Odisha news

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

0

ବାରିପଦା  : ଶହିଦ୍ ସ୍ମୃତି ଭବନ ଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ ରୂପଭାନୁ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦ୍ଘାଟନ କରି ତାଙ୍କ ଅଭିଭାଷଣରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ସ୍ୱାସ୍ଥ୍ୟ ସେବାକୁ ଅନୁଷ୍ଠାନ ବାହାରକୁ ନେଇ ଗୋଷ୍ଠୀ ଓ ପରିବାର ପାଖରେ ପହଞ୍ଚାଇବାରେ ଆଶା କର୍ମୀ ମାନଙ୍କ ଉଦ୍ୟମ ସର୍ବ ସ୍ୱୀକାର୍ଯ୍ୟ । ସ୍ୱାସ୍ଥ୍ୟ ସେବା ଅନ୍ତର୍ଗତ ସରକାରଙ୍କ ଯେଉଁସବୁ ଯୋଜନା ଅଛି ସେଗୁଡିକର ସଫଳ ରୂପାୟନ ତଥା ଉପାନ୍ତ ଓ ଦୁର୍ଗମ ଅଂଚଳରେ ରୋଗୀ ମାନଙ୍କ ଦ୍ୱାର ଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କେବଳ ଆଶାକର୍ମୀ ମାନଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ କରୋନା ସମୟରେ ଅଙ୍ଗନବାଡି କର୍ମୀଙ୍କ ସହ ମିଶି ଆଶାକର୍ମୀ ମାନେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ନିଜ ଜୀବନ ପ୍ରତି ଥିବା ବିପଦକୁ ଭୃକ୍ଷେପ ନକରି ଯେଉଁଭଳି ଭାବେ ଲୋକ ମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଂଚାଇ ଥିଲେ ସେଥିପାଇଁ ସେମାନେ ପ୍ରସଂଶାର ପାତ୍ରୀ ।

ଏହି ଅବସରରେ ଜିଲ୍ଲାରେ ଖୁବ୍ଶୀଘ୍ର କାର୍ଯ୍ୟକାରି ହେବାକୁ ଯାଉଥିବା ଆମ ଡାକ୍ତର ଖାନା ଯୋଜନା ସମ୍ବନ୍ଧରେ ପ୍ରକାଶ କରି କହିଥିଲେ କି ଏହି ଯୋଜନାରେ ଜିଲ୍ଲାରେ ଥିବା ସିଏଚ୍ସି, ଏସ୍ଡିଏଚ୍ ଏବଂ ଡିଡିଏଚର ଭିତ୍ତିଭୂମି ବିକାଶ ସହିତ ବିନାମୂଲ୍ୟରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିବ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥି ମାନେ ମଧ୍ୟ ଆଶାକର୍ମୀ ମାନଙ୍କ ଉତ୍ସସର୍ଗୀକୃତ ସ୍ୱାସ୍ଥ୍ୟ ସେବା ପ୍ରଦାନ ସମ୍ବନ୍ଧରେ ନିଜ ନିଜ ବକ୍ତବ୍ୟ ରଖି ସେମାନଙ୍କ ଭୂମିକା କୁ ଭୁୟସୀ ପ୍ରସଂଶା କରିଥିଲେ.ଏହି ଅବସରରେ ଅତିଥି ମାନେ ଜିଲ୍ଲା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୩ ଜଣ ଆଶା କର୍ମୀ ଯଥାକ୍ରମେ ଯଶିପୁର ବ୍ଲକ ବାଉଁଶନାଳୀ ସବସେଣ୍ଟରର ଜ୍ୟୋତ୍ସ୍ନାରାଣୀ ମହାନ୍ତ ପ୍ରଥମ, ବେତନଟୀ ବ୍ଲକ ନହଣ୍ଡାଷୋଳ ସବସେଣ୍ଟରର ଜ୍ୟୋତ୍ସନାରାଣୀ ମହାନ୍ତ ଦ୍ୱିତୀୟ ଓ ଶୁକୃଳି ବ୍ଲକ ଗଲୁସାହି ସବସେଣ୍ଟରର ସୁଭଦ୍ରା ନାଏକକୁ ଯଥାକ୍ରମେ ୨୫ହଜାର, ୨୦ହଜାର, ଓ ୧୫ହଜାର ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ ।

ସେହିପରି ୨୬ଟି ବ୍ଲକର ୨୬ଗୋଟି ଗାଁ କଲ୍ୟାଣ ସମିତିକୁ ପ୍ରତ୍ୟେକ ଙ୍କୁ ୧୦ହଜାର ଲେଖାଏଁ ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ ଶାନ୍ତନୁ କୁମାର ଦାଶ, ଡାଃ ବନମାଳୀ ପ୍ରଧାନ, ଡାଃ ଆର୍ଯ୍ୟ ମିଶ୍ର, ଡାଃ ସୁନନ୍ଦା ମିଶ୍ର, ବୈଦ୍ୟନାଥ ମୁଣ୍ଡା, ଅନ୍ନପୂର୍ଣ୍ଣା ସିଙ୍କୁ, ପ୍ରଭୁ ପ୍ରତ୍ୟାନ୍ତ ପତି, ବିଶ୍ୱରଂଜନ ରାଉତ, ସ୍ୱର୍ଣ୍ଣଲିକା ମହାନ୍ତି ଓ ଶୁଭେନ୍ଦୁ ବରାଳ ପରିଚାଳକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ଏବଂ ବିଭିନ୍ନ ବ୍ଲକରୁ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତିର ସଦସ୍ୟ, ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Govt
Leave A Reply