ଭଞ୍ଜନଗର : ଘରେ ପଶି ମହିଳାଙ୍କୁ ହାଣିଲେ ଦୁବୃର୍ତ୍ତ । ଏଭଳି ଏକ ଅଭାବନୀୟ ଘଟଣା ନିକଟସ୍ଥ କଇଁଣ୍ଡି ଗ୍ରାମରେ ସଂଗଠିତ ହୋଇଛି । ଆସିକା ଥାନା ଅନ୍ତର୍ଗତ ଖପରା ନୂଆଁଗାଁ ଗ୍ରାମର ଜଣେ ଯୁବକ ନିଜର କିଛି ସହଯୋଗୀଙ୍କ ସହ ଭଞ୍ଜନଗର ଥାନା ଅନ୍ତର୍ଗତ କଇଁଣ୍ଡି ଗ୍ରାମରେ ପଶି ଭଞ୍ଜ ବେହେରାଙ୍କ ପତ୍ନୀ ଯମୁନା ବେହେରା(୨୫)ଙ୍କୁ ଖଣ୍ଡାରେ ହାଣି ଫେରାର ହୋଇଯାଇଛନ୍ତି । ଆଉ ଗୁରୁତର ଅବସ୍ଥାରେ ସଂପୃକ୍ତ ମହିଳାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ଏଠାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
କଇଁଣ୍ଡି ଗ୍ରାମର ଭଞ୍ଜ ବେହେରାଙ୍କ ସୂଚନା ପ୍ରକାରେ ଆସିକା ଥାନା ଅନ୍ତର୍ଗତ ଖପରା ନୁଆଁଗାଁରେ ତାଙ୍କ ଶାଳୀର ବାହାଘର ବର୍ଷକ ତଳେ ହୋଇଥିଲା । ତେବେ ବିବାହ ପରଠାରୁ ଶାଳୀର ଶାଶୁଘର ଲୋକମାନେ ତାକୁ ନିର୍ଯ୍ୟାତନା ଦେଇ ଆସୁଛନ୍ତି । ଏଥିପାଇଁ ଅନେକ ସମୟରେ ଭଞ୍ଜ ନିଜ ପତ୍ନୀ ଯମୁନାଙ୍କ ସହ ମିଶି ଶାଳୀ ଘରକୁ ଯାଇ ବୁଝାଶୁଝା କରି ପରିବାରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଥିଲେ । ତେବେ ଏହି ଘଟଣାକୁ ଭଞ୍ଜଙ୍କ ସଢୁଭାଇ ଭିନ୍ନ ଦୃଷ୍ଟିରେ ଦେଖିବାସହ ଭଞ୍ଜଙ୍କ ପରିବାର ଉପରେ ଖପ୍ପା ହୋଇ ପଡିଥିଲେ ।
ଆଉ ଶୁକ୍ରବାର ଭଞ୍ଜ ବେହେରା ଘରେ ନଥିବାବେଳେ ତାଙ୍କ ସଢୁ ୪ଜଣଙ୍କ ସହ ଆସି ଭଞ୍ଜଙ୍କ ପତ୍ନୀ ଯମୁନାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ଯୁମୁନା ଚିକ୍ରାର କରିବାରୁ କାଳେ ଗ୍ରାମବାସୀ ଏକାଠି ହୋଇଯିବେ ଏହି ଭୟରେ ଏମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଖବରପାଇ ଭଞ୍ଜ ତୁରନ୍ତ ଘରକୁ ଯାଇ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିବା ସୁଚନା ଦେଇଛନ୍ତି । ନିଜ ଭୋଉଣୀର ପରିବାର ସଜାଡିବାକୁ ଉଦ୍ୟମ କରି ଶେଷରେ ମରଣାନ୍ତକ ଆକ୍ରମଣର ଶୀକାର ହୋଇଛନ୍ତି ଯମୁନା ବେହେରା ।