ରାଜ୍ୟ ବାହାରୁ ରାଜଗାଙ୍ଗପୁର ଅଂଚଳକୁ ଫେରୁ ଥିବା ଶ୍ରମିକ, ବିଦ୍ୟାର୍ଥୀ ଏବଂ ଅନ୍ୟ ମାନଙ୍କର ୧୪ ଦିନର ବାଧ୍ୟତାମୂଳକ କ୍ଵାରେଣ୍ଟିନ ପାଇଁ ସରକାରୀ ନିର୍ଦେଶ କ୍ରମେ ବଗିଚାପଡା ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ସଂଗରୋଧ କେନ୍ଦ୍ରରେ ପରିବର୍ତ୍ତିତ କରାଯାଇଛି l ରାଜଗାଙ୍ଗପୁର ପୌରପାଳିକା ତରଫରୁ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ସହାୟତାରେ ୨୦୦ ଶଯ୍ୟା ଯୁକ୍ତ ଏହି କେନ୍ଦ୍ରରେ ଆଜି ସମସ୍ତ ବ୍ୟବସ୍ଥା ଆରମ୍ଭ କରାଯାଇଛି l
ଏ ସମ୍ପର୍କରେ ସୂଚନା ଦେଇ ରାଜଗାଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ରାଉତରାୟ କହିଥିଲେ, “ରାଜଗାଙ୍ଗପୁରରେ ବର୍ତ୍ତମାନ ୬ଟି ସଂଗରୋଧ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ଯେଉଁଠି ବେଡ଼, ଖାଦ୍ୟ, ପାଣି, ବିଜୁଳି ଏବଂ ସାନିଟାଇଜେସନ ର ବ୍ୟବସ୍ଥା କରାଯାଇଛି l ପ୍ରବାସୀ ଓଡ଼ିଆ ଆସିଲେ ଆମେ ସେମାନଙ୍କୁ ଭଲ ଭାବରେ ରଖିବା ପାଇଁ ଆମେ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ଅଛୁ l”
ଡାଲମିଆ ସିମେଣ୍ଟ ତରଫରୁ ଏହି ସଂଗରୋଧ କେନ୍ଦ୍ର ପାଇଁ ୨୦୦ ବେଡ଼, ୩୦୦ ବେଡ଼ସିଟ, ୩୦୦ ତକିଆ, ୩୦୦ ତକିଆ ଖୋଳ, ୧୦ ଲିଟର ସାନିଟାଇଜର ଯୋଗାଇ ଦିଆଯାଇଛି l ଏଥି ଛଡା ସଂଗରୋଧ କେନ୍ଦ୍ରରେ ଶୃଙ୍ଖଳା ବ୍ୟବସ୍ଥା ସମ୍ଭାଳିବା ପାଇଁ କମ୍ପାନୀର ୧୨ ଜଣ ସୁରକ୍ଷାକର୍ମୀଙ୍କୁ ଏଠାରେ ନିଯୁକ୍ତ କରାଯାଇଛି l
ଏହି ଅବସରେ ଡାଲମିଆ ସିମେଣ୍ଟର ପୁର୍ବାଞ୍ଚଳ ଉତ୍ପାଦନ ମୁଖ୍ୟ ଶ୍ରୀ ସୁନୀଲ କୁମାର ଗୁପ୍ତା କହିଥିଲେ, “ସମଗ୍ର ବିଶ୍ୱ ଏକ ଭୟାନକ ସମୟ ଦେଇ ଗତି କରୁଛି l କୋରୋନାର ପ୍ରଭାବରେ ଆଜି ସମସ୍ତେ ଆତଙ୍କିତ l କୋରୋନା ବିରୁଦ୍ଧ ଲଢେଇକୁ ଜିତିବାକୁ ହେଲେ ସରକାରଙ୍କ ସମସ୍ତ ନୀତି ନିୟମକୁ ସମ୍ପୂର୍ଣ ଭାବରେ ପାଳନ କରିବା ସହିତ ଆମକୁ ଆମର ଅଭ୍ୟାସରେ ମଧ୍ୟ ପରିବର୍ତନ କରିବାକୁ ହେବ l ଲୋକ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନେ ନିଜର ପରିବାର ଏବଂ ଅଂଚଳର ଭଲ ପାଇଁ ସ୍ଥାନୀୟ ପ୍ରଶାସନର ସହଯୋଗ କରି ୧୪ ଦିନିଆ ସଂଗରୋଧ ନିୟମାବଳୀକୁ ପାଳନ କରିବାର ଆବଶ୍ୟକତା ଅଛି l”
ଡାଲମିଆ ସିମେଣ୍ଟର ରାଜଗାଙ୍ଗପୁର କାରଖାନା ମୁଖ୍ୟ ଶ୍ରୀ ଲୋକେଶ ବାହେତି କହିଥିଲେ, “ଆଗାମୀ କିଛି ଦିନ ରାଜ୍ୟ ପାଇଁ ବେଶ ଜଟିଳ ରହିବ l ଏପରି ସମୟରେ ସ୍ଥାନୀୟ ଲୋକ ମାନେ ଘରେ ରହିବା ସହିତ ସାମାଜିକ ଦୂରୀକରଣ ମାନି ଚଳିବା ଉଚିତ l ବାହାରୁ ଆସୁଥିବା ସମସ୍ତ ଲୋକମାନଙ୍କ ପୌରପାଳିକାରେ ପଞ୍ଜିକରଣ କରିବାର ଆବଶ୍ୟକତା ରହିଛି l”
ଏହି ସଂଗରୋଧ କେନ୍ଦ୍ର ପାଇଁ ଡାଲମିଆ ସିମେଣ୍ଟ ତରଫରୁ ଯୋଗାଇ ଦିଆଯାଇଥିବା ସହାୟତା ପାଇଁ ପୌରପାଳିକା ତରଫରୁ କମ୍ପାନୀକୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା l