ଭିଜିଲାନସ ସ୍କାନରରେ ଦର୍ପଣ ଓ ଧର୍ମଶାଳା ତହସିଲର : ଭିଜିଲାନସ ଓ ଜଙ୍ଗଳ ବିଭାଗ ସ୍ୱତନ୍ତ୍ର ସ୍କାଡ଼୍ ଚଢାଉ , ୫ଟି ବେଆଇନ କଳାପଥର ଗାଡ଼ି ଜବତ
ଚଣ୍ଡିଖୋଲ : ଦୀର୍ଗ ଦିନ ଧରି ଯାଜପୁର ଜିଲାର ଦର୍ପଣ ଓ ଧର୍ମଶାଳା ତହସିଲରେ ଚାଲି ଆସିଥିବା ବେଆଇନ କଳା ପଥର ଓ ମାଙ୍କଡ଼ା ଖଣି ଲୁଟ୍ ପାଟ୍ ଏବେ ରାଜ୍ୟ ଭିଜିଲାନ୍ସ ବିଭାଗ ସ୍କାନରକୁ ଯାଇଛି । ରାଜ୍ୟ ଭିଜିଲାନସ ଏ.ଡ଼ି.ଜି ଦେବାଶିଶି ପାଣିଗ୍ରାହୀଙ୍କ ନିଦେ୍ର୍ଦଶରେ ବୁଧବାର ଦିନ ବିଳମ୍ବିତ ରାତିରେ ଏହି ଅଞ୍ଚଳରେ ଭିଜିଲାନସ ଓ ଜଙ୍ଗଳ ବିଭାଗ ସ୍ୱତନ୍ତ୍ର ସ୍କାଡ଼୍ ଚଢାଉ ଆରମ୍ବ କରିଛି । ଏହି ରାତି ଅଧିଆ ଚଢାଉ ସମୟରେ ଚଢେଇଧରା ଠାରୁ ଚଣ୍ଡିଖୋଲ ମଧ୍ୟରେ ୫ଟି ବେଆଇନ କଳାପଥର ବୋଝେଇ ଟ୍ରକ୍ ଏହି ସ୍କାର୍ଡ଼ ହାତରେ ଧରାପଡ଼ିଛି । ଗାଡ଼ିଗୁଡ଼ିକୁ ଜବତ କରାଯାଇ ଭଗତପୁର ସ୍ଥିତ ଜଙ୍ଗଳ ବିଭାଗ ଷ୍ଟକ୍ ଗାଡ଼୍ରେ ରଖାଯାଇଛି ।
ଭିଜିଲାନସ ବିଭାଗ ଅଧିନ ଜଙ୍ଗଳ ବିଭାଗର ଏସି.ଏଫ୍ ରଜନୀକାନ୍ତ ମହାନ୍ତି, ଚଣ୍ଡିଖୋଲ ଫରେଷ୍ଟର ଶଶିକାନ୍ତ ବେହେରା ଓ ୨୦ଜଣରୁ ଉର୍ଦ୍ଧ ଅଧିକାରୀ ଏହି ଚଢାଉରେ ସାମିଲ ହୋଇଥିଲେ । ଜବତ ଗାଡ଼ିର ନମ୍ବର ହେଉଛି (ଓ.ଆର ୦୪ ଡ଼ି ୩୬୯୫, ଓ.ଆର ୦୯ ଏଫ ୭୮୬୬, ଓ.ଆର ୦୪ ଜି ୬୪୬୫, ଓ.ଆର ୦୪ ପି ୪୩୭୯, ଓ.ଆର ୦୯ଏଫ ୪୩୪୮) । ସମସ୍ତ ଗାଡ଼ି ଏବେ ବଡ଼ ବଡ଼ କଳାପଥର ଖଣ୍ଡ ଲୋଡ଼ ଥିବା ଦେଖାଯାଇଛି । ଚଢାଉ ବେଳେ ଗାଡ଼ି ଡ୍ରାଇଭରମାନେ କୌଣସି କାଗଜପତ୍ର ଦେଖାଇ ପାରିନଥିବାରୁ ଏହା ଚୋରା ମାଲ ଓ ଜଙ୍ଗଳ ଜମିରୁ ଲୁଟ୍ ହୋଇଥାଇ ପାରେ ବୋଲି ଏସି.ଏଫ୍ ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି । ଏହି ବେଆଇନ କାରବାର ବନ୍ଦ ହେବା ପର୍ଯ୍ୟନ୍ତ ଏପରି ଚଢାଉ ଅବ୍ୟହତ ରହିବ ବୋଲି ଭିଜିଲାନସ ପକ୍ଷରୁ ସୁଚନା ମିଳିଛି । ଏହି ଚଢାଉ ଫଳରେ ରାତି ଅଧରେ ଖଣିଜ ପଦାର୍ଥ ଲୁଟ୍ ପାଟ କରୁଥିବା ମାଫିଆ ଓ ଗାଡ଼ି ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ବୁଧବାର ରାତି ୧୦.୩୦ରୁ ଭୋର ୩ଟା ପର୍ଯ୍ୟନ୍ତ ଭିଜିଲାନସ ଅଧିକାରୀମାନେ ଚଢାଉ କରିଥିଲେ ।