ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ଥାବ ଉପରେ ବୈଠକ ପାଇଁ ପ୍ରଶାସନିକସ୍ତରରେ ନିଷ୍ପତ୍ତିଗ୍ରହଣ ହୋଇଛି । ଆସନ୍ତା ଅଗଷ୍ଠ ୧୭ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଅନାସ୍ଥା ବୈଠକ ଅନୁଷ୍ଠିତ ହେବ । ଶୁକ୍ରବାର ଏନେଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭାପୁର ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ଥାବ ଆବେଦନ ପ୍ରଶାସନିକ ସ୍ତରରେ ଗ୍ରହଣ ହୋଇଛି । ଅନାସ୍ଥା ପ୍ରସ୍ଥାବ ଉପରେ ଆଲୋଚନା ଓ ମତ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଅଗଷ୍ଠ ୧୭ ତାରିଖ କୁ ବୈଠକ ଡକାଯାଇଛି । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନାସ୍ଥା ବୈଠକ ସଂପର୍କରେ ଶୁକ୍ରବାର ଦିନ ବିଧିବଦ୍ଧ ବିଜ୍ଞପ୍ତି ଜାରୀ କରିଛି । ଭାପୁର ପଞ୍ଚାୟତ ସମିତି ଅଧିନରେ ରହିଛି ୨୦ଟି ପଞ୍ଚାୟତ । ସେଥିରେ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ସଂଖ୍ୟା ୪୦ ରହିଥିବା ବେଳେ ସ୍ଥାନୀୟ ବିଧାୟକ ଓ ଏମ୍ ପି ଙ୍କୁ ମିସାଇ ସଦସ୍ୟଙ୍କ ସଂଖ୍ୟା ୪୨ ହୋଇଛି । ଅନାସ୍ଥା ପ୍ରସ୍ଥାବ ବୈଠକ କୋରମ ପାଇଁ ଦୁଇ ତୃତୀୟାଶଂ ସଦସ୍ୟଙ୍କ ଉପସ୍ଥିତି ଆବଶ୍ୟକ ।
ସେହିପରି ଅନାସ୍ଥା ସପକ୍ଷରେ ମଧ୍ୟ ଦୁଇ ତୃତୀୟାଶଂ ସଦସ୍ୟଙ୍କ ସହମତିରେ ଅନାସ୍ଥା ପ୍ରସ୍ଥାବ ଗୃହିତ ହେବାର ନିୟମ ରହିଛି । ଫଳରେ ଭାପୁର ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ଥାବ ବୈଠକର ଆଲୋଚନା ପାଇଁ ସର୍ବନିମ୍ନ ୨୮ଜଣ ସଦସ୍ୟଙ୍କ ଉପସ୍ଥିତି ଆବଶ୍ୟକ ଥିବା ବେଳେ ଅନାସ୍ଥା ସପକ୍ଷରେ ଅନୁ୍ୟନ୍ୟ ୨୮ଜଣ ସଦସ୍ୟଙ୍କ ମତ ବିନା ଆଗତ ପ୍ରସ୍ଥାବ କାର୍ଯ୍ୟକାରି ହୋଇ ପାରିବ ନାହିଁ । ଏପରି ସ୍ଥିତିରେ ଅଗଷ୍ଟ ୧୭ ତାରିଖରେ ହେବାକୁ ଥିବା ଅନାସ୍ଥା ବୈଠକରେ ସଦସ୍ୟଙ୍କ ଉପସ୍ଥିତି ଆଗତ ଅନାସ୍ଥା ପ୍ରସ୍ତାବର ରୂପରେଖ ସ୍ଥିର କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।
ସେପଟେ ଭାପୁର ବ୍ଲର ଅଧ୍ୟକ୍ଷା ଶାନ୍ତିଲତାଙ୍କୁ ଉପେକ୍ଷା କରି ଉପାଧ୍ୟକ୍ଷ ଗୟାଧର ପରିଡ଼ା ବର୍ଷ ବର୍ଷ ଧରି ଅଧ୍ୟକ୍ଷାଙ୍କ ନାମରେ ଜାଲ ଦସ୍ତଖତ କରି କୋଟି କୋଟି ଟଙ୍କାର ଉନ୍ନୟନ ମୂଳକ ଅର୍ଥ ଆତ୍ମସାତ କରିଥିବା ଶାନ୍ତିଲତା ନିଜେ ଅଭିଯୋଗ କରିଥିଲେ । ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ ଅଧ୍ୟକ୍ଷା ଥାନାରେ ଏତଲା ଦେବା ସହିତ ନୟାଗଡ଼ ଜିଲ୍ଲାପାଳ, ଭିଜିଲାନ୍ସ ବିଭାଗ ଏପରିକି ରାଜ୍ୟ ସରକାରଙ୍କ ନିକଟରେ ଆପତ୍ତି କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଉପାଧ୍ୟକ୍ଷଙ୍କ କିଛି ସମର୍ଥକ ଅନାସ୍ଥା ପ୍ରସ୍ଥାବ ଆଗତ କରିଥିବା ଅଧ୍ୟକ୍ଷା ପ୍ରକାଶ କରିଛନ୍ତି । ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ଜାଲିଆତିର ତଦନ୍ତ କରାଗଲେ ଅନେକ ପ୍ରଶାସନିକ ଅଧିକାରୀଙ୍କ ମୁଖା ଖୋଲିଯିବା ଭୟରେ ତା’ଙ୍କୁ ଅଧ୍ୟକ୍ଷା ପଦବୀରୁ ହଟାଇବାକୁ ଏହା ଯୋଜନାବଦ୍ଧ ଉଦ୍ୟମ ବୋଲି ଅଧ୍ୟକ୍ଷା ଶାନ୍ତିଲତା ପ୍ରକାଶ କରିଛନ୍ତି । ଏ ଦିଗରେ ପ୍ରଶାସନିକ ନିରପେକ୍ଷତାକୁ ନେଇ ମଧ୍ୟ ଅଧ୍ୟକ୍ଷା ଶାନ୍ତିଲତା ଅନେକ ପ୍ରଶ୍ନ ଉଠାଇଛନ୍ତି ।
Next Post
Comments are closed.