Odisha news

ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ

0

ଭୁବନେଶ୍ବର: ଓଡ଼ିଆ ଟିଭି ଚ୍ୟନେଲ୍‌ର ଜଣେ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ଦିନ ମାଡ଼ମାରିବା ମାମଲାରେ ଶନିବାର କମିସନରେଟ୍‌ ପୁଲିସ ସଞ୍ଜୟ ନାୟକ (ଟୁଟୁ)ଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ ତାଙ୍କର ଭୁବନେଶ୍ବର ଘରୁ ଉଠାଇ ଆଣି ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲା।

ଗତକାଲି ଖବର ସଂଗ୍ରହ ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଓ ଦୁର୍ବ୍ୟବହାର କରିବା ଭଳି ସଂଗିନ ଅଭିଯୋଗ ଆସିବା ପରେ ପୁଲିସ ଟୁଟୁ ନାୟକଙ୍କ ବିରୋଧରେ ପୁଲିସ କେସ୍‌ ନଂ-୫୫୩ରେ ଦଫା ୩୪୧, ୩୨୩, ୩୫୪ ଓ ୨୯୪ରେ ମାମଲା ରୁଜୁ କରିଥିଲା।

ଅଭିଯୋଗରେ ଦର୍ଶାଯାଇଛି ଯେ, ଅପରାହ୍‌ଣ ପାଖାପାଖି ୧୨.୩୦ ସମୟରେ ଦେବସ୍ମିତା ଓ ଅନ୍ୟ କିଛି ସାମ୍ବାଦିକ ଖବର ସଂଗ୍ରହ ପାଇଁ ଖାରବେଳନଗର ସ୍ଥିତ ସ୍ବସ୍ତି ସିନେମା ହଲ୍‌କୁ ଯାଇଥିଲେ। ସେମାନେ ଗେଟ୍‌ ସମ୍ମୁଖରେ ଅପେକ୍ଷା କରିଥିବା ବେଳେ ଟୁଟୁ ହଲ୍‌ରୁ ବାହାରି ସେମାନଙ୍କ ନିକଟକୁ ଆସିଥିଲେ। ଦେବସ୍ମିତା କିଛି ବୁଝିବା ପୂର୍ବରୁ ଟୁଟୁ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ଫଳରେ ଦେବସ୍ମିତାଙ୍କ ହାତରୁ ବୁମ୍‌ ଓ ମୋବାଇଲ୍‌ ଖସି ତଳେ ପଡ଼ିଥିଲା। କାହିଁକି ଚାପୁଡ଼ା ମାରିଲ ବୋଲି ପଚାରିବାରୁ ଟୁଟୁ ରାଗିଯାଇ ତାଙ୍କୁ ଗାଳି କରିବା ସହ ପୁଣି ତାଙ୍କ ପିଠିକୁ ଦୁଇ ଚାପୁଡ଼ା ମାରିଥିଲେ। ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ପ୍ରତିନିଧିମାନେ ଚକିତ ହୋଇ ପଡ଼ିଥିଲେ। ବୁମ୍‌ ଓ ମୋବାଇଲ୍‌ ଉଠାଇ ଦେବସ୍ମିତାଙ୍କୁ ଦେବା ସହ ସେମାନେ ଥାନାକୁ ଯାଇଥିଲେ। ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଏସବୁ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ମହିଳା କମିସନ ହସ୍ତକ୍ଷେପ କରିଛନ୍ତି। ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା କରିଛନ୍ତି। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ କମିସନରଙ୍କୁ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଦାବି ହୋଇଛି। ଏହା ସହ ଟୁଟୁ ନାୟକ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗନ୍ତୁ। ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

Govt
Leave A Reply