ନର୍ଲା (ଦୀପକ କୁମାର ଠାକୁର) ସରକାର ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ତେବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକରେ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ବ୍ଳକର ଅନେକ ଗାଁକୁ ପକ୍କା ରାସ୍ତା ଟିଏ ହୋଇ ପାରୁନାହିଁ। ରାସ୍ତା ଶୋଚନୀୟ ଯୋଗୁଁ ରୋଗୀ ଓ ଗର୍ଭବତୀ ମହିଳା ଖଟିଆରେ ବୁହା ହୋଇ ଡାକ୍ତରଖାନା ଆସୁଛନ୍ତି। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ବ୍ଳକର ମଦାଙ୍ଗଦାନୀ ଗାଁରେ। ଏହି ବ୍ଳକର କମର୍ଦ୍ଧା ପଞ୍ଚାୟତର ମଦାଙ୍ଗଦାନୀ ଗାଁର ମୋହନ ମାଝୀଙ୍କ ସ୍ତ୍ରୀ ଇନ୍ଦୁମତୀ ମାଝୀ ଗର୍ଭବତୀ ଥାଇ ପ୍ରସବ ଯନ୍ତ୍ରଣା ହେବାରୁ ଗାଁ ଆଶାକର୍ମୀ କଳ୍ପନା ପାତ୍ର ୧୦୮କୁ ଫୋନ କରି ଜଣାଇଲେ। ଗର୍ଭବତୀ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇବା ପାଇଁ ଆମ୍ବୁଲାନ୍ସ ଆସି ଅଧା ବାଟରେ ଅଟକି ଗଲା। ଏହି ଗାଆଁକୁ ଦୀର୍ଘ ଦିନରୁ ଯାତାୟତ ପାଇଁ ଭଲ ରାସ୍ତା ନଥିବାରୁ ଲୋକେ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କି.ମି ଯାଏଁ ବୋହି ପିପଲପଡା ଗ୍ରାମ ଯାଏଁ ଆଣି ଆମ୍ବୁଲାନ୍ସ ଯୋଗେ ନର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବାପରେ ପୁଣି ଆମ୍ବୁଲାନ୍ସ ଯୋଗେ ପିପଲପଡା ଯାଏଁ ମାଆ ଓ ଶିଶୁ ପୁତ୍ରକୁ ଅଣାଯାଇ ଖଟିଆରେ ବୁହା ହୋଇ ଘରେ ପହଞ୍ଚି ଥିଲେ। ଏଠାରେ ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାର ଅନୁନ୍ନତ ଜିଲ୍ଲା ମାନଙ୍କୁ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇ କୋଟି କୋଟି ଟଙ୍କା ବିନିଯୋଗ କରାଯାଇ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଲାଞ୍ଜିଗଡ଼ ବ୍ଲକରେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଏଠାକାର ଗମନାଗମନ ପଥରୁ ସ୍ପଷ୍ଟ ଭାବରେ ଚିତ୍ରିତ ହେଉଛି ବୋଲି ବୁଦ୍ଧିଜୀବୀମହଳରେ ପ୍ରକାଶ ପାଉଛି।
Comments are closed.