ମୁମ୍ବାଇ,୧୭/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ୭୦ତମ ଜନ୍ମଦିନ । ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକ ଅଶେଷ ଶୁଭକାମନା ଜଣାଉଛନ୍ତି । ସୋସିଆଲ ମିଡ଼ିଆରେ ଲୋକେ ତାଙ୍କ ଦୀର୍ଘାୟୁ କାମନା କରୁଛନ୍ତି । ବଲିଉଡର ଅନେକ କଳାକାର ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କୁ ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରଣାୱତ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ ଭିଡିଓ ଜାରି କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆମେ ବହୁତ ଭାଗ୍ୟଶାଳୀ, ଆମକୁ ଆପଣଙ୍କ ଭଳି ପ୍ରଧାନମନ୍ତ୍ରୀ ମିଳିଛନ୍ତି ।
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଭିଡିଓରେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଜୀ, ଜନ୍ମଦିନର ବହୁତ ବହୁତ ଶୁଭକାମନା । ଆପଣଙ୍କ ସହ କଥା ହେବାକୁ କେବେ ମଉକା ମିଳିନି । କିନ୍ତୁ ମୁଁ କହିବାକୁ ଚାହୁଁଚି ଯେ ଦେଶ ଆପଣଙ୍କର ବହୁତ ପ୍ରଶଂସା କରେ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କୁ ଅପମାନ କରନ୍ତି, କିନ୍ତୁ ଆପଣ ବି ଜାଣିଛନ୍ତି ସେ ମାତ୍ର କିଛି ଲୋକ ।
କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ଆପଣଙ୍କ ପାଇଁ ଯାହା ଅନୁଭବ କରେ, ତାହା ମୁଁ ଯେତେବେଳେ ଦେଖେ ସେତେବେଳେ ଲାଗେ ଆଗରୁ କେବେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏତେ ଭକ୍ତି, ପ୍ରେମ, ସମ୍ମାନ ମିଳିଛି । ଶେଷରେ ଏତିକି କହିବାକୁ ଚାହୁଁଚି ଯେ, ଯେଉଁ କୋଟି କୋଟି ଜନତା ସୋସିଆଲ ମିଡ଼ିଆରେ ନାହାନ୍ତି, ଯାହାଙ୍କ ଆବାଜ ଆପଣଙ୍କ ପାଖକୁ ପହଞ୍ଚି ପାରୁନାହିଁ ସେମାନେ ମଧ୍ୟ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ଆମେ ବହୁତ ଭାଗ୍ୟଶାଳୀ ଯେ ଆମକୁ ଆପଣଙ୍କ ଭଳି ପ୍ରଧାନମନ୍ତ୍ରୀ ମିଳିଛନ୍ତି । ‘ଜୟ ହିନ୍ଦ’ ।