ଦଳୀୟ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଥିଲା ଗୋଟିଏ ପଟେ ବିଜୁ ଜନତା ଦଳର ରାଜ୍ୟର ବହୁ ଟାଣୁଆ ନେତା,ମନ୍ତ୍ରୀ ଙ୍କ ସହ କର୍ମୀ ଙ୍କୁ କିନ୍ତୁ  ଅନ୍ୟପଟେ କାକଟପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନ ର  ରାଜ୍ୟ ପରିଷଦ ର ସଦସ୍ୟ ସୁରେନ୍ଦ୍ର ସେଠୀ ଙ୍କ ଅନୁପସ୍ଥିତ ସୃଷ୍ଟି କରିଥିଲା କର୍ମୀ ଙ୍କ ମଧ୍ୟରେ ଅସନ୍ତୋଷ।
ଦଳ ରେ ସତେ ଯେମିତି ଅଲୋଡ଼ା ହୋଇ ପଡିଛନ୍ତି ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀ । ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଭାବେ ଦାୟିତ୍ବ ତୁଲାଇ ଆସୁଥିବା ସୁରେନ୍ଦ୍ର ସେଠୀ ଙ୍କୁ ଆଜିର କର୍ମୀ ସମ୍ମିଳନୀରେ ଦେଖା ଯାଇନଥିବା ରୁ ବିଜୁ ଜନତା ଦଳରେ ଦେଖିବାକୁ ମିଳିଛି ଗୋଷ୍ଠୀ କନ୍ଦଳ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ପରିଚାଳନା ହେଉଥିବା ବେଳେ ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ଭାବେ ଚର୍ଚ୍ଚା ଲାଗି ରହିଥାଏ।ମାତ୍ର ଆଜିର ଏହି ଜିଲ୍ଲା ସ୍ତରୀୟ ଦଳୀୟ କାର୍ଯ୍ୟକ୍ରମ ରେ ମଞ୍ଚ ରେ ବିଜୁ ଜନତା ଦଳର ସମସ୍ତ ଟାଣୁଆ ନେତା ଉପସ୍ଥିତ ଥିବା ସତ୍ୱେ କାକଟପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀ ଙ୍କ ଅନୁପସ୍ଥିତ ଦଳ ପକ୍ଷରୁ ତାଙ୍କ ପାଇଁ ଥିବା ଅବହେଳା କୁ ସ୍ପଷ୍ଟ ପ୍ରମାଣ କରୁଥିଲା।ଆଗାମୀ କିଛି ମାସ ପରେ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଏହାକୁ ଲକ୍ଷ କରି ଆଜି ଏହି କର୍ମୀ ସମ୍ମିଳନୀ ହୋଇଥିଲା ସତ କିନ୍ତୁ ସ୍ବେଚ୍ଛାକୃତ ଭାବେ ଦଳ ପାଇଁ କାମ କରୁଥିବା ଦଳୀୟ କର୍ମୀ ଓ ପୁର୍ବତନ ବିଧାୟକ ଙ୍କ ଅନୁପସ୍ଥିତ ଯୋଗୁଁ ଆଗାମୀ ନିର୍ବାଚନ ରେ ଏହା ଦଳ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି ମତ ଦେଇଛନ୍ତି ଦଳୀୟ କର୍ମୀ।
ଅନ୍ୟପକ୍ଷରେ ଆଜିର ଏହି ସମାବେଶ କୁ ଆସିଥିବା ରାଜ୍ୟ ସରକାରଙ୍କ ୩ ପ୍ରମୁଖ  ମନ୍ତ୍ରୀ ସମିର ଦାଶ, ତୁଷାର କାନ୍ତି ବେହେରା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କୁ ପୁର୍ବତନ ବିଧାୟକ ଙ୍କ ଅନୁପସ୍ଥିତି ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ଏହା ଦଳୀୟ କାର୍ଯ୍ୟକ୍ରମ ସମସ୍ତ ଙ୍କ ପରି ପୂର୍ବତନ ବିଧାୟକ ଙ୍କୁ ନିମନ୍ତ୍ରଣ ରହିଛି କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ କାରଣ ରୁ ଅନୁପସ୍ଥିତ ଥାଇ ପାରନ୍ତି ବୋଲି ଉତ୍ତର ରଖିଛନ୍ତି।କିନ୍ତୁ ଅନ୍ୟପଟେ ଆଜିର କାର୍ଯ୍ୟକାରିଣୀ ବୈଠକରେ ଅନୁପସ୍ଥିତ ପୁର୍ବତନ ବିଜେଡି ବିଧାୟକ ତଥା ରାଜ୍ୟ ପରିଷଦ ର ସଦସ୍ୟ ସୁରେନ୍ଦ୍ର ସେଠୀ କଣ ପାଇଁ ଅନୁପସ୍ଥିତ ଥିଲେ ଏନେଇ ତାଙ୍କୁ ପ୍ରଶ୍ନ ପଚରା ଯିବାରୁ ତାଙ୍କୁ ଦଳ ପକ୍ଷରୁ  କୌଣସି ନିମନ୍ତ୍ରଣ ନଥିବା ସେ କହିଥିବା ବେଳେ ତାଙ୍କ ମନ୍ତବ୍ୟ ଦଳ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ କୁ ପଦା ରେ ପକାଇଛି।ଯାହା ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ପାଇଁ ଶୁଭ ସଂକେତ ନୁହେଁ ବୋଲି ଜଣାପଡିଛି।ଯଦି ଶୃଙ୍ଖଳିତ ଦଳ ଭାବେ ଡିଣ୍ଡିମ ପିଟୁଥିବା ବିଜୁ ଜନତା ଦଳ ର ଏହି ବିଶୃଙ୍ଖଳା ନ ତୁଟେ ତେବେ ଆଗାମୀ ନିର୍ବାଚନ ରେ ଏହି ଗୋଷ୍ଠୀ କନ୍ଦଳ ନିର୍ବାଚନ ପାଇଁ ଅଶୁଭ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Comments are closed.