ଖଇରା-୦୪/୦୬ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଉପାନ୍ତ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଖୁସିର ଖବର । ବର୍ଷ ବର୍ଷ ଧରି ଭୋଗୁଥିବା ପାଣି ସମସ୍ୟାର ସମାଧାନ ଖୁବଶୀଘ୍ର ହେବାକୁ ଯାଉଛି । ବାଲେଶ୍ୱର କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତି ଅଞ୍ଚଳ ଭାବେ ଗ୍ରୀଷ୍ମ ଋତୁରେ ଉକ୍ରଟ ଜଳ ସମସ୍ୟାର ସମ୍ମୁଖୀନ ହେଉଥିବା ଖଇରା ବ୍ଲକ କୁପାରୀ ଜୋନର ବାଉଁଶଗଡିଆ,ରଟିଣା,ହରିପୁର, ଗଡପୋଖରୀ, କଇଥଗଡିଆ,କୁପାରୀ,ବର୍ତ୍ତନା ପଞ୍ଚାୟତ ଗୁଡିକୁ ବର୍ଷଭରି ବିଶୁଦ୍ଧ ପାନୀୟ ଜଳ ମିଳିପାରିବ ଜାଣିବା ପରେ ସାହିବାସିନ୍ଦାଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି । ଆଉ ବର୍ଷ ତମାମ ସେମାନଙ୍କୁ ଦୂଷିତ ପାଣି ପିଇବାକୁ ପଡିବ ନାହିଁ ଏବଂ ପ୍ରଶାସନ ପାଖରେ ବାରମ୍ବାର ଜଳ ସମସ୍ୟା ନେଇ ଗୁହାରୀ କରିବାକୁ ପଡିବ ନାହିଁ । ୫୫ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବା ନେଇ ଚିଠି ପହଞ୍ଚିବା ଏବଂ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍ ଜଳର ଉତ୍ସ କୁହାଯାଉଥିବା ହଦଗଡ ଜଳଭଣ୍ଡାର ସଂଲଗ୍ନ କେନ୍ଦୁଝର ରାଇଘାଟି ଅଞ୍ଚଳ ବୁଲି ପ୍ରକଳ୍ପ ସମ୍ପର୍କରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ ୭ଟି ପଞ୍ଚାୟତବାସୀ ଉତ୍ଫୁଲ୍ଲିତ ହୋଇ ପଡିଛନ୍ତି । ସେ ବିଧାୟକ ଭାବେ ଜିତିବା ପରଠାରୁ ଏହି ପଞ୍ଚାୟତ ଗୁଡିକର ଜଳ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ । ପାହାଡିଆ ଅଞ୍ଚଳରେ ଜଳାଭାବ ଏବଂ ଅଧିକାଂଶ ସ୍ଥାନରେ ଦୂଷିତ ଜଳ ନିର୍ଗତ ହେଉଥିବାରୁ ହଡଗଡ ଜଳଭଣ୍ଡାରରୁ ପାାଇପ ଯୋଗେ ଜଳ ଉଠାଯାଇ ଏହାକୁ ବିଶୋଧନ କରି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ୪୦ହଜାର ଗ୍ରାମବାସୀଙ୍କୁ ଏହାର ଫାଇଦା ମିଳିବ । ଏହି ସ୍ୱତନ୍ତ୍ର ମେଗା ପ୍ରକଳ୍ପ(ଇନଟେକ ୱେଲ) ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆନୁମାନିକ ୫୫କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପ ସ୍ଥାପନା ହେବାପରେ ପ୍ରତ୍ୟେକ ପରିବାର ଦୈନିକ ୭୦ଲିଟର ପାଇବାକୁ ସକ୍ଷମ ହେବେ । ବାଉଁଶଗଡିଆରୁ ୭କିମି ଦୂରତାରେ ଥିବା ଏହି ହଦଗଡ ଜଳଭଣ୍ଡାରରୁ ପାଇପ ବିଛା ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଅନୁ୍ୟନ ୨ବର୍ଷ ଲାଗିବ ବୋଲି ପାନୀୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସମିର ରଞ୍ଜନ ଦେ କହିଛନ୍ତିା ବାଉଁଶଗଡିଆ ପଞ୍ଚାୟତବାସୀଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର । ସ୍ୱାଧିନତା ପରଠାରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇ ପାରିବ ବୋଲି ବରପଦା ଗ୍ରାମର ଶଶିକାନ୍ତ ଦାସ କୁପାରୀ ଗ୍ରାମର ସୁରେନ୍ଦ୍ର ପଣ୍ଡା କହିଛନ୍ତି । ଆଜିର ଏହି ପରିଦର୍ଶନ ସ୍ଥଳରେ ବିଡିଓ ପର୍ଶୁରାମ ପଣ୍ଡା,ଅତିରିକ୍ତ ତହସିଲଦାର ଗଦାଧର ସେଠୀ,ବ୍ଲକ ଉପାଧକ୍ଷ ଜୟନ୍ତ କୁମାର ରାଉତ,ବାଉଁଶଗଡିଆ ସରପଞ୍ଚ ବିଷ୍ଣୁପଦ ଘଡେଇ, ଜଳ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ତପସ୍ୱିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.