Odisha news

ଚାକିରୀ କରାଇଦେବା ନାମରେ ଯୁବଙ୍କୁ ଠକି ମହିଳା ଗିରଫ

ନୟାଗଡ଼ : ନୟାଗଡ଼ ଟାଉନଥାନା ପୋଲିସ୍ କଟକ ଅଞ୍ଚଳର ଜଣେ ଠକ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳାଙ୍କ ଠାରୁ ପୋଲିସ୍ ଲକ୍ଷାଧିକ ନଗଦ ଟଙ୍କା ଜବତ କରିଛି । ନୟାଗଡ଼ ଅଞ୍ଚଳର ଜଣେ ଯୁବକଙ୍କୁ ଚାକିରୀ କରାଇ ଦେବା ନାଆଁରେ ମହିଳା ଜଣକ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ପୋଲିସ୍ କାର୍ଯ୍ୟାନୁଷ୍ଠାନରେ ଚୌଦ୍ୱାର ଥାନା ଅଞ୍ଚଳର ଗାୟତ୍ରୀ ବେହେରାଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
ନୟାଗଡ଼ ଟାଉନ ଥାନା ନବଘନପୁର ଗାଁର ଯୁବକ କେଶବ ସାଥୁଆଙ୍କୁ ଚାକିରୀ କରାଇ ଦେବା କହି କଟକ ଚୌଦ୍ୱାର ଥାନା ଓଟିଏମ୍ କଲୋନୀର ଗାୟତ୍ରୀ ବେହେରା ଲକ୍ଷାଧିକ ଟଙ୍କା ନେଇଥିଲେ । ଚାକିରୀ ନ ମିଳିବାରୁ ଟଙ୍କା ଫେରସ୍ତ ପାଇଁ କେଶବ ବାରମ୍ବାର ଗାୟତ୍ରୀଙ୍କୁ କହି ନିରାଶ ହୋଇଥିଲେ । ଏନେଇ କେଶବ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ଟାଉନ ଥାନା ପୋଲିସ୍ ଘଟଣାରେ ଏକ ମାମଲା ଋଜୁ କରି ସଂପୃକ୍ତ ଠକ ମହିଳାଙ୍କୁ କଟକରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଠକ ମହିଳା ଗାୟତ୍ରୀ ବେହେରାଙ୍କ ଠାରୁ ନଗଦ ୨ଲକ୍ଷ ୬୫ ହଜାର ଟଙ୍କା ଜବତ କରାଯାଇଛି । ଯୁବକ କେଶବ ପରି ଠକ ମହିଳା ଆଉ କାହା ଠାରୁ ଠକେଇ କରିଛି ସେ ଦିଗରେ ପୋଲିସ୍ ଅନୁସନ୍ଧାନ ଚଳାଇ ଥିବା ପ୍ରକାଶ ।

Comments are closed.