ଆମେରିକା ପୋଲିସର ନିଷ୍ଠୁରତା : ପୋଲିସ ଗୁଳିରେ ପୁଣି ଜଣେ କୃଷ୍ଣକାୟଙ୍କ ମୃତ୍ୟୁ,ଇସ୍ତଫା ଦେଲେ ଆଟ୍ଲାଣ୍ଟା ପୁଲିସ ମୁଖ୍ୟ
ଆଟ୍ଲାଣ୍ଟା: ପୁଲିସ ବର୍ବରତା ଯୋଗୁଁ କୃଷ୍ଣକାୟ ଜର୍ଜ୍ ଫ୍ଲଏଡ୍ଙ୍କ ମୃତ୍ୟୁ ଘଟଣାକୁ ନେଇ ଆମେରିକାରେ ରଂଗେଭେଦ ହିଂସା ସାମାନ୍ୟ ଥମିଥିବା ବେଳେ ଏବେ ପୁଣି ଆଟ୍ଲାଣ୍ଟାରେ ଆଉ ଏକ ଘଟଣା ମାମଲାକୁ ଜଟିଳ କରିଦେଇଛି। ଆଟ୍ଲାଣ୍ଟାରେ ଜଣେ କଳା ଲୋକଙ୍କୁ ପୁଲିସ ଗିରଫ କରିବାକୁ ଯିବା ସମୟରେ ସେ ଖସି ଯିବାକୁ ଚେଷ୍ଟା କରିବାରୁ ପୁଲିସ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲା । ପୁଲିସ ଗୁଳିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଏହାକୁ କେନ୍ଦ୍ର କରି ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନାନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ନାମ ରେସାର୍ଡ୍ ବ୍ରୁକ୍ସ। ସେ ୱେଣ୍ଡିସ୍ ରେସ୍ତୋରାଁରେ ତାଙ୍କ ଝିଅର ଜନ୍ମଦିନ ପାଳିବା ପାଇଁ ଆସିଥିଲେ ।
ତେବେ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରୁକ୍ସ ୱେଣ୍ଡିସ୍ ଫାଷ୍ଟ୍ ଫୁଡ୍ ରେସ୍ତୋରାଁ ନିକଟରେ ଏକ କାର୍ରେ ଶୋଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିବାକୁ ଯାଇଥିଲା। କାରଣ ୱେଣ୍ଡିସ୍ ଟ୍ରାଫିକ୍ ଜାମ୍ କରିଛନ୍ତି ବୋଲି ଅଭିଯୋଗ ଥିଲା। କିନ୍ତୁ ବ୍ରୁକ୍ସ ଏହା ଜାଣିପାରି ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ପୁଲିସ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣାର ଏକ ଭିଡଓ ଏବେ ପ୍ରସାରିତ ହୋଇଛି ଏବଂ ସମ୍ପୃକ୍ତ ଘଟଣାକୁ ବିରୋଧ କରି ଆଫ୍ରିକୀୟ ଆମେରିକୀୟମାନେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଆନ୍ଦୋଳନକାରୀମାନେ ଆଟ୍ଲାଣ୍ଟାରେ ଏକ ବିଶାଳ ହାଇୱେ ବନ୍ଦ କରିଦେଇଛନ୍ତି ଏବଂ ୱେଣ୍ଡିସ୍ ରେସ୍ତେରାଁରେ ନିଆଁ ଲଗାଇ ଦେଇଛନ୍ତି। ଘଟଣାକୁ ବିରୋଧ କରି ଆନ୍ଦୋଳନ ଓ ପୋଡ଼ାଜଳା ହେବାପରେ ଆଟ୍ଲାଣ୍ଟା ପୁଲିସ୍ ମୁଖ୍ୟ ଏରିକା ସିଲ୍ଡ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷେ ପୁଲିସ ବିଭାଗ ପକ୍ଷରୁ ବ୍ରୁକ୍ସଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ନେଇ ଜଣେ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି। ଫ୍ଲୟଡ୍ଙ୍କ ମୃତ୍ୟୁ ପରେ କଳା ଲୋକଙ୍କ ଉପରେ ପୁଲିସର ବର୍ବରତା ବିଷୟ ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏଭଳି ଆଉ ଏକ ଘଟଣା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି।