Odisha news

‘ମୋ କଲେଜ ଅଭିଯାନ’ ଅଧୀନରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ

ଭୁବନେଶ୍ୱର ୧୯.୦୭.୨୦୨୧: ନବଗଠିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ବିକାଶର ରୂପରେଖରେ ପୁରାତନ ଛାତ୍ରଛାତ୍ରୀମାନେ ବିଶେଷ ଭୂମିକା ଗ୍ରହଣ କରିବେ। ରବିବାର ଦିନ ଆୟୋଜିତ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରଥମ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।
୧୮ ଜୁଲାଇ ୧୯୬୦ ମସିହାରେ ସ୍ଥାପିତ ହୋଇଥିଲା କଳାହାଣ୍ଡି ବିଜ୍ଞାନ ମହାବିଦ୍ୟାଳୟ। ଜିଲ୍ଲାର ଏହି ପୁରାତନ ତଥା ପ୍ରମୁଖ ଶିକ୍ଷାନୁଷ୍ଠାନ ଆଜି କଳାହାଣ୍ଡି ବିଶ୍ୱବିଦ୍ୟାଳୟର ରୂପ ନେଇ ରାଜ୍ୟରେ ଶିକ୍ଷାର ବିକାଶ କ୍ଷେତ୍ରରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ତେଣୁ ଜୁଲାଇ ୧୮ ତାରିଖ, ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କାର୍ୟ୍ୟକ୍ରମ ମଧ୍ୟରେ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା। ଜୁଲାଇ ୧୮ ତାରିଖକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ବିଦ୍ୟାର୍ଥୀ ଦିବସ ଭାବେ ପାଳନ କରାଯିବ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ଵରେ ଏହି ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ସହିତ କଳାହାଣ୍ଡି ବିଜ୍ଞାନ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ରାଜ୍ୟ ଗୃହ, ଶିଳ୍ପ ଓ ଶକ୍ତି ବିଭାଗର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏବଂ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଯୋଗ ଦେଇଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କର ସହଯୋଗିତାକୁ ଗୁରୁତ୍ଵ ଦେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କିଭଳି ଆଗକୁ ନିଆଯିବ ସେ ବାବଦରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସହ ଯୋଡ଼ି ‘ମୋ କଲେଜ ଅଭିଯାନ’ର ଚିନ୍ତାଧାରାକୁ ସଫଳ କରିବା ପାଇଁ ଏହାର ଅଧ୍ୟକ୍ଷ ଆକାଶ ଦାସନାୟକ ଆହ୍ଵାନ ଦେଇଥିଲେ।

ଏହି କାର୍ୟ୍ୟକ୍ରମକୁ ଆଗକୁ ନେବା ପାଇଁ ଏବେ ପୁରାତନ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ଆରମ୍ଭ କରାଯାଇଛି। ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମ ଅବସରରେ ପ୍ରାକ୍ତନ ଛାତ୍ର ସଂଘର ବିଭିନ୍ନ ବର୍ଗରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଡକ୍ଟର ବାବା ମିଶ୍ର, ଡକ୍ଟର ଅଜୟ କୁମାର ମିଶ୍ର, ଦୁଷ୍ମନ୍ତ ନାଏକ, ଜଗନ୍ନାଥ ମୁଣ୍ଡ୍, ଉପେନ୍ଦ୍ର ପଣ୍ଡା, ଅବିନାଶ ଠାକୁର୍, ମଣ୍ଟୁ ନାଏକ, ପ୍ରଦୀପ ଦାସ, ଜ୍ୟୋତି ଦାସ, ଜୟଶଙ୍କର ନାଏକ, ବେଦବ୍ୟାସ ପ୍ରଧାନ, ମୁନୀନ୍ଦ୍ର ମହାନ୍ତି, ମୋହିନୀ ପଟ୍ଟଯୋଶୀ, ଦିଲ୍ଲୀପ କୁମାର ସା, ଯଯାତି ନାଏକ ଓ ବିଜୟ ଦ୍ଵିବେଦୀ ପ୍ରମୁଖ ଯୋଗ ଦେଇଥିଲେ। ଦେଶ ବିଦେଶରେ ରହୁଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ‘ମୋ କଲେଜ ଅଭିଯାନ’ ମାଧ୍ୟମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସହ ଯୋଡ଼ିବା ଲାଗି ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି।

ପ୍ରତିଷ୍ଠା ଦିବସ ଅବସରରେ ପୁରାତନ ଛାତ୍ରଛାତ୍ରୀ, ପିଜି କାଉନସିଲ୍ ଅଧ୍ୟକ୍ଷ ଓ କର୍ମଚାରୀ, ଜାତୀୟ ସେବା ଯୋଜନା, ଏନ୍ସିସି ଏବଂ ଯୁବ ରେଡକ୍ରସ୍ ଛାତ୍ରଛାତ୍ରୀଙ୍କୁ ନେଇ ଏକ ମିନି ମାରାଥନ୍ କାର୍ୟ୍ୟକ୍ରମ କରାଯାଇଥିଲା। ପରେ ପରେ ସଫେଇ ଓ ବୃକ୍ଷରୋପଣର ଆୟୋଜନ କରାଯାଇଥିଲା।
ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳସଚିବ ପୀତାମ୍ଵର ଭୋଇ, ଉପକୁଳସଚିବ କ୍ୟାପଟେନ୍ ଜୟଦେବ ସାହୁ, ପିଜି କାଉନସିଲ୍ ଚେୟାରମ୍ୟାନ୍ ହିମାଂଶୁ ଚରଣ ଷଡଙ୍ଗୀ, ପୂର୍ବତନ କୁଳସଚିବ ପଦ୍ମଲୋଚନ ଭୁଏ, ପରୀକ୍ଷା ନିୟନ୍ତ୍ରକ ଅଖିଳ ନାଏକ, ଏନ୍ଏସଏସ୍ ଅଧିକାରୀ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ, ଯୁବ ରେଡକ୍ରସ୍ ଅଧିକାରୀ ସଞ୍ଜୀବ ସାହୁ ଏବଂ ଡକ୍ଟର ରାଧାରାଣୀ ନାୟକ ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

Comments are closed.