ପିପିଲି : – ପିପିଲିଥାନା ଅଂଚଳର ରାଜପଥ ପାଶ୍ୱର୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାକୁ ପୋଲିସ ଅଧିକ ଗୁରୁତ୍ୱର ସହ ନେଇଛି । ଏହାକୁ ନେଇ ପୋଲିସ ଏକ ହତ୍ୟା ମାମଲା(୩୫୧/୨୦୨୧) ରୁଜୁ କରିବା ସହ ତଦନ୍ତକୁ ବଢାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଭୁବନେଶ୍ୱରରୁ ପୋଲିସ ଫୋରେନସିକ ଟିମ ଆସି ଅନୁସନ୍ଧାନ କରିଛି ।
ଆଜି ଅପରାହ୍ନରେ ପିପିଲି ଏସଡ଼ିପିଓ ଦେବଦତ ବରାଳ, ଆଇଆଇସି ଅଭିମନୁ୍ୟ ନାୟକ, ଏସଆଇ ସନ୍ଦୀପ ଦାସ, ଏଏସଆଇ ପ୍ରକାଶ ମଲ୍ଲିକ, ଫୋରେନସିକ ଲାବର ସାଇଂଟିଫିକ ଅଫିସର ଶ୍ରୀରାମ ପାଣିଗ୍ରାହୀ ପ୍ରମୁଖ ଶବ ପଡ଼ିଥିବା ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ଅନୁସନ୍ଧାନରେ ସୂଚନା ମିଳୁଥିବାର ପୋଲିସ କହିଛି ।
ଶବ ପଡ଼ିଥିବା ସ୍ଥାନରେ ହତ୍ୟାକାଣ୍ଡ ଘଟିଥିବାର କୌଣସି ଚିହ୍ନ ନଥିବାବେଳେ ଅନ୍ୟ କେଉଁ ସ୍ଥାନରେ ହତ୍ୟା କରାଯାଇ ସେଠାରେ ଫିଙ୍ଗି ଦିଆଯାଇଥିବାର ପୋଲିସ ସନେ୍ଦହ କରୁଛି । ମୃତକ ବାଇକରେ ଆସୁଥିବାର ତାଙ୍କ ପତ୍ନୀ କହୁଥିବାବେଳେ ବାଇକ ମିଳୁନଥିବା କାରଣରୁ ପୋଲିସର ହତ୍ୟା ସନେ୍ଦହ ବଢିଛି । ତେବେ ହତ୍ୟାକାଣ୍ଡର କାରଣ ତଥା ହତ୍ୟାକାଣ୍ଡରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାକୁ ବିଭିନ୍ନ ଦିଗକୁ ନେଇ ପୋଲିସର ତଦନ୍ତ ଆଗେଇଛି । ଏହି ମାମଲାରେ ସମ୍ପୃକ୍ତ ଥିବା ସନେ୍ଦହରେ ପୋଲିସ ଜଣେ କାର ଚାଳକକୁ ଅଟକ ରଖି ପଚରା ଉଚୁରା କରୁଛି ।
ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଦଇସିପାଟଣା ଓ ଶିଉଳା ମଧ୍ୟବର୍ତୀ ସ୍ଥାନର ରାଜପଥ କଡ଼ ଏକ ବରଗଛ ମୂଳରୁ ବୁଧବାର ସନ୍ଧ୍ୟାରେ ପିପିଲି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ପରେ ମୃତକଙ୍କ ଫୋନରୁ ତାଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରି ଡକାଇଥିଲା । ଡାକ୍ତରଖାନାରେ ପହଂଚି ସେ ସ୍ୱାମୀଙ୍କ ମୃତଦେହକୁ ଚିହ୍ନଟ କରିଥିଲେ । ମୃତକ ଜଣକ ହେଉଛନ୍ତି ଡେଲାଙ୍ଗ ଜେନାପୁର ତନ୍ତୀସାହିର ରନôାକର ପ୍ରଧାନ(୩୨) । ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଆଟେଣ୍ଡାଂଟ ଭାବେ କାର୍ଯ୍ୟ କରୁଥିବାବେଳେ ସେଠାରେ ମହାବୀର ନଗରରେ ଭଡା ଘରେ ସପରିବାର ରହୁଥିଲେ ।
ଆହୁରି ମଧ୍ୟ ପୋଲିସ ପଚରାଉଚୁରା ବେଳେ ଜାଣିବାକୁ ପାଇଛି ଯେ, ରଶ୍ମିତା ମୃତ ରତ୍ନାକରଙ୍କ ବଡ଼ଭାଇଙ୍କୁ ବିବାହ କରିଥିଲେ । ସେ ସୁରତ ଯାଇ ଦୀର୍ଘଦିନ ହେବ ନଫେରିବାରୁ ଦିଅର ରତ୍ନାକରଙ୍କୁ ରଶ୍ମିତା ବିବାହ କରିଛନ୍ତି । ରତ୍ନାକର ବାଇକରେ ଆସୁଥିବାର ପତ୍ନୀ କହୁଥିବା କାରଣରୁ ବାଇକ କୁଆଡେ ଗଲା ତାହା ପୋଲିସ ଖୋଜିବା ଆରମ୍ଭ କରିଛି । ରଶ୍ମିତାଙ୍କୁ ଡେଲାଙ୍ଗରୁ ଭୁବନେଶ୍ୱର ଭଡ଼ାଘରକୁ ନେଉଥିବା କାର ଡ୍ରାଇଭରଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଛି ।
ଅଟକ ଡ୍ରାଇଭରଙ୍କ ଘର ଅନ୍ୟ ଜିଲ୍ଲାରେ ଓ ମହାବୀର ନଗରରେ ରଶ୍ମିତାଙ୍କ ପଡ଼ୋଶୀ ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ମୃତକଙ୍କ ଦାଦା ଶିବ ପ୍ରସାଦ ସ୍ୱାଇଁ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ପୁତୁରା ରତ୍ନାକରଙ୍କୁ କେହି ଦୁବୃର୍ତ ହତ୍ୟାକରିଥିବାର ସେ ଅଭିଯୋଗ ଉଲ୍ଲେଖ କରିଛନ୍ତି । ତଦନ୍ତ ଜାରି ରହିଛି ଓ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଖୁବଶିଘ୍ର ହତ୍ୟା ରହସ୍ୟ ଜଣାପଡ଼ିବ ବୋଲି ପିପିଲି ଥାନା ଆଇଆଇସି ଶ୍ରୀ ନାୟକ କହିଛନ୍ତି ।
Comments are closed.