ମାଞ୍ଚେଷ୍ଟର, ୧୬ା୯ (ଏଜେନ୍ସି) : ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୦୨/ ୭ ରନ୍ କରିଛି । ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୫୦ ଓଭର୍ରେ ୩୦୩ ରନ୍ ସଂଗ୍ରହ କରିବାକୁ ହେବ । ଗୁରୁତ୍ୱପୂର୍ଣ୍ଣ ଟସ୍ ଜିତି ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ମୋର୍ଗାନ୍ଙ୍କ ଏହି ନିଷ୍ପତ୍ତି ମହଙ୍ଗା ସାବ୍ୟସ୍ତ ହୋଇଥିଲା । କାରଣ ଦଳୀୟ ସ୍କୋର୍ ୦(ଶୂନ) ରନ୍ ବେଳେ ଜାସନ ରଏ ଓ ଜୋ ରୁଟ୍ ଖାତା ଖୋଲି ନପାରି ପାଭିଲିୟନ ଫେରିଯାଇଥିଲେ । କିନ୍ତୁ ଜନି ବେୟାରଷ୍ଟୋ, ସାମ୍ ବିଲିଙ୍ଗସ୍ ଓ କ୍ରିସ୍ ଓକ୍ସ ଧମାକାଦାର ଇନିଂସ ଖେଳି ଦଳୀୟ ସ୍ଥିତି ସୁଧାରି ଥିଲେ । ଏପରି କି ଏହି ତିନିଜଣ ବ୍ୟାଟ୍ସମ୍ୟାନ୍ଙ୍କ ଯୋଗୁଁ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୦୨/୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳୀୟ ସ୍କୋର୍ ୬୭ ରନ୍ ବେଳେ ୩ ୱିକେଟ୍ ହରାଇଥିବା ଇଂଲଣ୍ଡର ମଙ୍ଗ ଧରିଥିଲେ ବେୟାରଷ୍ଟୋ । ସେ ୧୨୬ଟି ବଲ୍ରୁ ୧୨ ଚୌକା ଓ ଦୁଇଟି ଛକା ମାରି ୧୧୨ ରନ୍ର ଉପଯୋଗୀ ଶତକୀୟ ଇନିଂସ୍ ଖେଳିଥିଲେ । ଅଧିନାୟକ ଇଅନ ମୋର୍ଗାନ ୨୮ ବଲ୍ରୁ ୨୩, ସାମ୍ ବିଲିଙ୍ଗସ ୫୮ ବଲ୍ରୁ ୫୭, କ୍ରିସ୍ ୱକ୍ସ ୩୯ ବଲ୍ରୁ ୫୩ ରନ୍ କରିଥିଲେ ।