Odisha news

ବାରିପଦା : କୋଟାରୁ ୧୭ ଛାତ୍ରଛାତ୍ରୀଙ୍କ ସହ ମୋଟ୍ ୨୫ଜଣ ବାରିପଦା ଫେରି କ୍ୱାରାଣ୍ଟାଇନରେ ରହିଲେ, ପରିଦର୍ଶନ କଲେ ମନ୍ତ୍ରୀ

0

ବାରିପଦା : ରାଜସ୍ଥାନ ରାଜ୍ୟର କୋଟା ଜିଲ୍ଲାରେ ଫଶି ରହିଥିବା ମୟୂରଭଞ୍ଜ ଜିଲ୍ଲାର ୧୭ଜଣ ଛାତ୍ରଛାତ୍ରୀମାନଙ୍କୁ ଆଣିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲପ୍ରଶାସନ ପକ୍ଷରୁ ମେ ୧ତାରିଖରେ ଯାଇଥିବା ସ୍ୱତନ୍ତ୍ର ବସ ମଙ୍ଗଳବାର ପୂର୍ବାହ୍ନରେ ବାରିପଦାରେ ଆସି ପହଞ୍ଚିଥିଲା । ବସରେ ଫେରି ଆସିଥିବା ୧୭ଜଣ ଛାତ୍ରଛାତ୍ରୀମାନଙ୍କ ସହିତ ୫ଜଣ ଅଭିଭାବକ, ୨ଜଣ ବସ ଚାଳକ ଓ ଜଣେ ହେଲ୍ପରଙ୍କୁ ମିଶାଇ ମୋଟ୍ ୨୫ଜଣଙ୍କୁ ଜିଲ୍ଲାପ୍ରଶାସନର ପୂର୍ବ ପ୍ରସ୍ତୁତି ଅନୁସାରେ ବାରିପଦା ପ୍ରୟାସ ହଲ ପରିସରେ ଥିବା ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ପର୍ଯ୍ୟନ୍ତ ଭର୍ତ୍ତି କରାଯାଇଛି ।

ଏଥିସହିତ ପ୍ରୟାସ ହଲରେ ଏକ ମେଡିକାଲ ଟିମ ପହଁଞ୍ଚି କୋଟା ଫେରନ୍ତାମାନଙ୍କ ନିକଟରୁ ନମୂନା ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ନିମନ୍ତେ ପଠାଇଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ରହିବା ସମୟରେ ପ୍ରଶାସନ ପକ୍ଷରୁ ପ୍ରତ୍ୟେକଙ୍କୁ ଟୁଥବ୍ରସଠାରୁ ଆରମ୍ଭ କରି ପେଷ୍ଟ, ସାବୁନ, ତେଲ, ବାଲଟି, ମଗ, ଆରାମ କରିବା ନିମନ୍ତେ ବେଡ, ବିଶୁଦ୍ଧ ପାନୀୟ ଜଳ ଆଦି ସହିତ ସପ୍ତାହର ୭ଦିନରେ ଭିନ୍ନ ଭିନ୍ନ ପ୍ରକାରର ଜଳଖିଆ, ମଧ୍ୟାହ୍ନ ଓ ରାତ୍ରୀକାଳୀନ ଭୋଜନ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର ବାରିପଦା, ଡୁକୁରା, ଉଦଳା, ବେତନଟୀ ଓ ବହଳଦା ଆଦି ଅଞ୍ଚଳରୁ ଛାତ୍ରଛାତ୍ରୀମାନେ ଯାଇ ରାଜସ୍ଥାନ କୋଟାରେ ରହି ସେଠାକାର ଏଲ ଏନ୍ କୋଚିଂ ସେଣ୍ଟରରେ ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ନେଉଥିଲେ । ଏହି ଅବସରରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରୟାସ ହଲ ପରିଦର୍ଶନ କରି କୋଟା ଫେରନ୍ତା ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସେମାନଙ୍କର କ୍ୱାରାଣ୍ଟାଇନ ସମ୍ବନ୍ଧରେ ତଦାରଖ କରିଥିଲେ ।

Leave A Reply