ମୟୂରଭଞ୍ଜ ସୀମାନ୍ତ କଳମା ଠାରେ ସୁରଟରୁ ୯୧ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ତିନୋଟି ବସ ପହଞ୍ଚିଲା :ମୟୂରଭଞ୍ଜ ପ୍ରଶାସନ ସେମାନଙ୍କୁ ବିଭିନ୍ନ ଜାଗାରେ ପହଁଚାଇଲା
ବେତନଟୀ, ୪/୫ : ଆଜି ମୟୂରଭଞ୍ଜ ସୀମାନ୍ତ କଳମା ଠାରେ ସୁରଟରୁ ୯୧ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ତିନୋଟି ବସ ଆସି ପହଞ୍ଚି ଥିବାର ଜଣା ପଡିଛି । ଏହି ବସ ଗୁଡିକରେ ବେତନଟୀ, ବଡସାହି, ରାସଗୋବିନ୍ଦପୁର, ଶୂଳିଆପଦା, ମୋରଡା, ରାଇରଙ୍ଗପୁର, ସାରଶକଣା, ବାଙ୍ଗରୀପୋଷୀ ସମେତ ସବୁ ବ୍ଲକର ଉଣା ଅଧିକ ଲୋକ ରହି ଥିବାର ଜଣା ପଡିଛି । ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ କଳମା ଠାରେ ପହଞ୍ଚିବା ପରେ ଏହି ପ୍ରବାସୀ ମାନଙ୍କୁ ଅଟକା ଯାଇ ଥିଲା ।
ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ପ୍ରଶାସନିକ ଓ ର୍ୟାପିଡ ରେସପୋନସ ଟିମ ଏଠାରେ ପହଞ୍ଚି ଏହି ଲୋକ ମାନଙ୍କର ଗଣନା କରିବା ସହିତ ସେମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରି ଥିଲେ । ଏହି ଟିମରେ ବ୍ଲକର ସଂପ୍ରସାରଣ ଅଧିକାରୀ, ପଞ୍ଚାୟତ ଗୁଡିକର ପିଇଓ, ଜିପିଟିଏ, ଜିଆରଏସ ସବୁ ରହି ବିଡିଓଙ୍କୁ ସହଯୋଗ କରୁ ଥିବାର ଜଣା ପଡିଛି । ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ, ଏଏସଆଇ ସୁଶାନ୍ତ କୁମାର ମହାକୁଡ ଓ ପୋଲିସ କର୍ମଚାରୀ ମାନେ କଳମାରେ ପହଞ୍ଚି ପ୍ରଶାସନକୁ ଆବଶ୍ୟକୀୟ ସହାୟତା କରି ଥିଲେ ।
ଏହି ପ୍ରବାସୀ ମୟୂରଭଞ୍ଜିଆ ମାନଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପରେ ବ୍ଲକ ଗୁଡିକର ଭୌଗଳିକ ସ୍ଥିତିକୁ ନେଇ ଏମାନଙ୍କୁ ପୁଣି ସଂପୃକ୍ତ ବସରେ ରୁଟ ଚାର୍ଟ ବନାଇ ଜିଲ୍ଲା ମଧ୍ୟକୁ ଛଡା ଯାଇଛି । ଏହି ପ୍ରବାସୀ ମାନେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବେଶ କରିବା ପୂର୍ବରୁ ସବଡିଭିଜନାଲ କମିଟୀର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ବସନ୍ତ କୁମାର ସେଠୀ ସଦର ସବଡିଭିଜନର ସମସ୍ତ ଇଭେଣ୍ଟ କମାଣ୍ଡର, ବିଡିଓ ଓ ପୋଲିସ ଅଧିକାରୀ ମାନଙ୍କୁ ଏହି ପ୍ରବାସୀ ମାନଙ୍କ ଆସିବା ବାବଦରେ ସୂଚନା ଦେବା ସହିତ ଆବଶ୍ୟକୀୟ ସଂଗରୋଧର ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ଏହା ସହିତ ବାବନଘାଟୀ, ପାଞ୍ଚପୀଢ଼ ଓ କପ୍ତିପଦା ସବଡିଭିଜନାଲ କମିଟୀ ମାଧ୍ୟମରେ ସଂପୃକ୍ତ ବ୍ଲକ ଗୁଡିକୁ ମଧ୍ୟ ସୂଚନା ପ୍ରଦାନ କରା ଯାଇଛି । ଏହି ବ୍ୟକ୍ତି ମାନେ ଜିଲ୍ଲା ମଧ୍ୟରେ ନିଜ ନିଜ ବ୍ଲକକୁ ଫେରିବା ବେଳକୁ ଏମାନଙ୍କୁ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ନିଆ ଯିବାର ବ୍ୟବସ୍ଥା କରା ଯାଇ ଥିବାର ଜଣା ପଡିଛି । ଗ୍ରୀନ ଜୋନରେ କୋହଳ ପ୍ରତିବନ୍ଧକକୁ ଅପବ୍ୟବହାର କରୁଛନ୍ତି ଜନ ସାଧାରଣ