କପିଳାସ ଅଭୟାରଣ୍ୟ ଜନ୍ତୁ ଶିକାରୀଙ୍କ କବଜାରେ : ହରିଣ ଛାଲ, ବଜ୍ରକାପ୍ତା ଜବତ ପରେ ବାଘଛାଲ ଜବତ କଲା ବନବିଭାଗ,ବାଘଛାଲ କାରବାରରେ ଶିକ୍ଷକ ଗିରଫ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବନଖଣ୍ଡର କପିଳାସ ଅଭୟାରଣ୍ୟ ଜନ୍ତୁ ଶିକାରୀଙ୍କ ଚରାଭୂଇଁ ପାଲଟିଥିବା ଖବର ବିଭିନ୍ନ ସମୟରେ ପ୍ରଚାରିତ ହୋଇଆସୁଥିଲେ ମଧ୍ୟ ନାକାମ୍ ବନବିଭାଗର ଦାୟିତ୍ୱହୀନତାକୁ ନେଇ ଏହି ଅଭୟାରଣ୍ୟକୁ ଜନ୍ତ୍ୁ ଶିକାରୀମାନେ ନିଜର ଚରାଭୂଇଁ ଭାବେ ପରିଗଣିତ କରିଦେଇଛନ୍ତି । ଏପରିକି ବଜ୍ରକାପ୍ତା ଭଳି ଦୂର୍ଲଭ ପ୍ରାଣୀ ଚୋରା ଚାଲାଣର ପେଣ୍ଠସ୍ଥଳ ଭାବେ ଏହି ଅଭୟାରଣ୍ୟ ଦେଖିବାକୁ ମିଳିଛି ।
ନୂତନ ବନଖଣ୍ଡ ଅଧିକାରୀ ଯୋଗଦେବା ପରେ ଏହି ଅଭୟାରଣ୍ୟରୁ ବନ୍ଧୁକ ସହିତ ଶିକାରୀ,ହରିଣ ଛାଲ,ଜୀବନ୍ତ ବଜ୍ରକାପ୍ତା ଆଦି ଜବତ କରାଯିବା ସହିତ ଶିକାରୀଙ୍କୁ ଗିରଫ କରାଯିବା ପରେ ଶିକାରୀ ମହଲରେ ଆତଙ୍କ ଖେଳିଯାଇଛି । ମାତ୍ର ଶିକାରୀମାନେ ନିଜର ଚରାଭୂଇଁ ଭାବେ ଭାବି ନେଇଥିବା ଏହି କପିଳାସ ଅଭୟାରଣ୍ୟକୁ ଛାଡିବାକୁ ନାରାଜ ହୋଇପଡିଛନ୍ତି । ବନବିଭାଗ ଏହି ଶିକାରୀ ମାନଙ୍କୁ ଉପରେ କଡାଦୃଷ୍ଟି ରଖିଥିବା ବେଳେ ଗତକାଲି ରାତିରେ ଏହି ଅଭୟାରଣ୍ୟରୁ ବାଘଛାଲ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଜବତ କରିଥିବାର ଖବର ବନବିଭାଗ ସୂତ୍ରରୁ ମିଳିଛି ।
ଗତକାଲି ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଂଚ କରାଯାଉଥିବା ବେଳେ ସୋରିଷିଆପଦା ଗ୍ରାମ ପଂଚାୟତର ଜାମୁନାଳିଆ ଗ୍ରାମର ନରେନ୍ଦ୍ର କୁମାର ଦିଘି ଯେକି କଟକ ଜିଲ୍ଲା ଶାଳଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାତିରେ ବାଇକ୍ ନଂ.ଓଡି ୦୫ ଏଚ ୦୫୭୨ ଯୋଗେ ଟାଙ୍ଗୀ ଆଡକୁ ଯାଉଥିବା ବେଳେ ଦେଓଗାଁ ଅଂଚଳରେ ଫରେଷ୍ଟ କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ । ଏହି ସମୟରେ ତାଙ୍କ ପାଖରୁ ଏକ କଳାବ୍ୟାଗ ଥିବାର ଦେଖି ତାକୁ ଖୋଲାଯିବାରୁ ସେଥିରୁ ୧୦୪ ସେମି ଲମ୍ବା ଓ ୩୮ ସେମି ଓସାରର ୨ଟି ବାଘଛାଲ,୧୭ଟି ବାଘନଖ, ୭୪ ସେମି ଲମ୍ବ ଓ ୨୪ ସେମି ଓସାରର ଚିତାବାଘ ଛାଲ ତା ସହିତ ୨ଟି ହରିଣ ସିଙ୍ଘ ଏବଂ ୧୪୦ ଗ୍ରାମ ଓଜନର ଏକ ହାତୀଦାନ୍ତ ଜବତ କରିଥିଲେ । ଜେରା ବେଳେ ଅଭିଯୁକ୍ତ ନରେନ୍ଦ୍ର ଏହି ସବୁ ଜିନିଷ କାମାକ୍ଷାନଗର ପୂର୍ବାଂଚଳ ରେଞ୍ଜର ବିରାଶାଳ ସେକ୍ସନ-୨ ଅଂଚଳର ବାଲିଖୁମା ଗ୍ରାମରେ ରହୁଥିବା ଶିକାରୀ ଅନନ୍ତ ମୁର୍ମୁ (୬୦) ଓ ଲକ୍ଷ୍ମଣ ମୁର୍ମୁ (୫୫)ତାଙ୍କ ଠାରୁ ଆଣିଥିଲା ବୋଲି କହିଥିଲେ ।
ବନବିଭାଗ କର୍ମଚାରୀଙ୍କ ଦ୍ୱାରା ନରେନ୍ଦ୍ରଙ୍କ ଠାରୁ ଓପୋ ମୋବାଇଲ, ଆଇଟେଲ୍ ମଲ୍ଟି ଫକ୍ସନାଲ କିପ୍ୟାଡ ଜବତ କରିଥିଲେ । ନରେନ୍ଦ୍ର ଠାରୁ ଖବର ପାଇ ବନବିଭାଗ ପକ୍ଷରୁ ବାଲିଖୁମା ଅଂଚଳରେ ଥିବା ଅନନ୍ତ ମୁର୍ମୁ ଓ ଲକ୍ଷ୍ମଣ ମୁର୍ମୁଙ୍କ ଘର ଖାନତଲାସ କରି ୨ ଜଣଙ୍କୁ ଗିରଫ କରାଯିବା ସହ ଅନନ୍ତ ମୁର୍ମୁଙ୍କ ଘରୁ ୨ଟି ହରିଣ ସିଙ୍ଘ,ଫାର୍ସା ୨ଟି, ଚାପଡ ୨ଟି,ଛୁରୀ ଗୋଟିଏ,ବାଘଦାନ୍ତ ୮ଟି ଜବତ କରିଥିବା ବେଳେ ଲକ୍ଷ୍ମଣ ମୁର୍ମୁଙ୍କ ଘରୁ ବାରହା ଦାନ୍ତ ଗୋଟିଏ ସେଟ୍, ୨ଟି କଇଁଛ ଖୋଳପା, ଗୋଟିଏ ଧନୁ, ୫ଟି ତୀର, ୯ଟି ଭାଲୁନଖ ଜବତ କରାଯାଇଥିଲା । ଗିରଫ ଶିକାରୀମାନଙ୍କୁ ମାମଲା ରୁଜ୍ଜୁ କରାଯାଇ ଗିରଫ ଅଭିଯୁକ୍ତ ମାନଙ୍କୁ ଗଁଦିଆ ଜୁଡିସିଆଲ ଫାଷ୍ଟକ୍ଲାସ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ।ଜାମିନ ନାମଂଜୁର ପରେ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବାର ଜଣାଯାଇଛି ।