• ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକମାନଙ୍କୁ ଛଡ଼ାଯିବ ନାହିଁ, ଶିକ୍ଷା ମାଫିଆଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
• ନିଟ୍ ପୁନଃ ପରୀକ୍ଷା ଆସନ୍ତା ଜୁନ୍ ୨୧ରେ ଅନୁଷ୍ଠିତ ହେବ, କୌଣସି ଗୁଜବ ତଥ୍ୟରେ ବିଶ୍ୱାସ କରନ୍ତୁ ନାହିଁ, ଧୈର୍ଯ୍ୟର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ
• ପୁନଃର୍ବାର ହେଉଥିବା ପରୀକ୍ଷା ପାଇଁ ପିଲାମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ପୂର୍ବରୁ ଦିଆଯାଇଥିବା ପରୀକ୍ଷା ଫି’ ଫେରସ୍ତ କରାଯିବ, ଏହି ପରୀକ୍ଷା ସମ୍ପୂର୍ଣ୍ଣ ମାଗଣା ହେବ
• ପରୀକ୍ଷାର୍ଥୀଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ, ୧୫ ମଇ, ୨୦୨୬ – ଛାତ୍ରଛାତ୍ରୀଙ୍କ ପରିଶ୍ରମ ପ୍ରତି ସରକାର ସମ୍ବେଦନଶୀଳ । ରାଷ୍ଟ୍ରୀୟ ସ୍ୱାର୍ଥ ତଥା ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସମ୍ପୂର୍ଣ୍ଣ ଅଧିକାର ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ପରୀକ୍ଷା ପ୍ରଣାଳୀରେ ସ୍ୱଚ୍ଛତା ଆଣିବା ପାଇଁ ଆସନ୍ତା ବର୍ଷ ଠାରୁ ନିଟ୍ ପରୀକ୍ଷା ଓଏମଆର ସିଟ୍ ବଦଳରେ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ବା ସିବିଟି ମୋଡ୍ରେ କରାଯିବ ।
ଶ୍ରୀ ପ୍ରଧାନ ନିଟ୍ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା, ସାଧୁତା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗତ ମେ’ ୩ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ଅଭିଯୋଗ ନିବାରଣ ପ୍ରଣାଳୀ ମାଧ୍ୟମରେ ଏକ ଆପତ୍ତି ମିଳିଥିଲା ଯେ ବଜାରରେ ଉପଲବ୍ଧ କିଛି ‘ଗେସ୍ ପେପର’ର ପ୍ରଶ୍ନ ସହ ଚଳିତ ବର୍ଷର ମୂଳ ପ୍ରଶ୍ନପତ୍ରର ସାମଞ୍ଜସ୍ୟ ରହିଛି । ଏହାକୁ ଗମ୍ଭୀରତାର ସହ ନେଇ ଉଚ୍ଚଶିକ୍ଷା ବିଭାଗ ଏବଂ ଏନଟିଏ ତୁରନ୍ତ ଏକ ପ୍ରାଥମିକ ସମୀକ୍ଷା କରି ମାମଲାକୁ ଭାରତ ସରକାରଙ୍କ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରିଥିଲେ । ବିଭିନ୍ନ ରାଜ୍ୟର ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା କରାଯାଇ ଏହା ନିଶ୍ଚିତ ହୋଇଥିଲା ଯେ, ‘ଗେସ୍ ପେପର’ ଆଳରେ ପ୍ରକୃତ ପରୀକ୍ଷା ପ୍ରଶ୍ନପତ୍ର ହିଁ ଲିକ୍ କରାଯାଇଥିଲା।
ଶ୍ରୀ ପ୍ରଧାନ କହିଛନ୍ତି, କୌଣସି ଯୋଗ୍ୟ ଓ ମେଧାବୀ ଛାତ୍ର ଶିକ୍ଷା ମାଫିଆ କିମ୍ବା ଜାଲିଆତି କରୁଥିବା ବ୍ୟକ୍ତିଙ୍କ ଷଡ଼ଯନ୍ତ୍ର ଯୋଗୁଁ ନିଜର ଅଧିକାରରୁ ଯେପରି ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଆମେ ପରୀକ୍ଷା ବାତିଲ କରିବାର କଠୋର ନିଷ୍ପତ୍ତି ନେଇଥିଲୁ । ପୂର୍ବରୁ ହୋଇଥିବା ଅନିୟମିତତା ପରେ ଗଠିତ ‘ରାଧାକୃଷ୍ଣନ୍ କମିଟି’ର ପ୍ରତ୍ୟେକ ସୁପାରିଶକୁ ୨୦୨୫ ଏବଂ ୨୦୨୬ ବର୍ଷ ପାଇଁ ଅକ୍ଷରେ ଅକ୍ଷରେ ପାଳନ କରାଯାଇଥିଲା। ଏହା ସତ୍ତ୍ୱେ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବାରୁ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ସରକାର ସମସ୍ତ ପରୀକ୍ଷାର୍ଥୀଙ୍କୁ ଧୈର୍ଯ୍ୟର ସହ ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସେ ଅନୁରୋଧ କରିଛନ୍ତି।
ପରୀକ୍ଷା ପରିଚାଳନାରେ ସଂପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବାକୁ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଭୁଲ୍ କାର୍ଯ୍ୟ ପ୍ରତି ଆମର ‘ଶୂନ୍ୟ ସହନଶୀଳତା’ ରହିଛି ଏବଂ ଏହା ପରୀକ୍ଷା ମାଫିଆଙ୍କ ବିରୁଦ୍ଧରେ ଏକ ଲମ୍ବା ଲଢ଼େଇ। ସିବିଆଇ ତଦନ୍ତରେ କୌଣସି ବି ଦୋଷୀଙ୍କୁ ଛଡ଼ାଯିବ ନାହିଁ। ଶିକ୍ଷା ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ଚିନ୍ତାକୁ ଦୂର କରିବା ପାଇଁ ସରକାର ଏବଂ ଏନଟିଏ କେତେକ ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିଛନ୍ତି । ନିଟ୍ ପୁନଃ ପରୀକ୍ଷା ଆସନ୍ତା ଜୁନ୍ ୨୧ରେ ଅନୁଷ୍ଠିତ ହେବ । ପୁନଃ ପରୀକ୍ଷା ପାଇଁ ପିଲାମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଦେଇଥିବା ଫି’ ଫେରସ୍ତ କରାଯିବ ଏବଂ ଏହି ପରୀକ୍ଷା ସମ୍ପୂର୍ଣ୍ଣ ମାଗଣା ହେବ । ପରୀକ୍ଷାର୍ଥୀମାନେ ପୁଣି ଥରେ ନିଜ ପସନ୍ଦର ପରୀକ୍ଷା ସହର ବାଛିପାରିବେ। ଏଥିପାଇଁ ଏନଟିଏ ପକ୍ଷରୁ ଏକ ସପ୍ତାହ ସମୟ ଦିଆଯିବ । ପରୀକ୍ଷା ସମୟକୁ ୧୫ ମିନିଟ୍ ବୃଦ୍ଧି କରାଯାଇଛି । ପୂର୍ବରୁ ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଥିବାବେଳେ ଏବେ ଏହା ୫ଟା ୧୫ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀଙ୍କ ଗମନାଗମନ ସୁବିଧା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ । ସମସ୍ତ ପରୀକ୍ଷାର୍ଥୀଙ୍କୁ ଜୁନ୍ ୧୪ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଏନଟିଏରେ ରହିଥିବା ସମସ୍ତ ତ୍ରୁଟିକୁ ସୁଧାରି ଏଥିରେ ‘ଶୂନ୍ୟ ତ୍ରୁଟି’ ସୁନିଶ୍ଚିତ କରାଯିବ । ଆମେ ସମସ୍ତେ ପ୍ରାର୍ଥୀମାନଙ୍କ ପାଇଁ ବହୁତ ଦୁଃଖିତ ଏବଂ ଚିନ୍ତିତ, କିନ୍ତୁ ରାଷ୍ଟ୍ର ସ୍ୱାର୍ଥ ତଥା ମେଧାବୀଙ୍କ ହକ ପାଇଁ ଆମକୁ ଏହି କଠିନ ନିଷ୍ପତ୍ତି ନେବାକୁ ପଡ଼ିଲା । ଆମେ ଏଥର କୌଣସି ଭୁଲ୍ କାର୍ଯ୍ୟ ହେବାକୁ ଦେବୁ ନାହିଁ । ସେ ସମସ୍ତଙ୍କୁ କୌଣସି ଗୁଜବ ବା ଭୁଲ ତଥ୍ୟରେ ବିଶ୍ୱାସ ନକରିବାକୁ ଅନୁରୋଧ କରିବା ସହ ଧୈର୍ଯ୍ୟର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଛନ୍ତି ।