ରବିବାର ଆଇସିସି ଚାମ୍ପିଅନ୍ସ ଟ୍ରଫିର ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ବିରାଟ ଏକାଧିକ ରେକର୍ଡ ସହ ବହୁ ପ୍ରତୀକ୍ଷିତ ଶତକ ଅର୍ଜନ କରି ଭାରତକୁ ଚମତ୍କାର ବିଜୟ ଦେଇଛନ୍ତି। ଭାରତୀୟ ଦଳ ଏକତରଫା ଭାବେ ୬ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି। ଅନ୍ୟପକ୍ଷରେ ବିଜେତା ତଥା ଆୟୋଜକ ପାକିସ୍ତାନ କ୍ରମାଗତ ପରାଜୟ ପରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେବାର ବିପଦରେ ପଡ଼ିଛି।ବୋଲରଙ୍କ କମାଲ୍ ପରେ ବିରାଟ କୋହଲିଙ୍କ ବହୁ ପ୍ରତୀକ୍ଷିତ ଶତକ ରବିବାରର ମୁକାବିଲାକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିଦେଇଛି। ବେଶ୍ ଗଣିଗଣି ରନ୍ ସଂଗ୍ରହ କରିବା ଭଳି କୋହଲି ଚୌକା ମାରିବା ସହ ଭାରତକୁ ବିଜୟ ମଣ୍ଡିତ କରିବା ତାଙ୍କ ପ୍ରଶଂସକଙ୍କ ମୁହଁରେ ଲମ୍ବା ସମୟ ପରେ ହସ ଫୁଟାଇଛି। ୧୧୧ ବଲ୍ରୁ ୧୦୦* ରନ୍ ସଂଗ୍ରହ ଭିତରେ କୋହଲି ମାତ୍ର ୭ଟି ଚୌକା ମାରିବା ତାଙ୍କ ଫିଟେନସ୍ ସ୍ତର, ଧୈର୍ଯ୍ୟ ଓ ସଂଜମତାର ବି ପରିଚୟ ଦେଇଛି। ଭାରତକୁ ବିଜୟ ଦେବାରେ କୋହଲିଙ୍କୁ ଶୁବମନ ଗିଲ୍ (୪୬ ରନ୍) ଓ ଶ୍ରେୟସ ଆୟର (୫୬ ରନ୍) ଭଲ ସହଯୋଗ କରିଥିଲେ। ଦୁବାଇର ମନ୍ଥର ପିଚ୍ରେ ଭାରତ ପାଇଁ ୨୪୨ ରନ୍ ଲକ୍ଷ୍ୟ କଷ୍ଟକର ହେବ ବୋଲି ମନେ ହେଉଥିବା ବେଳେ ବିରାଟଙ୍କ ବିରାଟ ପାଳି ପାଇଁ ସବୁକିଛି ସହଜ ହୋଇଯାଇଥିଲା। ୪୫ ବଲ୍ ପୂର୍ବରୁ ଭାରତ ୪ ୱିକେଟ୍ ହରାଇ ୨୪୪ ରନ୍ ସଂଗ୍ରହ କରି ନେଇଥିଲା। କୋହଲିଙ୍କ ଏହା ୫୧ତମ ଦିନିକିଆ ଶତକ ହୋଇଥିବା ବେଳେ ତାଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ୮୨ରେ ପହଞ୍ଚିଛି। ଆଇସିସି ଚାମ୍ପିଅନ୍ସ ଟ୍ରଫିରେ କିନ୍ତୁ କୋହଲି ନିଜ ପ୍ରଥମ ଶତକ ଅର୍ଜନ କରିଛନ୍ତି। ରବିବାର କୋହଲି ମଧ୍ୟ ୧୫୮ କ୍ୟାଚ୍ ସହ ଭାରତର ଅଗ୍ରଣୀ ଦିନିକିଆ କ୍ଷେତ୍ରରକ୍ଷକ ହୋଇଥିଲେ। ୧୪,୦୦୦ ରନ୍ ପୂର୍ଣ୍ଣ କରିବାରେ ବିଶ୍ବର ତୃତୀୟ ଖେଳାଳି ଏବଂ ଦ୍ରୁତତମ ଭାବେ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିଯାଇଥିଲେ। କୋହଲି ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ରବିବାରର ବିଜୟ ସହ ଭାରତ ମଧ୍ୟ ୨୦୧୭ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଦୁଇ ଦେଶର ରେକର୍ଡ ୩-୩ରେ ଟାଇ ହୋଇଯାଇଛି।ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରବିବାର ପାକିସ୍ତାନ ବିପକ୍ଷ ମୁକାବିଲା ବେଳେ ଏକାଧିକ ରେକର୍ଡ ଓ ମାଇଲ୍ଖୁଣ୍ଟର ଅଧିକାରୀ ହୋଇଛନ୍ତି। ପାକିସ୍ତାନ ପାଳି ବେଳେ ଦୁଇଟି କ୍ୟାଚ୍ ନେଇଥିବା କୋହଲି ଦିନିକିଆ ଅନ୍ତର୍ଜାତୀୟରେ ଭାରତର ଅଗ୍ରଣୀ କ୍ୟାଚର୍ ହୋଇଛନ୍ତି। ତାଙ୍କ ମୋଟ କ୍ୟାଚ୍ ୧୫୮ରେ ପହଞ୍ଚିଛି। ସେ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ (୧୫୬)ଙ୍କୁ ପଛରେ ପକାଇଛନ୍ତି। ବିଶ୍ବ କ୍ରିକେଟ୍ରେ କିନ୍ତୁ କୋହଲି ଏବେ ତୃତୀୟରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ (୨୧୮) ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୧୬୦) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଭାରତୀୟଙ୍କ ତାଲିକାରେ କୋହଲି (୧୫୮), ଆଝାରୁଦ୍ଦିନ୍ (୧୫୬)ଙ୍କ ପଛକୁ ସଚିନ ତେନ୍ଦୁଲକର (୧୪୦), ରାହୁଲ ଦ୍ରାବିଡ଼ (୧୨୪), ସୁରେଶ ରାଇନା (୧୦୨) ପରବର୍ତ୍ତୀ ୩ ସ୍ଥାନରେ ରହିଛନ୍ତି। ଭାରତ ବ୍ୟାଟିଂ କରିବା ବେଳେ କୋହଲି ଆଉ ଏକ ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ବିଶ୍ବ ରେକର୍ଡକୁ ବି ପଛରେ ପକାଇ ଦେଇଛନ୍ତି। ବ୍ୟକ୍ତିଗତ ଭାବେ ୧୫ ରନ୍ ଛୁଇଁବା ବେଳେ କୋହଲି ଦିନିକିଆ ଅନ୍ତର୍ଜାତୀୟରେ ୧୪,୦୦୦ ରନ୍ ପୂର୍ଣ୍ଣ କରିଥିଲେ। ବିଶ୍ବର ତୃତୀୟ ଖେଳାଳି ଭାବେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ ମଧ୍ୟ ୧୪,୦୦୦ ରନ୍ ସଂଗ୍ରହରେ ଦ୍ରୁତତମ ହୋଇଛନ୍ତି। କୋହଲି ମାତ୍ର ୨୮୭ ପାଳି ଖେଳି ଏଠାରେ ପହଞ୍ଚିଥିବା ବେଳେ ସଚିନ ୩୫୦ ପାଳି ଏବଂ କୁମାର ସାଙ୍ଗାକାରା ୪୭୮ ପାଳି ଖେଳି ୧୪,୦୦୦ ରନ୍ ପୂର୍ଣ୍ଣ କରିଥିଲେ।