ତିହିଡି :ତିହିଡି ବ୍ଳକକୁ ଆଜିସୁଦ୍ଧା ପ୍ରାୟ ୧୧ଶହ ପ୍ରବାସୀ ଆସି ସାରିଥିବା ବ୍ଳକ ପ୍ରଶାସନ ପକ୍ଷରୁ ଜଣାଯାଇଛି । ଏହି ପ୍ରବାସୀ ମାନେ କୋଲକତା, ସୁରଟ, ହାଇଦ୍ରାବାଦ. ଆନ୍ଧ୍ରପ୍ରଦେଶ ଓ ବାଙ୍ଗାଲୋର ଆଦି ସ୍ଥାନରୁ ଆସି ସାରିଲେଣି । ଆଗକୁ ଆହୁରି ପ୍ରବାସୀ ଏହି ବ୍ଲକକୁ ଆସିବାର ଅଛି । ଏହାକୁ ଦୃଷ୍ଟିରେ ରଖି ବ୍ଲକର ୩୧ ପଞ୍ଚାୟତରେ ରହିଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ଆଜିସୁଦ୍ଧା ପ୍ରାୟ ୧୬ ଶହ ଶଯ୍ୟା ପ୍ରସ୍ତୁତ କରାଯାଇ ସାରିଛି ।
ପ୍ରଶାସନ ପକ୍ଷରୁ ଆହୁରି ଶଯ୍ୟା ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି । ଆଜି ଏହି ବ୍ଳକ ଅନ୍ତର୍ଗତ ସାହାପୁର ଅଞ୍ଚଳରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ମିଶାଇ ବ୍ଳକରେ ମୋଟ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ କାଁପଡା, ବାମନବିନ୍ଧା ଓ କୁବେରା ପଞ୍ଚାୟତରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ସାହାପୁରରୁ ଚିହ୍ନଟ ବ୍ୟକ୍ତି ଜଣଙ୍କ ସାହାପୁର ହାଇସ୍କୁଲ କ୍ୱାରେଣ୍ଟାଇନରେ ରହିଥିଲେ ।
ସେଠାରେ ମୋଟ ୩୪ ଜଣ ବ୍ୟକ୍ତି ରହିଥିଲେ । ସେଠାରୁ ଆଜି ଜଣେ ପଜିଟିଭ ଚିହ୍ନଟ ହେବା ପରେ ଏହି କ୍ୱାରେଣ୍ଟାଇନ କେନ୍ଦ୍ରକୁ କଣ୍ଟେନମେଣ୍ଟଜୋନ କରାଯାଇଛି । ତେବେ ଏହି କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ମନିଟରିଂ ଟିମ୍ର ସଭ୍ୟମାନେ ଉକ୍ତ ସେହିପରିବ୍ୟକ୍ତି ଜଣଙ୍କ ସଂସ୍ପର୍ଶରେ ଆସିଥିବା କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଜରୁରି ହୋଇପଡିଛି । ସେହିପରି ତିହିଡି ହାଇସ୍କୁଲ କ୍ୱାରେଣ୍ଟାଇନ କେନ୍ଦ୍ରରେ ପୂର୍ବରୁ ୮୩ ଜଣ ପ୍ରବାସୀ ରହିଥିବା ବେଳେ ଆଜି ଆଉ ୨୨ ଜଣ ଆସିବା ପରେ ଏହି ସଂଖ୍ୟା ୧ଶହ ୫କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷେ ତିହିଡି କଲେଜ କ୍ୱାରେଣ୍ଟାଇନ କେନ୍ଦ୍ରରେ ୫୦ଜଣ ଓ କୋହ୍ଲ ହାଇସ୍କୁଲ କ୍ୱାରେଣ୍ଟାଇନ କେନ୍ଦ୍ର ବି ୫୦ ଜଣ ପ୍ରବାସୀ ରହିଥିବା ଜଣାଯାଇଛି ।