ଜଳେଶ୍ୱର -୦୪/୦୬: ଜଳେଶ୍ୱର ସହର ଉପକଣ୍ଠ ଆମ୍ବିଳିଅଠା ବାଇପାସ ପୋଲ ନିକଟସ୍ଥ ଜଳେଶ୍ୱର-ବାଟଗ୍ରାମ-ଚନ୍ଦନେଶ୍ୱର ୫୭ନଂ. ରାଜ୍ୟ ରାଜପଥର ବାରଗାଡ଼ିଆ ଠାରେ ଆଜି ପ୍ରାୟ ଦିବା ୧ ଟାରେ ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟି ୨ ଜଣଙ୍କର ଶୋଚନୀୟ ମୃତୁ୍ୟ ହେବା ସହିତ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଦୂର୍ଘଟଣା ସ୍ଥଳରେ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ସହିତ ରାସ୍ତାରୋକ କରାଯାଇଥିଲା । ଘଟଣାରୁ ପ୍ରକାଶ ଯେ,ଆରୁହା ଗ୍ରାମର ସିଦେ୍ଧଶ୍ୱର ବେହେରା ଓ କୁଳମଣି ବେହେରା ଦୁହେଁ ଏକ ପିକ୍ଅପ୍ ଯୋଗେ ଧାରବୁରା ନେଇ ଆମ୍ବିଳିଅଠା ସ୍ଥିତ ଧାନମଣ୍ଡିକୁ ବିକ୍ରି କରିବାପାଇଁ ଯାଉଥିଲେ । ଏହି ସମୟରେ ଚନ୍ଦନେଶ୍ୱର ପଟୁ ଜଳେଶ୍ୱର ଆଡ଼କୁ ଏକ ଡମ୍ପର (ନଂ.ଓଆର୦୧ଏଚ୍-୯୯୯୫)ଦ୍ରୁତବେଗରେ ଆସି ଉକ୍ତ ଧାନବୋଝେଇ ପିକ୍ଅପ୍ (ନଂ.ଓଡି୦୧ଟି-୧୩୭୩) କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଯାହାଫଳରେ ପିକ୍ଅପ୍ ରେ ଥିବା ୨ ଜଣ ସିଦେ୍ଧଶ୍ୱର ଓ କୁଳମଣି ଙ୍କ ଦୂର୍ଘଟଣା ସ୍ଥଳରେ ଶୋଚନୀୟ ମୃତୁ୍ୟ ଘଟିଥିଲା । ମୃତ ୨ ଜଣ ସମ୍ପର୍କରେ କକା ଓ ପୁତୁରା ବୋଲି ଜାଣିବାକୁ ମିଳିଛି । ଦୂର୍ଘଟଣା ଘଟାଇ ଡମ୍ପରର ଡ୍ରାଇଭର ଫେରାର୍ ହୋଇଯାଇଥିବା ସ୍ଥଳେ ହେଲପର ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାପଡ଼ି ନିର୍ଧୂମ ଛେଚା ଖାଇ ଆହତ ହୋଇଛି । ଖବରପାଇ ଜଳେଶ୍ୱର ଥାନା ଆଇଆଇସି ପର୍ଶୁରାମ ସାହୁ ସଦଳବଳେ ଦୂର୍ଘଟଣା ସ୍ଥଳରେ ପହଂଚି ୨ ଟି ଜେସିବି ସାହାର୍ଯ୍ୟରେ ଦୂର୍ଘଟଣାଗ୍ରସ୍ତ ପିକ୍ଅପ୍ କୁ ଡମ୍ପର ମୁହଁରୁ ବାହାର କରି ୨ ଟି ମୃତଦେହକୁ ଉଦ୍ଧାରକରି ଜିକେ ଭଟ୍ଟର ସରକାରୀ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛନ୍ତି । ଏଥିସହିତ ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରି ରାସ୍ତାରୋକକୁ ପ୍ରତ୍ୟାହାର କରାଇଥିଲେ । ଏନେଇ ଜଳେଶ୍ୱର ଥାନାରେ ଏକ ସଡ଼କ ଦୂର୍ଘଟଣା ଜନିତ ମୃତୁ୍ୟ ମାମଲା ୧୯୩/୨୧ ରୁଜୁ କରିଛି ପୁଲିସ । ଦୂର୍ଘଟଣା ସମୟରେ ଡମ୍ପର ପଛପଟେ ଆସୁଥିବା ଏକ କାର୍ ମଧ୍ୟ ଡମ୍ପରକୁ ପଛପଟେ ବାଡେଇଥିଲା । ସେଥିରେ ଥିବା ୨ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ପୁଲିସ ଦୂର୍ଘଟଣାଗ୍ରସ୍ତ ଡମ୍ପର,ପିକ୍ଅପ୍ ଓ କାରକୁ ଜବତ୍ କରିଛି । ଆଜିର ଏହି ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ ।
Comments are closed.