Odisha news

ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର ରେ ୬ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା ଭିଟାମାଟିକୁ ଫେରିଲେ ୩୩ ଉଦ୍ଧାର ଶ୍ରମିକ

ରାୟଗଡା : ଆନ୍ଧ୍ର ପ୍ରଦେଶର ଗୁଣ୍ଠୁର ଅଞ୍ଚଳର ଏକ ମାଛ ଓ ଚିଙ୍ଗୁଡ଼ି ୟୁନିଟରେ ଗତ ଗୁରୁବାର ରାତି ରେ ଅଗ୍ନିକାଣ୍ଡ ଘଟି ୬ଓଡ଼ିଆ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ତେବେ ସେଠାକାର ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ମୃତ ୬ ଓଡ଼ିଆ ଶ୍ରମିକଙ୍କ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ୫ ଜଣ ଥିଲା ବେଳେ ଗଜପତି ଜିଲ୍ଲାର ଜଣେ ରହିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ତାଙ୍କ ଟିମ ଗୁଣ୍ଠୁର ଯାତ୍ରା କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ । ଶବ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସେଠାରେ ହିଁ ବ୍ୟବଚ୍ଛେଦ କରି ସତ୍କାର କରାଯାଇଥିଲା । ପରେ ବିଧାୟକଙ୍କ ଉଦ୍ୟମ କ୍ରମେ ସେଠାରେ ଥିବା ଆଉ ୩୩ଜଣ ଦାଦନ ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ବସ ଯୋଗେ ଗୁଣୁପୁର ଅଭିମୁଖେ ଫେରାଇ ଅଣାଯାଇଛି ।

ଆଜି ଗୁଣୁପୁର ଠାରେ ମୋ ପରିବାର  ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ସଂଯୋଜକ ଅବନୀ ସାହୁ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ ଓ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ମୋ ପରିବାର ପକ୍ଷରୁ ଦଶ ହଜାର ଟଙ୍କା, ରେଡ୍କ୍ରସ ପକ୍ଷରୁ କୋଡିଏ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ସହାୟତା ରାଶି ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଥିଲା ।

ପୂର୍ବରୁ ଆନ୍ଧ୍ର ସରକାର ୩ ଲକ୍ଷ ଟଙ୍କା, ଓଡିଶା ସରକାର ୨ ଲକ୍ଷ ଟଙ୍କା ଓ କମ୍ପାନୀ ମାଲିକଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ଘୋଷଣା କରାଯାଇଛି । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ କାମଦାମ ମିଳୁନଥିବା, ଅଭାବ ଅନାଟନ ଯୋଗୁଁ ,ସ୍ଥାନୀୟ ଦଲାଲଙ୍କ ପ୍ରରୋଚନାରେ  ବାହାର ରାଜ୍ୟକୁ କାମ ପାଇଁ ଯାଇଥିବା ଫେରିଥିବା ଶ୍ରମିକ ମାନେ କହିଛନ୍ତି । ତେବେ ଏଥିରେ ୧୫ ନାବାଳକ ଛାତ୍ର ଥିବା ଓ ଅନଲାଇନରେ ପାଠ ପଢିବା ପାଇଁ ମୋବାଇଲର ଆବଶ୍ୟକ ଥିବାରୁ ରୋଜଗାର କରି ମୋବାଇଲ କିଣି ପାଠ ପଢିବା ପାଇଁ ବାହାରକୁ ଯାଇଥିବା କୁହାଯାଇଛି । ଏ ବିଷୟରେ ଶ୍ରମ ବିଭାଗ ପାଖରେ କିଛି ଖବର ନାହିଁ।  ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ଗୁଣପୁର ଏଲଓ ଆମକୁ ରିପୋର୍ଟ କରିବା ପରେ ଆପଣ ମାନଙ୍କୁ ପ୍ରଦାନ କରିବୁ ବୋଲି କହିଥିଲେ।

Comments are closed.