ବାରିପଦା : ସ୍ୱାଧୀନତାର ୭୪ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ପକ୍କା ସଡକନଥିବାରୁ ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ କାଶିପାଳ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଦୁଇ କିଲୋମିଟର ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ନିକଟକୁ ନେବା ସମୟରେ ରାସ୍ତାରେ ପ୍ରସବ କରିବାପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ, ଗାଁକୁ ପକ୍କା ସଡକନଥିବାରୁ ଅଧାବଟାରେ କାଦୁଅ ମଝିରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ତେଣୁ ଉପାୟନପାଇ ଗାଁ ଲୋକେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ବର୍ଷାରେ ଦୁଇ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ହେଲେ ଆମ୍ବୁଲାନ୍ସ ନିକଟକୁ ପହଞ୍ଚିବା ପୂର୍ବରୁ ସେ ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ତାଙ୍କୁ ସେ ଆମ୍ବୁଲାନ୍ସରେ ଅଣାଯାଇ ଯଶିପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଉଭୟ ମାଆ ଓ ସଦ୍ୟଜାତ ଶିଶୁସନ୍ତାନ ସୁସ୍ଥ ଥିବା ଜଣାପଡିଛି ।
ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାକୁ ଘନଘନ ଗସ୍ତରେ ଆସୁଛନ୍ତି ସରକାରୀ ବେସରକାରୀ ଦଳର ରାଜ୍ୟସ୍ତରୀୟ ନେତା, ଶୁଣାଉଛନ୍ତି ବିକାଶର କଥା । ହେଲେ ବିକାଶ ଅଟକିଛି ସହରରେ, ପଶି ପାରୁନାହିଁ ଗାଁକୁ । ଅନ୍ୟପଟେ ଗ୍ରାମଠାରୁ ଆରମ୍ଭ କରି ସହର ସବୁଠି ଉପସ୍ଥିତି ରହିଛି କ୍ଷମତାସୀନ ଦଳର ପର୍ଯ୍ୟବେକ୍ଷକ । ଆଗକୁ ଆସୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବା ଲକ୍ଷ୍ୟରେ ଦଳକୁ ଏକଜୁଟ୍ କରିବାରେ ଲଗାଉଛନ୍ତି କୌଶଳ । ହେଲେ ଆଜିବି ଜିଲ୍ଲାରେ ରାସ୍ତା ଅଭାବ ଭଳି ସମସ୍ୟାରେ ନିରିହ ଗ୍ରାମବାସୀ ଅସହାୟ ଜୀବନ ଜିଉଁଥିବା ବେଳେ ସମାଧାନ କରିବା ଦିଗରେ ଅଣ୍ଟା ଭିଡି ସର୍ବନିମ୍ନ ମୌଳିକ ଅଧିକାରର ସୁବିଧା ଯୋଗାଇ ଦେବା ବଦଳରେ କ୍ଷମତା ହାତେଇବା ପାଇଁ ଆରମ୍ଭ ହୋଇଛି ଏବେଠୁ ଅଙ୍କକଷା । ତେବେ ଗାଁକୁ ଭଲ ରାସ୍ତା ଅଭାବରୁ ଯାଇପାରୁନି ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ବୁହା ହେଉଛି ଖଟିଆରେ ଏହିଭଳି ସମ୍ବେଦନଶୀଳ ଘଟଣା ଏକ ସଭ୍ୟସମାଜ, ଜିଲ୍ଲାପ୍ରଶାସନ ଏବଂ ରାଜ୍ୟସରକାରଙ୍କ ପାଇଁ ଏହାଠୁ ବଳି ଲଜ୍ୟାଜନକ ଘଟଣା ଆଉ କଣ ହୋଇପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଉଛି ।

Comments are closed.