ଧର୍ମଶାଳା, ୪ । ୯ : ଧର୍ମଶାଳା ବ୍ଲକ ଜାରକାଠାରେ ଥିବା ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଠାରୁ ଉଠାଇନେବାକୁ ସରକାର ମସୁଧା କରୁଥିବା ନେଇ ଗତ କିଛିଦିନ ହେବ ଅଭିଯୋଗ ହୋଇଆସୁଅଛି । ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଂଚଳବାସୀଙ୍କ ମଧ୍ୟରେ ଉଦôବେଗ ପ୍ରକାଶ ପାଇଛି । ଏହି କାର୍ଯ୍ୟାଳୟକୁ ଏଠାରୁ ସ୍ଥାନାନ୍ତର ନକରିବା ସହ ଏଠାରେ ଖାଲି ପଡିଥିବା ପଦବୀ ସବୁ ପୂରଣ କରିବା ପାଇଁ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟ ଓଡିଶା ସରକାରଙ୍କ ଜଳସେଚନ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଭୂବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ବୁଧବାର ମନ୍ତ୍ରୀଙ୍କୁ ସାକ୍ଷାତ କରି ଶ୍ରୀ ଲାବଣ୍ୟ ଏ ନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥି ସହିତ ଜଳସେଚନ ବିଭାଗ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱର ଏବଂ ଅଧିକ୍ଷଣ ଯନ୍ତ୍ରୀ ଚଣ୍ଡିଖୋଲଙ୍କ ନିକଟକୁ ଏ ନେଇ ଦାବିପତ୍ର ପ୍ରେରଣ କରିଛନ୍ତି । ଧର୍ମଶାଳା ବ୍ଲକ ସମେତ ପଡୋଶୀ ରସୁଲପୁର, ବଡଚଣା ଓ ବରୀ ବ୍ଲକର ଚାଷଜମିକୁ ଜଳସେଚନ କରାଯିବା ସହିତ ଏଠାକାର ନଦୀବନ୍ଧ ଗୁଡିକର ସୁରକ୍ଷା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ୧୯୯୨ରେ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ଜାରକାଠାରେ ପ୍ରତିଷ୍ଠା କରାଯାଇଥିଲା ।

ଏହି ଡିଭିଜନ ଅଧିନରେ ଜଗତପୁର ଠାରୁ ବାହାରିଥିବା ହାଇଲେବୁଲ କେନାଲରୁ ସବ୍କେନାଲ ମାଧ୍ୟମରେ ଏହି ଅଂଚଳର ୧୦ ହଜାର ହେକ୍ଟର ଜମିକୁ ଜଳସେଚିତ କରାଯାଉଛି । ଏଠାରେ ବା୍ରହ୍ମଣୀ, ଖରସ୍ରୋତା, କେଲୁଅ, ବିରୂପା ନଦୀ ରହିଥିବା ବେଳେ ପ୍ରାୟ ୩୫୦ କି.ମି ନଦୀବନ୍ଧ ରହିଛି । ବନ୍ୟାନିୟନ୍ତ୍ରଣ, ବନ୍ଧନିର୍ମାଣ, ପଥର ପ୍ୟାକିଂ ଆଦି କାର୍ଯ୍ୟ ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏହି ଡିଭିଜନ ଅଧିନରେ ହୋଇ ଆସୁଥିବାରୁ ଏଠାରୁ କାର୍ଯ୍ୟାଳୟ ଉଠିଗଲେ ଧର୍ମଶାଳା ସମେତ ଚାରିଗୋଟି ବ୍ଲକର ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଶ୍ରୀ ଲାବଣ୍ୟ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହି ଡିଭିଜନରେ ନିର୍ବାହୀଯନ୍ତ୍ରୀ ପଦବୀ ସହିତ ତିନୋଟି ସବ୍ଡିଭିଜନର ସହକାରୀ ଯନ୍ତ୍ରୀ, ଦୁଇଟି କନିଷ୍ଠ ଯନ୍ତ୍ରୀ, ହିସାବ ରକ୍ଷକ, ମୁଖ୍ୟ କିରାଣୀ, ବରିଷ୍ଠ କିରାଣୀ ସମେତ ୨୦ ରୁ ଉଦ୍ଧ୍ୱର୍ ମଞ୍ଜୁରୀପ୍ରାପ୍ତ ପଦବୀ ଦୀର୍ଘଦିନ ଧରି ଖାଲି ପଡିଥିବା ବେଳେ ଏହାକୁ ପୂରଣ କରାଯାଉ ନଥିବାରୁ ଏଠାରୁ କାର୍ଯ୍ୟାଳୟ ଉଠିଯିବା ନେଇ ଅଂଚଳବାସୀଙ୍କ ମନରେ ସନେ୍ଦହ ଓ ଆଶଙ୍କା ପ୍ରକାଶ ପାଇଥିବା ନେଇ ଶ୍ରୀ ଲାବଣ୍ୟ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟାଳୟ ଏଠାରୁ ଉଠିଯିବା ନେଇ କୌଣସି ପ୍ରସ୍ତାବ ନାହିଁ କିମ୍ବା ଆଲୋଚନା ହୋଇନାହିଁ ବୋଲି ମନ୍ତ୍ରୀ ଆଲୋଚନା ସମୟରେ କହିଥିଲେ । ଏଠାରେ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଅନ୍ୟ ପଦବୀ ସବୁ ପୂରଣ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ଲାବଣ୍ୟଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here