Odisha news

ଲାଭଦାୟୀ ପଦ ଓ ନିର୍ବାଚିତ ପ୍ରତିନିଧି

ଭାରତ ଭଳି ଗଣତାନ୍ତ୍ରୀକ ରାଷ୍ଟ୍ରରେ ସମ୍ବିଧାନ ଏକ ବଳିଷ୍ଠ ଅସ୍ତ୍ର । ସମ୍ବିଧାନକୁ ଆଧାର କରି ଦେଶର ଶାସନ ବ୍ୟବସ୍ଥା ଚାଲି ଆସୁଅଛି । ଆମ ଦେଶର ବିଧି ବ୍ୟବସ୍ଥା ଉପରେ ସମସ୍ତ ନାଗରିକଙ୍କର ଅଖଣ୍ଡ ବିଶ୍ୱାସ ରହିଛି । ଯାହା ଫଳରେ ଦେଶର ଗଣତନ୍ତ୍ର ସୁଦୃଢ ରହିଛି ବୋଲି ଆମେ ମୁକ୍ତ କଣ୍ଠରେ କହି ପାରୁଛନ୍ତି । ଆମ ଦେଶର ଶାସନ ବ୍ୟବସ୍ଥା ତିନୋଟି ସ୍ତମ୍ବ ଉପରେ ଛିଡା ହୋଇଛି । ଦେଶ ବ୍ୟବସ୍ଥାପକ, ନ୍ୟାୟପାଳିକା ଓ କାର୍ଯ୍ୟପାଳିକାକୁ ନେଇ ଉତମ ସମ୍ପର୍କ ରଖି କାର୍ଯ୍ୟ କରୁଥିବା ହେତୁ ଏକ ପ୍ରଗତିଶିଳ ରାଷ୍ଟ୍ରର ମାନ୍ୟତା ପାଇଛି । ଦେଶର ପ୍ରାକ୍ ସ୍ୱାଧିନତାର ଅବସ୍ଥିତି ଓ ଆଜିର ଅବସ୍ଥିତି ଭିତରେ ଏକ ବିରାଟ ପରିବର୍ତନ ହୋଇପାରିଛି ।

ଭାରତକୁ ସ୍ୱାଧିନ କରିବାପାଇଁ ଯେଉଁ ମହାପୁରୁଷମାନେ ଉତ୍ସର୍ଗିକୃତ ଭାବେ କାର୍ଯ୍ୟ କରି ଆପ୍ରାଣ ସଂଗ୍ରାମ କରିଥିଲେ ଓ ସେମାନଙ୍କର ନିସ୍ୱାର୍ଥପର ସେବା ଯୋଗୁଁ ଭାରତବର୍ଷ ଆଜି ମୁଣ୍ଡ ଟେକି ଠିଆ ହୋଇପାରିଛି, ସେମାନଙ୍କର ବଳିଦାନ ଆଜି ସ୍ମରଣ କରିବାର ଆବଶ୍ୟକତା ରହିଛି । ସ୍ୱାଧିନ ପରେ ଦେଶ ଗଣତନ୍ତ୍ରକୁ ଆପଣେଇ ଆମେ ଚଳାଇବୁ ଦେଶ ଆମରି ନ୍ୟାୟରେ ସମ୍ବିଧାନ ପ୍ରଣୟନ କରି ସେହି ଖସଡାରେ ଦେଶର ଶାସନକୁ ଦୃଢିଭୁତ କରାଗଲା । ଆମ ଦେଶର ବିଜ୍ଞ ଲୋକମାନେ ଆଗକୁ ଆସି ଦେଶର ମଙ୍ଗ ଧରି ଦେଶକୁ ଆଗକୁ ନେବାରେ ସାରଥି ସାଜିଲେ । କ୍ରମେ ରାଜନୀତି ଏକ ପେଷା ରୂପେ କିଛି ଲୋକ ଗ୍ରହଣ କରି, ତାହାକୁ ନିଜର ଉପାର୍ଜନର ଏକ ମାଧ୍ୟମ ରୂପେ ଗ୍ରହଣ କରି ନେଲେ । ଫଳରେ ଦେଶରେ ନିର୍ବାଚନ ଲଢିବା ପାଇଁ ବିଜ୍ଞ ଲୋକମାନଙ୍କର ସଂଖ୍ୟା କମିଲା ଓ ଧନାଢ୍ୟ, ସ୍ୱାର୍ଥପର, ଅପରାଧିମାନଙ୍କର ସଂଖ୍ୟା ରାଜନୀତିରେ ବଢିଲା । କ୍ଷମତା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ପ୍ରତିଯୋଗିତା ହେଲା ଓ ନିର୍ବାଚନରେ ଅର୍ଥବଳ, ବାହୁବଳ ଓ ମିଥ୍ୟାବଳ ଦ୍ୱାରା କ୍ଷମତା ହାତେଇବାକୁ ରାଜନୀତିଆଙ୍କ ଭିତରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସଂଗ୍ରାମ ଚାଲିଲା ।

ନିର୍ବାଚନରେ ପ୍ରଚୁର ଅର୍ଥ ଖର୍ଚ୍ଚ କରି କ୍ଷମତା ହାତେଇବା ପରେ ସେହି ଅର୍ଥକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସଂଗ୍ରହ ପାଇଁ ବିଭିନ୍ନ ରାସ୍ତା ଖୋଜିବାରେ ରାଜନୀତିଆମାନେ ବ୍ୟଗ୍ର ହେଉଥିବା ଦେଖାଯାଉଛି । ଫଳରେ ସମ୍ବିଧାନ ଅନୁସାରେ କଣ କରିବାକୁ ହେବ ବା କଣ କରିବା ପାଇଁ ବାରଣ ରହିଛି, ତାହାକୁ ଜାଣିଥିଲେ ବି ଆଖି ବନ୍ଦ କରି ସ୍ୱାର୍ଥାନ୍ଧ ହେବାକୁ ନେତାମାନେ ଆଗଭର ହେଉଥିବା ଦୃଷ୍ଟିକୁ ଆସୁଛି । ସମ୍ବିଧାନ ଅନୁସାରେ ଜଣେ ସଂସଦର ସାଂସଦ ହେବାକୁ ହେଲେ ତାଙ୍କର ଯୋଗ୍ୟତାକୁ ଯେଭଳି ଭାବରେ ଆଲୋଚନା କରାଯାଇଛି, ସେହିଭଳି ଭାବରେ ସାଂସଦକୁ ଅଯୋଗ୍ୟ ଘୋଷଣା କରିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଆଜିର ଏହି ଆଲେଖ୍ୟରେ ଆମେ ସମ୍ବିଧାନରେ ଥିବା ସାଂସଦମାନଙ୍କୁ ଅଯୋଗ୍ୟ ପାଇଁ କି କି ବ୍ୟବସ୍ଥା ରହିଛି ତାରି ଉପରେ ଆଲୋଚନା କରିବା ।

ସମ୍ବିଧାନର ଅନୁଚ୍ଛେଦ ୧୦୨ରେ ରହିଛି ସାଂସଦମାନଙ୍କୁ କିଭଳି ଅଯୋଗ୍ୟ ଘୋଷଣା କରାଯାଇପାରିବ ଓ ଅନୁଚ୍ଛେଦ ୧୯୧ରେ ରହିଛି ରାଜ୍ୟମାନଙ୍କରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ପାଇଁ । ଅନୁଚ୍ଛେଦ ୧୦୨(୧) ଅନୁସାରେ ଜଣେ ସାଂସଦ ଯଦି ଭାରତ ସରକାର ବା କୌଣସି ରାଜ୍ୟ ସରକାରଙ୍କ ଅଧିନରେ ଲାଭଦାୟୀ ପଦରେ ରୁହନ୍ତି, ତେବେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ, କିନ୍ତୁ ରାଷ୍ଟ୍ରପତି ହିଁ ନିର୍ବାଚନ ଆୟୁକ୍ତଙ୍କ ମତାମତକୁ ନେଇ ଅଯୋଗ୍ୟ ଘୋଷଣା କରିବେ, ତା ପୂର୍ବରୁ ନୁହେଁ ।(ଅନୁଚ୍ଛେଦ-୧୦୩) ଦେଖାଯାଉଛି ଏବେ ସମ୍ବିଧାନକୁ ଆଖିଠାର ମାରିଲା ଭଳି କିଛି ସଦସ୍ୟ ଲାଭଦାୟୀ ପଦରେ ରହି କାର୍ଯ୍ୟ କରୁଛନ୍ତି ।

ଯାହାକି ପରବର୍ତି ମୁହୁର୍ତରେ ସେମାନଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୦୨ଅନୁଯାୟୀ ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହେବାକୁ ପଡିଛି । ରାଜ୍ୟସଭା ସାଂସଦ ବିଜୟସାଇ ରେଡ୍ଡିଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ନେଇ ଏକ ଦରଖାସ୍ତ ଦିଆଯାଇଥିଲା ଯେ ସେ ଆନ୍ଧ୍ରପ୍ରଦେଶ ସରକାରଙ୍କ ସ୍ୱତନ୍ତ୍ର ପ୍ରତିନିଧି ଭାବେ ଆନ୍ଧ୍ରପ୍ରଦେଶ ଭବନରେ ଦାୟିତ୍ୱ ନେଇଥିଲେ । ସେ ଆନ୍ଧ୍ରପ୍ରଦେଶର ଶାସକ ଦଳର ସାଂସଦ ଥିଲେ । ତାଙ୍କର ସେହି ପଦବିଟି ଲାଭଦାୟୀ ପଦ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ଯାହାହେଉ ନିର୍ବାଚନ ଆୟୁକ୍ତ ତାଙ୍କ ମତାମତରେ ଦେଇଥିଲେ ଯେ ସେ ସେଭଳି ଲାଭ କୌଣସି ପ୍ରକାର ଗ୍ରହଣ କରିନାହାନ୍ତି, ରାଜ୍ୟ ଅତିଥି ବ୍ୟତିରେକ କୌଣସି ଦରମା ବା ଗାଡିର ଲାଭ ପାଇନାହାନ୍ତି । ଏଣୁ ତାଙ୍କୁ ତାଙ୍କ ପଦବିରୁ ଅଯୋଗ୍ୟ ଅଗ୍ରାହ୍ୟ ହେଲା ।

ଲୋକ ପ୍ରତିନିଧିମାନେ କୌଣସି ପ୍ରକାର ଅନୁକମ୍ପା କାର୍ଯ୍ୟନିର୍ବାହୀଙ୍କଠାରୁ ଆଶା କରିବେ ନାହିଁ ବା ସେମାନଙ୍କ ଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି ସମ୍ବିଧାନ ପ୍ରଣେତା ଏହି ଅନୁଚ୍ଛେଦଟିକୁ ରଖିଥିବା ସମ୍ବିଧାନ ବିଶେଷଜ୍ଞଙ୍କ ମତ । ଅନ୍ୟ ପକ୍ଷରେ କହିବାକୁ ଗଲେ ସରକାରଙ୍କ କୌଣସି ପ୍ରକାର ସାହାଯ୍ୟ ବା ଚାପକୁ ନ ଦେଖିି ସାଂସଦ ବା ବିଧାୟକ ମୁକ୍ତ ଭାବରେ କାର୍ଯ୍ୟ କରିବେ । ଲାଭଦାୟୀ ପଦ ବିଷୟରେ ଲୋକ ପ୍ରତିନିଧି ଆଇନ ୧୯୫୧ରେ ସେଭଳି କୌଣସି ସଙ୍ଗ୍ୟା ଦେଇନାହିଁ । ଫଳରେ ଏହାର ସଙ୍ଗ୍ୟା ସମ୍ପୁର୍ଣ୍ଣ ଭାବରେ ନ୍ୟାୟପାଳିକାର ମତାମତ ଆଧାରରେ କରାଯାଉଥିବା ଜଣାଯାଉଛି ।

ଦିଲ୍ଲୀର ୨୦ ଜଣ ଆମ ଆଦମୀ ପାର୍ଟିର ସଦସ୍ୟଙ୍କୁ ଲାଭ ଦାୟୀ ପଦରେ ଥିବା ହେତୁ ୨୦୧୮ ମସିହା ଜାନୁୟାରୀ ମାସରେ ସେମାନଙ୍କୁ ଅଯୋଗ୍ୟ କରିବା ପାଇଁ ନିର୍ବାଚନ ଆୟୁକ୍ତ ଅନୁମୋଦନ କରିଥିଲେ । ଫଳରେ ସେମାନଙ୍କୁ ସଂସଦିୟ ସଂପାଦକ ପଦରୁ ଅବ୍ୟାହତି ନେବାକୁ ପଡିଥିଲା । ସେହିଭଳି ଅଗଣତାନ୍ତ୍ରିକ ଭାବେ ଆଗରୁ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗନା, ନାଗାଲାଣ୍ଡ, ମେଘଳୟ, ଅରୁଣାଚଳ ପ୍ରଦେଶ, ପଞ୍ଜାବ, ମିଜୋରାମ ଓ ମଣିପୁର ଆଦି ରାଜ୍ୟମାନଙ୍କରେ ଏହିଭଳି ଲାଭଦାୟୀ ପଦରେ ସଦସ୍ୟମାନେ ରହିଥିବାର ନଜିର ରହିଛି । ପଶ୍ଚିମବଙ୍ଗ, ତେଲେଙ୍ଗନା ଓ ପଞ୍ଜାବର ଉଚ୍ଚ ନ୍ୟାୟାଳୟ ଏହାକୁ ଅଗଣତାନ୍ତ୍ରିକ କହି ସମସ୍ତ ନିଯୁକ୍ତିକୁ ବାତିଲ କରିଥିଲେ । କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ କିନ୍ତୁ ନିଯୁକ୍ତିକୁ କୌଣସି ଆଦେଶ ନ ଦେଇ ଆଜିଯାଏ ଝୁଲାଇ ରଖିଛି । ରାଜସ୍ଥାନ ସରକାର ୨୦୧୭ ମସିହାରେ ଏକ ବିଲ ପାସ କରି ଏହାକୁ ସାମ୍ବିଧାନିକ ବୋଲି ବିବେଚନା କରୁଛି, ଯାହାକି ଅଦାଲତରେ ତାର ବୈଧତା ନେଇ ଚ୍ୟାଲେଞ୍ଜ କରାଯାଇଛି ।

ଏସବୁ ଆଲୋଚନାର ମୂଳ ଆଧାର ହେଲା ଏବେ ରାଜ୍ୟ ସରକାର କିଛି ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ବିରୋଧର ଶରବ୍ୟ ହୋଇଛି । ରାଜସ୍ଥାନ ସରକାରଙ୍କ ଭଳି ଓଡିଶା ସରକାର ଆଇନର ସଂଶୋଧନ କରି ଏଭଳି ପଦକ୍ଷେପ ନେଇଛି । କିନ୍ତୁ ସୁପ୍ରିମ କୋର୍ଟ ଆସାମ ସଂସଦିୟ ସଂପାଦକ(ନିଯୁକ୍ତି, ଦରମା, ଭତା ଓ ଅନ୍ୟାନ୍ୟ ସୁବିଧା) ଆଇନକୁ ରଦ୍ଦ କରିଦେଇ ଥିବାରୁ ଏହାର ବୈଧତା ନେଇ ସନେ୍ଦହ ଉପୁଜିଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କୁ ରାଜ୍ୟ ପାହିଆ ମନ୍ତ୍ରୀର ସମସ୍ତ ସୁବିଧା ସୁଯୋଗ ମଧ୍ୟ ଦିଆଯାଉଛି । ଏଠାରେ ଆଉ ଗୋଟିଏ କଥା ମଧ୍ୟ ମୁଣ୍ଡକୁ ଆସୁଛି ଯେ ଓଡିଶା ସରକାରଙ୍କ ଅଧିନରେ କେତେ ଜଣ ମନ୍ତ୍ରୀ ରହିବା କଥା ଓ ସେମାନଙ୍କ ବାଦ ଆଉ କେତେଜଣଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀର ମର୍ଯ୍ୟଦା ପ୍ରଦାନ କରିଛନ୍ତି ।

ରାଜ୍ୟର ବିଧାନସଭାର ସଂଖ୍ୟାକୁ ଦେଖିଲେ ଓଡିଶାର ମନ୍ତ୍ରୀ ସଂଖ୍ୟା ଅଧିକ ଅଛନ୍ତ, ତା’ବାଦ ଏଭଳି ଘୋଷିତ ମନ୍ତ୍ରୀ ପନ୍ଦରରୁ ଅଧିକ । ଏହା ଦ୍ୱାରା ଆମ ରାଜ୍ୟର ରାଜସ୍ୱର କ୍ଷତି ଘଟୁଛି । କୌଣସି କାରଣ ନ ଥାଇ ମନ୍ତ୍ରୀ ପଦରେ ବସାଇ ରାଜ୍ୟ ଅର୍ଥକୋଷକୁ ବେଅର୍ଥରେ ଖର୍ଚ୍ଚ କରାଯାଉଛି । ଏଭଳି ତୁଷ୍ଟି କରଣ ରାଜନୀତି ଓଡିଶାବାସୀଙ୍କ ପେଟକୁ ନାତ ମାରିଲା ଭଳି ଲାଗୁଛି । ଏଣୁ ସରକାର ଏ ହିନ ରାଜନୀତିରୁ ନିଜକୁ ଦୂରେଇ ରଖି ଦେଶର ହିତ ପାଇଁ ଜନସେବାରେ ଅର୍ଥ ବିନିଯୋଗ କଲେ ଓଡିଶାବାସୀ ଉପକୃତ ହେବା ସହ ରାଜ୍ୟର ମଙ୍ଗଳ ହେବ ।

Comments are closed.