ପ୍ରଦୋଷ କୁମାର ଦାସ : ଗତ ୨୦୧୯ ଶେଷାର୍ଦ୍ଧରୁ ଅଦ୍ୟାବଧି ମହାମାରୀ କରୋନା ( କୋଭିଡ-୧୯)ର କବଳରେ ସାରା ବିଶ୍ବ ପ୍ରଭାବିତ ହୋଇ ଚାଲିଛି। ଏ ମଧ୍ୟରେ ଗତ ୨୦୨୦ ମସିହାର ପ୍ରଥମ ଲହରରେ କୋଟିଏରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକ ମୃତ୍ୟୁ ବରଣ କରିସାରିଛନ୍ତି। ଚଳିତ ବର୍ଷ ୨୦୨୧ ରେ ମାସେ ଦୁଇମାସ ବ୍ୟବଧାନରେ ପୁଣି ୨ୟ ଲହର ଆସିଗଲା। ଅଦ୍ୟାବଧି ଏହି ୨ ୟ ଲହର ତାର କରାଳ ପ୍ରଭାବରେ ଜନଜୀବନକୁ ବେଶ ପ୍ରଭାବିତ କରିଚାଲିଛି। ଏଥିରେ ସାରା ବିଶ୍ବରେ ଆମ ଭାରତର ଅବସ୍ଥା ଅତି ଦୟନୀୟ କହିଲେ ଅତ୍ୟୁକ୍ତି ହେବନାହିଁ । ଆମ ଭାରତରେ କରୋନା ଭୂତାଣୁ ( ଡେଲଟା ଭୂତାଣୁ) ତଥା କରୋନାର ବିଭିନ୍ନ ଭାରିଆଣ୍ଟ ଭୂତାଣୁ ପ୍ରତି ସମୟରେ ତାର ସ୍ବଭାବ ବଦଳାଇ ଚାଲିଛି। ନିତି ଏଥିରେ ହଜାର ସଂଖ୍ୟାରେ ସଂକ୍ରମିତ ଓ ମୃତ୍ୟୁବରଣ କରୁଥିବାବେଳେ ସଂଖ୍ୟାଧିକ ପରିବାର ଉଜୁଡିଚାଲିଛି। ଏଥିରେ ପୁଣି ବ୍ଲାକ ଫଙ୍ଗସ,ହ୍ବାଇଟ ଫଙ୍ଗସ, ୟେଲୋ ଫଙ୍ଗସ ନିପୀଡିତଙ୍କ ସମସ୍ୟାରେ ଉବୁଟୁବୁ ମଣିଷ।
ଆମ ଭାରତରେ ପ୍ରତିଦିନ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ନୂଆ ନୂଆ ଅଂଙ୍କ ଯୋଡି ହୋଇ ସମୁଦାୟ ପ୍ରଭାବିତଙ୍କ ସଂଖ୍ୟା ବଢିଚାଲିଛି। କେବେ ଏଥିରେ ବିରାମ ଲାଗିବ ବୋଲି ହାହୁତାଶରେ ଧନୀରୁ ଗରିବ ସଭିଁଏଁ ଭାଳି ହେଉଛନ୍ତି। ପରିସ୍ଥିତି ଏପରି ହୋଇଛିଯେ କରୋନା ପୀଡିତଙ୍କ ଆଶୁ ଚିକିତ୍ସା ପାଇଁ ଅନେକ ଡାକ୍ତରଖାନାରେ ଶଯ୍ୟାଟିଏ ମଧ୍ୟ ମିଳୁନାହିଁ। କେଉଁଠି ଅମ୍ଳଜାନ ଅଭାବରୁ ଏକକାଳୀନ ଏକାଧିକ ରୋଗୀଙ୍କର ମୁଲ୍ୟବାନ ଜୀବନ ଯାଉଛି ତ, କେଉଁଠି ତ୍ବରିତ ଚିକିତ୍ସା ଅଭାବରୁ ରୋଗୀଙ୍କର ଅକାଳ ଜୀବନ ଚାଲି ଯାଉଛି। ଏସବୁ ମଧ୍ୟରେ ସାରା ଭାରତବର୍ଷରେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ଶୃଙ୍ଖଳକୁ ଛିନ୍ନ କରିବାକୁ ଲକ ଡାଉନ ଓ ସଟଡାଉନ ପରି କଟକଣା ଜାରି କରାଯାଇ ପରିସ୍ଥିତିକୁ ଆୟତ୍ତକୁ ଚେଷ୍ଟା କରାଯାଉଛି। ଗତବର୍ଷ ପ୍ରଥମ ଲହର ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀତ ଦଫା ଦଫା ହୋଇ ମାସାଧିକ କାଳ ଲକ ଡାଉନ ଓ ସଟ ଡାଉନ ପଦକ୍ଷେପରେ ସମଗ୍ର ଭାରତବର୍ଷ ଅଚଳ ଓ ଠପ୍ ହୋଇଯାଇଥିଲା। ଗତ ୨୦୨୦ ଶେଷ ମାସ ଓ ଚଳିତ ୨୦୨୧ ପ୍ରାରମ୍ଭ ମାସଟି ମଧ୍ୟରେ ପରିସ୍ଥିତି ଆୟତ୍ତକୁ ଆସିଲା ବୋଲି ଜନଜୀବନ ଅଣ୍ଟା ସଳଖ କରୁ କରୁ ଚଳିତ ମାର୍ଚ୍ଚ ମାସ ଆରମ୍ଭରୁ ପୁଣି କରୋନାର ୨ ୟ ଲହର ସଂକ୍ରମଣ ଦୃତ ଗତିରେ ମାଡି ଆସିଲା। ଏହି ୨ୟ ଲହର ଶୃଙ୍ଖଳ ଛିନ୍ନ କରିବାକୁ ସାରା ଦେଶର ବିଭିନ୍ନ ରାଜ୍ୟରେ ଉପରୋକ୍ତ ଲକ ଡାଉନ ଓ ସଟ ଡାଉନ ପରି କଟକଣା ପୁଣି ଜାରି ହୋଇଯାଇଛି। ଫଳରେ ଆଜି ସାରା ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିଭିନ୍ନ ବାଣିଜ୍ୟିକ କାରବାର ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବିପଣନ ପରି ଦେଶର ଆର୍ଥିକ କ୍ଷେତ୍ରରେ ଏହି ଅଚଳାବସ୍ଥା ଗୁରୁ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି।
ତାଲା ବନ୍ଦ ଅଚଳାବସ୍ଥାରେ ଉତ୍ପାଦନକ୍ଷେତ୍ର ଗଭୀର ପ୍ରଭାବିତ ହୋଇଛି।ସାମାଜିକ ଦୂରତା ଅବଲମ୍ବନ କାରଣରୁ ବିଭିନ୍ନ କର୍ମ ସଂସ୍ଥାନରେ ଛଟେଇ ନିୟମିତ ଚାକିରିଆଙ୍କ ଉପରେ ଚଡକ ପକାଇଛି। ଶ୍ରମିକ,କର୍ମଜୀବୀ, ମୂଲିଆଙ୍କୁ ଉପାର୍ଜନ ପାଇଁ କର୍ମକ୍ଷେତ୍ର ସଂକୁଚିତ ହୋଇଯାଇଛି। ମୂଲମଜୁରୀ ଖୋଜିବା ଏବେ ଦୂରୁହ ବ୍ୟାପାର ହୋଇଗଲାଣି। ଉପାର୍ଜନ ହରାଇ ଅଭାବୀ ଲୋକେ ଅର୍ଦ୍ଧାହାର ଓ କ୍ଷୁଧାତୁର ଅବସ୍ଥାରେ ପଡିଲେଣି। ସପ୍ତାହନ୍ତ ସଟଡାଉନ ଫଳରେ ଶନିବାର ଓ ରବିବାର ପରେ ତାଲା ବନ୍ଦ କୋହଳ ବେଳେ ନିତ୍ୟବ୍ୟବହାର୍ଯ୍ୟ ଦୋକାନ ବଜାରର ସୀମିତ ସମୟ କାରବାର ମଧ୍ୟରେ ଉଭୟ ଗରାଖ ଓ ବେପାରୀଙ୍କ ମଧ୍ୟରେ ମାତ୍ରାଧିକ ଆତୁରତା ଅଯଥା ଭିଡକୁ ଉତ୍ସାହିତ କରୁଛି। ଫଳରେ ସାମାଜିକ ଦୂରତା କ୍ଷୁର୍ଣ୍ଣ ହୋଇ ସଂକ୍ରମଣ ଶୃଙ୍ଖଳକୁ ମଜଭୂତ କରିବାରେ ଲାଗୁଛି। କେମିତି ସଂକ୍ରମଣ ହ୍ରାସ ପାଇବ, ଏବେ ଚିନ୍ତାର ବିଷୟ ହୋଇଛି। ଏ ମଧ୍ୟରେ ସମସ୍ତଙ୍କ ଅଲକ୍ଷ୍ୟରେ ଭୋକ ଓ ଭୂତାଣୁର ଅହେତୁକ ସଂଘାତ ମଧ୍ୟ ଚାଲିଛି।
କରୋନା ଆଳରେ ଦରଦାମ ନିୟନ୍ତ୍ରଣ ତଥା ବଜାର ନୀରିକ୍ଷଣ କରିବାକୁ ସରକାର, ପ୍ରଶାସନକୁ ତର ନାହିଁ। ସ୍ଥଳ ବିଶେଷରେ ପୋଲିସ ପ୍ରଶାସନ ଅନେକ କ୍ଷେତ୍ରରେ ପ୍ରିୟାପ୍ରିତି ଦେଖି କେବଳ ତାଲା ବନ୍ଦ କଟକଣାକୁ ଦେଖିନଦେଖିଲା ଭଳି ଜଗି ବସିଛନ୍ତି। ପଛ କବାଟରେ ବଡ ଦୋକାନୀର ସମୟ ବାହାରେ ବେପାର ଚାଲିଥିବା ବେଳେ କଟକଣା ସମୟ ବାଦେ ଛୋଟ ଉଠା ଦୋକାନୀଟି କାହିଁକି ବନ୍ଦ କରିନି ବୋଲି ଅଭିଯୋଗରେ ଦଣ୍ଡିତ ହେଉଛି। ଚାଲାକି ଚତୁର ଅସାଧୁ ବେପାରୀ ସୀମିତ ସମୟରେ ବହୁ ବେପାର କରିବାରେ ମତଲବ ରଖୁଛି। ଏହାର ସୁଯୋଗରେ ତାଲାବନ୍ଦ ସୀମିତ କୋହଳ ସମୟ ଅବଧି ମଧ୍ୟରେ ବିକଳିଆ କରାଇ ଭିଡ ମଧ୍ୟର ଗରାଖଙ୍କୁ ସୁଚିନ୍ତିତ ମନରେ ଭଲମନ୍ଦ ବୁଝି ଦର କଷି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ କରିବାକୁ ସର୍ବନିମ୍ନ ଫୁରୁସତ ଦେଉନାହିଁ। ବିକଳବ୍ୟସ୍ତ ଗରାଖ ଆଖିରେ ଆଂଗୁଠି ଖୁଞ୍ଚି ଓଜନରେ ଠକିବାଠାରୁ ଆରମ୍ଭ କରି ଅପମିଶ୍ରିତ ସାମଗ୍ରୀର ବେପାର ବିପଣନ କରି ଅସାଧୁ ବେପାରୀ ଏସମୟରେ ବେଶ ମୁନାଫା କମାଉଥିବା ଜଣାଯାଇଛି।
ପ୍ରତିବାଦ କଲେ ମଧ୍ୟ କିଏ ବା କାହାକୁ ନ୍ୟାୟ ଦେଉଛି? ବଞ୍ଚିବା ପାଇଁ ସର୍ବନିମ୍ନ ରାସନ ସାମଗ୍ରୀ ସଂଗ୍ରହ କରି ଯେନତେନ ଉପାୟରେ ଚଳିଯିବା ନ୍ୟାୟରେ ଏବେ ସର୍ବସାଧାରଣ ବିନା ପ୍ରତିବାଦରେ କାଳ କାଟିଚାଲିଛନ୍ତି। କରୋନା ଆଳରେ କାହାର ପୁଷ ମାସ ତ, ଆଉ କାହାର ସର୍ବନାଶ ଚାଲିଛି। କରୋନା ଏବେ ଜୀବନ ଓ ଜୀବିକାର ସବୁ କ୍ଷେତ୍ରରେ ଗଭୀର ପ୍ରଭାବ ପକାଇଚାଲିଛି। କାମଧନ୍ଦା ନପାଇ ମୂଲମଜୁରୀଆ ଓ ନିମୂନ ମଧ୍ୟବିତ୍ତ ଙ୍କ ଅବସ୍ଥା ବେହାଲ। ସେହିପରି ମଧ୍ୟବିତ୍ତଙ୍କ ଅବସ୍ଥା କହିଲେ ନସରେ। କରୋନା ପ୍ରଭାବରେ ତାଲାବନ୍ଦ ଜନୀତ ସମସ୍ୟାରେ ଯୁଝି ହୋଇ ସାଧାରଣ ମଣିଷ ରୋଜଗାର ଅଭାବରୁ ଦରିଦ୍ର ସୀମାରେଖା ତଳକୁ ଖସିଚାଲିଛନ୍ତି। ମାସ ମାସ ଧରି ରୋଜଗାରର ମାଧ୍ୟମ ହରାଇ ବହୁ ଲୋକ ଏବେ ହାହୁତାଶରେ ଜୀବନ କଟାଉଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ , ପ୍ରଥମ ଲହର ପରେ ୨ ୟ ଲହର ହେଲା, ତାପରେ ଶୁଣାଯାଉଛି କରୋନାର ଖୁବଶୀଘ୍ର ୩ୟ ଲହର ଆସିବ। ଏଥିରେ କାଳେ ପୁଣି ସଂକ୍ରମଣ ଓ ମୃତ୍ୟୁ ତାର ତାଣ୍ଡବ ରଚିବ। ତେବେ ଏହାର ଅନ୍ତ କେବେ ହେବ? ପରିସ୍ଥିତି କେବେ ସ୍ବଭାବିକ ହେବ? କରୋନା ଭୂତାଣୁ ଅପେକ୍ଷା କରୋନା ଅଚଳାବସ୍ଥା ଜନୀତ ସୃଷ୍ଟ ଆର୍ଥିକ ମାନ୍ଦାବସ୍ଥା କାରଣରୁ ବେରୋଜଗାରୀ ଜନୀତ କ୍ଷୁଧା ଜର୍ଜରିତ ପ୍ରତିଟି ମଣିଷର ଭୋକ ସର୍ବାଧିକ ମରଣାନ୍ତକ ବୋଲି ଏବେ ସାଧାରଣରେ ପ୍ରକାଶ ପାଇଲାଣି।
ଗଣ ଟିକାକରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ହୋଇପାରିନଥିବାରୁ ସବୁ ବୟସର ବର୍ଗଙ୍କ ପାଇଁ କରୋନା ସଂକ୍ରମଣକୁ ପ୍ରତିହତ ନିମନ୍ତେ ଏଯାଏଁ ବାଟ ପ୍ରଶସ୍ତ ହୋଇପାରିନି। କରୋନା ଅଚଳାବସ୍ଥା ଭାରତରେ ଦିନକୁ ଦିନ ଖାଦ୍ୟ ସଂକଟ ଆଡକୁ ଅଗ୍ରସର ହେଉଥିବା ଆଶଙ୍କା ସୃଷ୍ଟି ହେଉଛି। ବଜାର ବନ୍ଦ, କର୍ମ ସଂସ୍ଥାନ ବନ୍ଦ ଜନୀତ ସଭସ୍ୟାରେ ଉବୁଟୁବୁ ଅସହାୟ ଉପାର୍ଜନ ଶୁନ୍ୟ ମଣିଷ ଦୈନନ୍ଦିନ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଭବିଷ୍ୟ ସଂଚୟ ପାଣ୍ଠିକୁ ବିନିଯୋଗ କରିସାରିବା ପରେ ଏବେ କପର୍ଦକଶୁନ୍ୟ। ସବୁ ସରିଯିବା ପରେ ଉପାୟଶୁନ୍ୟ ମଣିଷଟି ଏବେ ଖାଇ ବଞ୍ଚିବା ନ୍ୟାୟରେ ଏଠୁ ସେଠୁ କରଜ ଉଧାର କରି କରି ନୟାନ୍ତ। ସାରା ଭାରତରେ ଏଭଳି ଅବସ୍ଥା। ଅଭାବରେ ଏବେ ଦେଶର ୭୦ ଭାଗ ଗ୍ରାମାଞ୍ଚଳର ଲୋକମାନେ ଖାଦ୍ୟ ସଂକଟର ସମ୍ମୁଖୀନ ।
ଫଳରେ ଅଭାବୀ ସର୍ବସାଧାରଣ ଦିନକୁ ଦିନ ଖାଦ୍ୟାଭାବ ଓ କୁପୋଷଣ ଜନୀତ ସମସ୍ୟାରେ ଜର୍ଜରିତ। ଏକ ବିଶ୍ବ ସ୍ତରୀୟ ପରିସଂଖ୍ୟାନରୁ ଜଣାଯାଇଛିଯେ, ପୃଥିବୀରେ ୧୮୯.୨ କୋଟି ଲୋକ ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଛନ୍ତି। ଗତ ୧୯୪୭ ଅଗଷ୍ଟ ୧୫ ତାରିଖ ଆମ ଦେଶ ସ୍ବାଧୀନତା ଲାଭ କରିବା ପରଠାରୁ ଏମଧ୍ୟରେ ଦେଶ ପଡୋଶୀ ରାଷ୍ଟ୍ରଙ୍କ ସହ ଯୁଦ୍ଧ, ବିଭିନ୍ନ ସମୟରେ ବନ୍ୟା ବାତ୍ୟା ତଥା ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଛି। ତେବେ ମହାମାରୀ କରୋନା ସମସ୍ତଙ୍କୁ ବଳିଯାଇଛି। ବର୍ଷାଧିକ କାଳ ମୃତ୍ୟୁର ବିଭୀଷିକା ରଚିଚାଲିଥିବା କରୋନା ଭୂତାଣୁ ଅପେକ୍ଷା ସାଧାରଣରେ ଭୋକର ବୁଭୁକ୍ଷା ବଢାଇଚାଲିଛି।
କରୋନା ଅଚଳାବସ୍ଥା ଉପାର୍ଜନଶୁନ୍ୟ ପରିବାରର ମହିଳା ତଥା ଗୃହିଣୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗଭୀର ପ୍ରଭାବ ପକାଇଛି। ରୋଷେଇ ସମ୍ଭାଳି ସମସ୍ତଙ୍କୁ ଯେନତେନ ପ୍ରକାରେ ଖାଦ୍ୟ ପରଷିଦେଇ ନିଜେ ଉପଯୁକ୍ତ ଖାଦ୍ୟ ଖାଇବାରୁ ନିରବେ ବଞ୍ଚିତ ହୋଇଥାଏ। ଫଳରେ ଗ୍ରାମାଞ୍ଚଳରେ ପ୍ରାୟ ଶତକଡା ୫୨ ଭାଗ ମହିଳା ଖାଦ୍ୟାଭାବ ଜନୀତ କୁପୋଷଣର ଶୀକାର ହେବା ସହ ରକ୍ତ ହୀନତାର ଶୀକାର ମଧ୍ୟ ହେଉଛନ୍ତି। କେବଳ ସେତିକି ନୁହେଁ, ଦୁଃଖର ବିଷୟ ଦରିଦ୍ର ସୀମାରେଖା ତଳେ ରହିଥିବା ପରିବାର ମଧ୍ୟରେ ଜନ୍ମରୁ ୫ ବର୍ଷ ଯାଏଁ ଶିଶୁ ଏହି କାରଣରୁ ମଧ୍ୟ କୁପୋଷଣ ଓ ରକ୍ତହୀନତାର ଶୀକାର ହୋଇ ଭବିଷ୍ୟ ଜୀବନ ଦୁର୍ଗତି ମଧ୍ୟକୁ ଆପେ ଠେଲି ହୋଇ ଚାଲିଛନ୍ତି। ଉପଯୁକ୍ତ ଖାଦ୍ୟାଭାବରୁ ପିଲାଏ ଅକାରଣରେ ରକ୍ତହୀନତା, ନିମୋନିଆ, ତରଳ ଝାଡା, ମାଲେରିଆରେ ପଡି ଶାରୀରିକ, ମାନସିକ ଅଭିବୃଦ୍ଧି ହରାଉଛନ୍ତି।ଅଯଥାରେ ଆମ ଉତ୍ତର ପୀଢି ଯଦି ଏଭଳି ଦୂରାବସ୍ଥାରେ ନିପୀଡିତ ହୋଇ ଜୀବନ ହରାଇ ଚାଲିବେ, ତେବେ କ୍ରମେ ଦେଶର ମାନବସମ୍ବଳ ଗଭୀର ପ୍ରଭାବିତ ହେବା ଦେଶର ପ୍ରଗତିରେ ବାଧକ ସୃଷ୍ଟି ହେବା ନିଃସନ୍ଦେହ ଅଟେ। ବର୍ତ୍ତମାନ କରୋନା ସନ୍ଧିକ୍ଷଣରେ ତ୍ବରିତ ଗଣ ଟିକାକରଣ ସଂପାଦନ ନିହାତି ଅନିର୍ବାର୍ଯ୍ୟ ।
ଦେଶର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ଏଦିଗରେ ତ୍ବରିତ ଟିକାକରଣ ସହ ସମ୍ଭାବ୍ୟ ୩ ୟ ଲହରକୁ ଲକ୍ଷ୍ୟ ରଖି ମହିଳା, ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ଆବଶ୍ୟକ ଧ୍ୟାନ ଦେଇ ଏକ ଗ୍ରହଣୀୟ ନିଷ୍କର୍ଷ ବାହାର କରିବା ନିହାତି ବିଧେୟ। କରୋନା ପ୍ରଥମ ଓ ଦ୍ବିତୀୟ ଲହର, ଯାହା ଉଜାଡିଦେଇଛି,ଅବା ଏବେ ସଂପ୍ରତ୍ତି ଉଜାଡିଚାଲିଛି,ତାହା ଅପୂରଣୀୟ। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଦେଶର ସମସ୍ତ ଆବାଳବୃଦ୍ଧବନୀତାଙ୍କ ମଧ୍ୟରେ ସମୟୋଚିତ ଦୃତ ଗଣ- ଟିକାକରଣ ସମ୍ପର୍ଣ୍ଣ ହେବା ଜରୁରୀ। ଏଥି ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଦଳମତ ନିର୍ବିଶେଷରେ ତଥା ନିର୍ବିବାଦୀୟ ଭାବେ ଏବେ ଠାରୁ ଯତ୍ନବାନ ହୋଇ ବ୍ୟାପକ ଜନକଲ୍ୟାଣମୁଖୀ ଯୋଜନା ପ୍ରଣୟନ କରି ଅଭାବୀ ଜନସାଧାରଣଙ୍କୁ ଉପାର୍ଜନକ୍ଷମ କରିବା ନିହାତି ଜରୁରୀ। ନଚେତ ଉପାର୍ଜନ ହରାଇ ଖାଦ୍ୟାଭାବ ଜନୀତ ବୁଭୁକ୍ଷା କରୋନାର କରାଳ ଠାରୁ ଭୟାନକ ହୋଇଯିବାର ଆଶଙ୍କା ରହିଛି। ଇଶ୍ବର ନକରନ୍ତୁ ଗତ ୧୮୬୬ ଓଡିଶାର ନଅଙ୍କ ଦୁର୍ଭିକ୍ଷ, ଗତ ୧୯୪୩ ରେ ବଙ୍ଗଳାରେ ଘଟିଯାଇଥିବା ହୃଦୟ ବିଦାରକ ଦୁର୍ଭିକ୍ଷର ପୁନରାବୃତ୍ତି ଦେଶର କେଉଁଠି ନା କେଉଁଠି ଘଟିଯିବାର ସମ୍ଭାବନାକୁ ହୁଏତ ଆଶଙ୍କା ମୁତାବକ ଏଡାଇ ହେବନାହିଁ। ସମୟ ଗଡିଗଲେ ନେଡିଗୁଡ କହୁଁଣୀକୁ ବୋହିଯିବ। ଅଭାବ ଅନଟନ ଜର୍ଜରିତ ନିବାଡ ଭୋକ ଓ ଭୂତାଣୁର ଭୟାଭୟତାର ସରଳାର୍ଥ ବୁଝିବା ଆଗକୁ ଜଟିଳ ହୋଇଯାଇପାରେ।
Comments are closed.