Odisha news

ଚଳିତବର୍ଷ ଶୀତଋତୁରେ କନ୍ଧମାଳରେ ହେବ ଇକୋ-ରିଟ୍ରିଟ୍‌ : ଆକର୍ଷଣୀୟ ସ୍ଥାନର ସନ୍ଧାନ

ଭୁବନେଶ୍ବର : କନ୍ଧମାଳରେ ହେବ ଇକୋ-ରିଟ୍ରିଟ୍‌। ଏଥିପାଇଁ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି। ପୂର୍ବରୁ ଦାରିଙ୍ଗବାଡ଼ିରେ ଇକୋ-ରିଟ୍ରିଟ୍‌ ଆୟୋଜନ ହୋଇଥିଲା। ତେଣୁ ଚଳିତବର୍ଷ ଶୀତଋତୁରେ ପୁଣି ସେ ଧରଣର କାର୍ଯ୍ୟକ୍ରମ ହେବାକୁ ଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ।

ଆଜି ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ସେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଜିଲ୍ଲାରେ ପର୍ଯ୍ୟଟନର ଭିତ୍ତିଭୂମି ଓ ବିକାଶ ଉପରେ ଆଲୋଚନା କରିଛନ୍ତି। ରାଜ୍ୟରେ ଥିବା ପୂର୍ବଘାଟ ପର୍ବତାମାଳା ଶୃଙ୍ଖଳର ମଧ୍ୟସ୍ଥଳରେ ରହିଥିବା କନ୍ଧମାଳ ଜିଲ୍ଲାରେ ଅନେକ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି। ଅନେକ ଜଳପ୍ରପାତ ମଧ୍ୟ ରହିଛି। ତେଣୁ ଜିଲ୍ଲା ପ୍ରଶାସନ ସେସବୁ ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ଦେବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରେ ଏବେ ରାସ୍ତାଗୁଡ଼ିକ ସୁନ୍ଦର ଭାବେ ନିର୍ମାଣ ହୋଇଛି। ଏହାସହ ଜଙ୍ଗଲ ଓ ପ୍ରାକୃତିକ ପରିବେଶ ଆକର୍ଷଣୀୟ ହୋଇଥିବା କାରଣରୁ ପ୍ରକୃତିପ୍ରେମୀଙ୍କ ପାଇଁ ବାଇକିଂ ଭଳି କାର୍ଯ୍ୟକ୍ରମ ମଧ୍ୟ କରାଯାଇ ପାରିବ। ଗତବର୍ଷ ମଣ୍ଡାସୁରଠାରେ କ୍ୟାମ୍ପ କରାଯାଇଥିଲା। ମାତ୍ର ଏହାର ଯଥେଷ୍ଟ ପ୍ରଚାର ପ୍ରସାର ହୋଇପାରି ନ ଥିଲା। ତେବେ ଚଳିତବର୍ଷ ଏହାକୁ ଏକ ସୁଚିନ୍ତିତ କାର୍ଯ୍ୟକ୍ରମ ଭା‌ବେ ଗ୍ରହଣ କରି ଆୟୋଜନ କରାଗ‌ଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ। ଏହାଛଡ଼ା ଘରୋଇ ହୋଟେଲ ଉଦ୍ୟୋଗର ବିକାଶ କ୍ଷେତ୍ରରେ ଜିଲ୍ଲା ପ୍ରୋତ୍ସାହିତ କରିବାକୁ ‌ହେବ। ଜିଲ୍ଲାରେ ଏକ ସଂଗ୍ରହାଳୟ ସ୍ଥାପନ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା। ଏହି କାର୍ଯ୍ୟକମରେ ଜିଲ୍ଲାପାଳ ବୃନ୍ଦା ଡି., ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.