କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡିକର ମୁଖ୍ୟଙ୍କୁ ଭେଟି ବିଚାର ବିମର୍ଶ କରିବେ
ନୂଆଦିଲ୍ଲୀ:ଆସନ୍ତା ଗୁରୁବାର ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡିକର ମୁଖ୍ୟଙ୍କୁ ଭେଟିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। କାରଣ କରୋନା କାଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଆଦେଶ ମୁତାବକ ଋଣ କର୍ତ୍ତାଙ୍କ ପାଇଁ ମୋରାଟୋରିମ୍ ଅବଧି ଘୋଷଣା କରାଯାଇଥିଲା। ପ୍ରଥମେ ଏହାକୁ ଚଳିତବର୍ଷ ମାର୍ଚ୍ଚରୁ ମେ’ ମାସ ଯାଏ ଲାଗୁ କରାଯାଇଥିଲା।
ପରବର୍ତ୍ତୀ ସମୟରେ ମୋରାଟୋରିମ୍ ଅବଧିକୁ ଚଳିତମାସ ୩୧ ଯାଏ ବୃଦ୍ଧି କରାଯାଇଛି। ଅଗଷ୍ଟ ମାସରେ ଏହି ଅବଧି ଶେଷ ହେଉଥିବା ଯୋଗୁ ଏହାକୁ ଦୃଷ୍ଟିରେ ରଖି ଗତ ମୁଦ୍ରାନୀତି ସମୀକ୍ଷା ସମୟରେ ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲା। ବର୍ତ୍ତମାନ ପରିସ୍ଥିତିରେ ଏହି ଯୋଜନାକୁ କିଭଳି ଭାବେ କ୍ରିୟାନ୍ବୟନ କରାଯାଇପାରିବ ଏବଂ ଲୋକଙ୍କ ନିକଟରେ ଏହାର ଲାଭ ପହଞ୍ଚାଯାଇପାରିବ ସମୀକ୍ଷା ସମୟରେ ସେ ସମ୍ପର୍କରେ ଆଲୋଚନା କରାଯିବ।