ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ସମୁଦାୟ ୪୨ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି । ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ସୂଚନା ଫଳକ ଲଗାଯିବା ସହିତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଉଛି । କଲେଜ ବାଇପାସ ଛକ , କୋରିଆଁ ବାଇପାସ ଛକ ଏବଂ ଏହି ମଧ୍ୟରେ ଥିବା ମହିଷାପାଟ ବାଇପାସ ଛକ ଓ କଂଟାନାଳି ବାଇପାସ ଛକ ଠାରେ ଦୁର୍ଘଟଣାକୁ ରୋକିବା ସହିତ ଜନସାଧାରଣଙ୍କ ଯାତାୟତର ସୁବିଧା ନିମନ୍ତେ ସାଇନେଜ ବୋର୍ଡ, ସ୍ପିଡ ଲିମିଟ ବୋର୍ଡ ଲଗାଯିବା ସହିତ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯିବାକୁ ଆଲୋଚନା ହୋଇଥିଲା ।
ଖାଲହୋଇ ନଷ୍ଟ ହୋଇଯାଇଥିବା ରାସ୍ତା ଗୁଡିକର ଆବଶ୍ୟକ ମରାମତି ନିମନ୍ତେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଜାତୀୟ ପଥକୁ ସଂଯୋଗ କରୁଥବା ଜିଲ୍ଲାର ସମସ୍ତ ଛକ ଗୁଡିକରେ ଦୁର୍ଘଟଣା ରୋକିବା ନିମନ୍ତେ ସାଇନେଜ, ରମ୍ବଲର ବ୍ୟବସ୍ଥା ଅନ୍ୟାନ୍ୟ ବ୍ୟବସ୍ଥାକୁ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ଧନଜୀବନକୁ ରକ୍ଷା କରିବା ନିମନ୍ତେ ପ୍ରମୂଖ ଛକ ସ୍ଥାନ ମାନଙ୍କରେ ପୋଲିସ, ଆଂଚଳିକ ପରିବହନ ମିଳିତ ଭାବେ ତନଖି କରିବା, ମାଲ ବୋଝେଇ ଗାଡିଗୁଡିକ ଉପରେ ଅଧିକ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।
୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସଦର ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡିଏସପି ଶ୍ରୀମତୀ ହରପ୍ରିୟା ନାୟକ,ଆଂଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମାଝୀ, ଜିଲ୍ଲା ସଡକ ସୁରକ୍ଷା କମିଟିର ସଦସ୍ୟ ତଥା ସାମ୍ବାଦିକ ପ୍ରଦୁ୍ୟମ୍ନ ରଥ, ଡିଷ୍ଟ୍ରିକ୍ଟ ରାପିଡ ରେସ୍ପୋନ୍ସ ଟିମର ସଂଯୋଜକ ତଥା ଜିଲ୍ଲା ରେଡକ୍ରସ ସୋସାଇଟର ଉପସଭାପତି ବିରଂଚି ନାରାୟଣ ପାଣି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଆଂଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ଶେଷରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ମାଝି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.