Odisha news

ତଳବନ୍ଧ ରାସ୍ତା କଲଭର୍ଟ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ : ଗାଁ ଲୋକଙ୍କୁ ଯିବାକୁ ପଡୁଛି ଅଧିକ ୨ କି.ମି ରାସ୍ତା

ତିହିଡି,୧୩/୦୫: ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ଅଧିନ ଧୂଳିପଦା ଠାରୁ ତଳବନ୍ଧ ଭାୟା କରଞ୍ଜେଇ ରାସ୍ତାରେ କଲଭର୍ଟ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିଛି । ଯାହାଫଳଳରେ ଗାଁ ଲୋକଙ୍କୁ ଅଧିକ ୨ କି.ମି ରାସ୍ତା ପାରିହେବାକୁ ପଡୁଛି । ଗାଁ ଲୋକେ ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ମଧ୍ୟ କୌଣସି ସୁଫଳ ପାଇ ନଥିବାରୁ ସେମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ କଲଭର୍ଟ ନିର୍ମାଣ କାର୍ଯ୍ୟ ସଂପୃର୍ଣ୍ଣ କରାନଗଲେ ସେମାନେ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତା ପାଇଁ ଏସ୍.ଆର ପାଣ୍ଠିରୁ ୨ କୋଟିରୁ ଅଧିକ ଟଙ୍କାର ଅନୁଦାନ ମିଳିଥିଲା । ୨୦୧୯ରେ ଟେଣ୍ଡର ନେଇଥିବା ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ନିର୍ମାଣ କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗାଇବାର ନିୟମ ଥିଲେ ମଧ୍ୟ ତାହା କରାଯାଇ ନଥିବାରୁ ରାସ୍ତା ନିର୍ମାଣ ସଂପର୍କରେ ଗାଁ ଲୋକେ ଅନ୍ଧାରରେ ରହିଥିଲେ । ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୦ ଅକ୍ଟୋବରରେ ଶେଷ ହୋଇଥିଲା । ନିର୍ମାଣର ୬ ମାସ ପରେ ବିଭିନ୍ନ ସ୍ଥାନରେ କଂକ୍ରିଟ ଫାଟିଯିବା ସହିତ ପିଚୁ ଉଠି ଯାଇଥିବାରୁ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଗାଁ ଲୋକେ ଅଭିଯୋଗ କରିଥିଲେ । ତେବେ ରାସ୍ତାରେ ଥିବା ଏକମାତ୍ର କଲଭର୍ଟର ନିର୍ମାଣ କାର୍ଯ୍ୟ ୬ ମାସ ହେଲା ଚାଲିଥିଲେ ମଧ୍ୟ ତାହା ଅଦ୍ୟାବଧି ସଂପୂର୍ଣ୍ଣ ହୋଇପାରିନାହିଁ । କଲଭର୍ଟର କେବଳ ଛାତ ପଡିଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ଆଦୌ କରାଯାଉନାହିଁ । ଠିକାଦାର ଜଣଙ୍କ ମନଇଚ୍ଛା କିଛି ଦିନ କାମ କରିବା ପରେ ଅନ୍ତର୍ଦ୍ଧାନ ହୋଇଯାଉଥିବାରୁ ଏ ପ୍ରକାର ପରିସ୍ଥିତି ଉପୁଜିଥିବା ଦର୍ଶାଯାଇଛି । ଯାହାଫଳରେ ରାସ୍ତାର ଦୁଇ ପାଶ୍ୱର୍ ସଂଯୋଗ ହେବା ସମ୍ଭବ ହୋଇପାରିନାହିଁ । ଯାତାୟାତ ପାଇଁ ନିର୍ମାଣ କରାଯାଇଥିବା ଡାଇଭର୍ସନ ମଧ୍ୟ କାର୍ଯ୍ୟରେ ଲାଗି ପାରୁନାହିଁ । ଅସରାଏ ବର୍ଷା ହେଲେ ଲୋକଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ସପ୍ତାହେ ହେଲା ବର୍ଷା ଲାଗି ରହିଥିବାରୁ ଡାଇଭର୍ସନ ପାଣିରେ ବୁଡି ଯାଇଛି । ଯାହାଦ୍ୱାରା ଗାଁ ଲୋକଙ୍କୁ ରାସ୍ତା ପାରିହେବାକୁ ନାକେଦମ ହେବାକୁ ପଡୁଛି । ଲୋକେ ବାଉଁଶବାଗ ଗାଁ ଦେଇ ଅଧିକ ୨ କି.ମି ଯାତାୟାତ କରୁଛନ୍ତି । ଲୋକଙ୍କ ଦୁଃସ୍ଥିତି ସମୟରେ ଠିକାଦାରଙ୍କ ଦେଖାଦର୍ଶନ ମିଳୁନାହିଁ । ଡାଇଭର୍ସନକୁ ଠିକ ଭାବେ ସଜଡା ଗଲେ ଯାତାୟାତ ବେଳେ ଲୋକଙ୍କ କୌଣସି ଅସୁବିଧା ହୁଅନ୍ତା ନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କଲଭର୍ଟ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରି ରାସ୍ତା ସଂଯୋଗୀକରଣ କରିବାକୁ ଗାଁ ଲୋକେ ଦାବି ଜଣାଇଛନ୍ତି ।

Comments are closed.