ବାଲିଗୁଡା, ତା, ୧୫/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହା ଶିବରାତ୍ରି ଜାଗର ଯାତ୍ରା ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଭୋରୁ ସମୟ ରୁ ହିଁ ଛୋଟ ପିଲାଠାରୁ ବୟସ୍କ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ବିଭିନ୍ନ ଶିବ ମନ୍ଦିରରେ ଦେଖିବାକୁ ମିଳିଛି। ‘ହର ହର ମହାଦେବ‘ ଏବଂ ଓଁ ନମଃ ଶିବାୟ ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଛି। ମନ୍ଦିର ପରିସରରେ ଭଜନ-କୀର୍ତ୍ତନ ଓ ଧୂପ-ଦୀପର ସୁଗନ୍ଧରେ ପରିବେଶ ପବିତ୍ର ହୋଇଉଠିଛି। ଅଞ୍ଚଳର ପ୍ରମୁଖ ଶିବମନ୍ଦିର ଯଥା ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦର ଧବଳେଶ୍ୱର ମନ୍ଦିର ଓ ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, ଟିକାବାଲି ର ଡୁଙ୍ଗି ସ୍ଥିତ ଶୈବ ପୀଠ ରେ ସମସ୍ତ ପ୍ରକାର ନୀତିକାନ୍ତି ସହ ଦିନତମାମ ପୂଜାର୍ଚ୍ଚନା ଓ ଅଭିଷେକ କାର୍ଯ୍ୟ ହୋଇଥିଲା। ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଜଳାଭିଷେକ କରି ଦର୍ଶନ କରିଥିଲେ। ଏହି ପବିତ୍ର ଅବସରରେ କନ୍ଧମାଳ ଜିଲ୍ଲାକୁ ଆସିଥିବା କିଛି ବିଦେଶୀ ଭକ୍ତମାନେ ମଧ୍ୟ ଶ୍ରଦ୍ଧାର ସହ ଶିବ ଆରାଧନା କରୁଥିବା ଦେଖାଯାଇଥିଲା। ଆସ୍ଥା ଓ ବିଶ୍ୱାସ ଅନୁସାରେ ମହାଶିବରାତ୍ରୀରେ ଉପବାସ ରଖି ଜାଗର କରି ଦୀପ ପ୍ରଜ୍ଜ୍ୱଳନ କଲେ ମନୋକାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି। ରାତ୍ରିରେ ମହାଦୀପ ପ୍ରଜ୍ଜ୍ୱଳନ ସହ ଜାଗର ଦୀପ ଜାଳିବା ପାଇଁ ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇ ଥିଲା। ସନ୍ଧ୍ୟା ସମୟରେ ଭଜନ-କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପରିଚାଳନା କମିଟି ଓ ପୁଲିସ ବିଭାଗ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।