ଜୁଲିୟସ୍ ସିଜର୍ଙ୍କ ହତ୍ୟା ସ୍ମୃତିରେ ତିଆରି ହୋଇଥିବା ଏକ ଦୁର୍ଲଭ ରୋମାନ୍ ମୁଦ୍ରାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇପାରେ । ଏକ ବ୍ୟକ୍ତିଗତ ସଂଗ୍ରହାଳୟରେ ଏଯାଏ ଥିବା ଯୋଗୁ ଏହି ମୁଦ୍ରା ପୁନର୍ଜୀବିତ ହୋଇଛି ! ମୁଦ୍ରାର ଗୋଟିଏ ପଟେ ରହିଛି ବ୍ରୁଟସ୍ଙ୍କ ମୁହଁ ଯିଏ ଖ୍ରୀ.ପୂ. ୪୪ରେ ରୋମ୍ର ପମ୍ପି ଥିଏଟର୍ରେ ଅନ୍ୟ ସିନେଟର୍ମାନଙ୍କ ସହ ମିଶି ସିଜର୍ଙ୍କୁ ହତ୍ୟା କରିଥିଲେ । ଏହାର ଅନ୍ୟପଟେ ରୋମାନ୍ ଦାସଙ୍କୁ ମୁକ୍ତ କରିବା ପାଇଁ ଦିଆଯାଇଥିବା ଏକପ୍ରକାର ଟୋପି ରହିଛି । ରୋମ୍ ସିଜର୍ଙ୍କ ଶାସନରୁ ମୁକ୍ତ ଥିଲା ବୋଲି ଏହା ଇଙ୍ଗିତ କରୁଛି । କିଛି ଲୋକ ତାଙ୍କୁ ଏକଛତ୍ରବାଦୀ ଶାସକ ଭାବେ ଦେଖୁଥିଲେ । ଏ ପ୍ରକାର ମୁଦ୍ରା ‘ଇଦ୍ସ ଅଫ୍ ମାର୍ଚ୍ଚ’ ନାମରେ ଜଣାଶୁଣା । ସିଜର୍ଙ୍କୁ ଇଦ୍ ମାର୍ଚ୍ଚରେ ହତ୍ୟା କରାଯାଇଥିଲା ଓ ୨ ବର୍ଷ ପରେ ଘଟଣାକୁ ମନେ ପକାଇବା ପାଇଁ ଏହି ମୁଦ୍ରା ତିଆରି କରାଯାଇଥିଲା । ଦୁନିଆରେ ପ୍ରାୟ ୧୦୦ଟି ଏପରି ରୁପା ମୁଦ୍ରା ଥିବାବେଳେ ସ୍ୱର୍ଣ୍ଣ ମୁଦ୍ରାର କେବଳ ୩ଟି ନମୁନା ଉପଲବ୍ଧ । ସିଜର୍ ରୋମ୍ର ପ୍ରସିଦ୍ଧ ଶାସକଙ୍କ ମଧ୍ୟରୁ ଜଣେ ଯିଏ ସାମରିକ ଦକ୍ଷତା, ବିଚକ୍ଷଣ ଅର୍ଥନୀତି ଓ ରାଜନୈତିକ ସୁଧାର ପାଇଁ ଇତିହାସପ୍ରସିଦ୍ଧ । ହେଲେ ଅନେକ ରୋମାନ୍ ସିନେଟର୍ ତାଙ୍କୁ କ୍ଷମତା ପିପାସୁ ଭାବି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ । ମାର୍ଚ୍ଚ ୧୫ରେ ପୋମ୍ପି ଥିଏଟର୍ରେ ସିନେଟ୍ ବୈଠକ ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା । ଏକ ସିନେଟର୍ ଗ୍ରୁପ୍ ସିଜର୍ଙ୍କୁ ୨୩ ଥର ଛୁରୀ ଭୁସି ଏହା ଏକ ଅତ୍ୟାଚାରୀର ହତ୍ୟା ବୋଲି ଦାବି କରିଥିଲେ । ମାର୍କସ ବ୍ରୁଟସ୍, ଗୟୁସ କେସିୟସ୍ ଓ ଡେସିମସ୍ ବ୍ରୁଟସ୍ଙ୍କ ନେତୃତ୍ୱରେ ୬୦ରୁ ଅଧିକ ସିନେଟର୍ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ ।