Odisha news

ଟୁ୍ୟସନ୍ ସାର୍

0

ସକାଳଖବର .କମ :ସଞ୍ଜୁ ସପ୍ତମରେ ପଢିଲେ କ’ଣ ହେବ ଚେହେରା ଦେଖିଲେ ଯିଏ ମନେ ସିଏ କହିବ କଲେଜ ଯିବଣି । ବାପା ମାଆଙ୍କର ଗୋଟିକିଆ ଝିଅ । ଯେତେବେଳେ ଯାହା ମାଗିଲା ଖାଇଲା । ବାପା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର ବରିଷ୍ଠ କିରାଣି । ସବୁଦିନେ ସନ୍ଧ୍ୟାବେଳକୁ କିଛି ନା କିଛି ଉପୁରି ପଇସା ପକେଟରେ ପଶେ । ମାଧବବାବୁ ନିଜେ କାହାକୁ ମୁହଁଖୋଲି ଲାଂଚଲୁଂଚା ମାଗନ୍ତିନି । ବଡବାବୁ ଅଫିସଯାକର ସମସ୍ତ କର୍ମଚାରୀଙ୍କ ଭାଗ ଠିକାଦାରମାନଙ୍କଠାରୁ ଆଦାୟ କରି ସନ୍ଧ୍ୟାରେ ଯେଝାଯେଝାର ପଦବି ଅନୁସାରେ ପାଉଣା ବାଂଟିଦିଅନ୍ତି । ଚକରା ପିଅନର ଭାଗ କିନ୍ତୁ ସବୁଦିନେ ସମାନ । ଦିନକୁ ଶହେଟଙ୍କା । ବଡବାବୁଙ୍କ ଖେଳେଇରେ ଯାହାପଡୁ ତା’ର କିଛି ଯା ଆସ ନାହିଁ । ଠିକ୍ ସନ୍ଧ୍ୟାଛଅଟାରେ ମୁଚୁକୁନ୍ଦ ହସଟିଏ ମୁହଁରେ ରଖି ବାଁପଟ କାନଉପର ବାଳକୁ କୁଣ୍ଡେଇକୁଣ୍ଡେଇ ଡାହାଣ ହାତରେ ମାଟିସୁରେଇ ଥଣ୍ଡାପାଣି ଗିଲାସେନେଇ ବଡବାବୁଙ୍କ ପାଖରେ ପହଁଚେ । ବଡବାବୁ ପିକଦାନୀରେ ପାନଛେପର ପିଚ୍କାରିଟିଏ ମାରି କୁନ୍ଥେଇକି ଡାହାଣପଟ କାଠ ଡ୍ର ଭିତରୁ ବଟୁଆଖୋଲି ଶହେଟଙ୍କିଆ ନୋଟ୍ ଖଣ୍ଡେ ବଢେଇ ଦିଅନ୍ତି । ଚକରା ନୋଟଟିକୁ ଛାତିପକେଟରେ ପୁରେଇ ମୁଣ୍ଡନୁଆଁ ନମସ୍କାର ଜଣେଇ ଅଫିସରୁ ବାହାରି ଯାଏ । ପଚାଶଟଙ୍କାର ନିଶାପାଣି, ବାକି ପଚାଶଟଙ୍କାରେ ସଉଦାପତ୍ର, ପନିପରିବା, କ୍ଷୀର ଇତ୍ୟାଦି ଧରି ଘରେ ପହଁଚିଲା ବେଳକୁ ସନ୍ଧ୍ୟା ସାତଟା ।


ଚକରା ନିଶାପାଣି ଖାଇଲେ ବି କାହାକୁ ଖରାପ ବ୍ୟବହାର କରେନି କି ଭାଷାଅଭାଷା କୁହେନି । ଏବେ ତା ଉପରେ ଗୋଟିଏ ଅତିରିକ୍ତ ଦାୟିତ୍ୱ ମାଧବବାବୁ ନ୍ୟସ୍ତ କରିଛନ୍ତି । ମାଧବବାବୁଙ୍କ ଝିଅ ସଞ୍ଜୁ ଗୋବିନ୍ଦସାର୍ଙ୍କ ପାଖକୁ ଛଅଟାରେ ଟୁ୍ୟସନ୍ ପଢିବାକୁ ଯିବ । ଆଜିକାଲିକା କଥା । ବାଟରେ ବାଳୁଙ୍ଗା ଟୋକା କେଇଟା ପୋଲକାନ୍ଥରେ ବସି ଗଞ୍ଜେଇଦଳି ଚିଲମ ଜାଳୁଛନ୍ତି । ନିଶାଦାଉରେ କେତେବେଳେ କୁଆଡେ ହାତ ମାରୁଛନ୍ତି କିଛି ବୁଝୁନାହାନ୍ତି । ଝିଅ ବଡ ହେଲାଣି ଯେତେବେଳେ ଏକୁଟିଆ ଛାଡିବାକୁ ମାଧବବାବୁଙ୍କ ସାହସ କୁଳଉନି । ଟୁ୍ୟସନ୍ ସରୁସରୁ ସନ୍ଧ୍ୟା ସାତଟା । ଚକରାର କାମହେଲା ସିଏ ଟୁ୍ୟସନ୍ପରେ ସଞ୍ଜୁକୁ ଗୋବିନ୍ଦସାର୍ଙ୍କ ଘରୁ ଆଣି ମାଧବବାବୁଙ୍କ ଘରେ ଛାଡିବ । ଏଥିପାଇଁ ନିଶାପାଣି କାର୍ଯ୍ୟକ୍ରମଟି ଚକରାର ଘଂଟାଏ ଡେରି ହେଉଛି ବୋଲି ତା ମନଟି ଟିକେ ଦୁଃଖ । କିନ୍ତୁ ହାକିମଙ୍କ କଥା ଯେତେବେଳେ ମନା କରିହେଉନି ।
ଗୋବିନ୍ଦସାର୍ଙ୍କର ପୁଅ କୁନୁ ନବମରେ ପଢୁଛି । ଭଲ ପଢେ । ଆଜିକାଲି ଶିକ୍ଷକମାନଙ୍କର ଶ୍ରେଣୀରେ ପଢେଇବା ଛଡା ବାହାରେ ହଜାରେ କାମ । ଜନଗଣନା, ଭୋଟର ଚିଠା ସଂଶୋଧନ, ଆଧାର କାର୍ଡ, ବିପିଏଲ୍ ଚିଠା, ସରକାରୀ ଯୋଜନା ସଚେତନତା ଆଦି ବେଠିକାମ ମାଷ୍ଟ୍ରମାନଙ୍କୁ କରିବାକୁ ପଡୁଛି । ସରକାରଙ୍କୁ ଲାଗୁଛି ମାଷ୍ଟ୍ରଗୁଡା ଗାଁ ଗହଳିରେ ଶାଗପଖାଳ ଖାଇ ସାଇକେଲ୍ ଚଢି ବହୁତପଇସା ରୋଜଗାର କରୁଛନ୍ତି । ତେଣୁ ବହୁତପ୍ରକାର ସର୍ଭେକାମ ଜରିଆରେ ଏମାନଙ୍କୁ ପ୍ରଶାସନ ଏତେ ବ୍ୟସ୍ତ ରଖୁଛି ଯେ ଶିକ୍ଷାଦାନ ପ୍ରକ୍ରିୟାଟି ତାଙ୍କପାଇଁ ଗୌଣ ହୋଇଯାଉଛି । ଏହାର ଫଳାଫଳ ସିଧାସିଧା ଛୁଆମାନଙ୍କ ପରୀକ୍ଷା ଫଳରୁ ଜଣାପଡୁଛି । କିନ୍ତୁ ନେତାଙ୍କର ଛୁଆମାନେ ତ ସହରର ଇଂରାଜୀ ମାଧ୍ୟମରେ ପଢନ୍ତି, ସେମାନେ ଏ ଅସନା ମାଗଣା ମଧ୍ୟାନ୍ନଭୋଜନ ମିଳୁଥିବା ବିଦ୍ୟାଳୟକଥାରେ କାହିଁକି ବା ମୁଣ୍ଡ ପୁରେଇବେ! ଗୋବିନ୍ଦସାର୍ଙ୍କର ପତ୍ନୀ ଅମ୍ବିକା ସଞ୍ଜୁକୁ ଝିଅପରି ଭଲ ପାଆନ୍ତି । ସବୁଦିନେ ପଚାରିବେ, ‘ ମା! ଆଜି କ’ଣ ଖାଇକି ଆସିଛୁ?’ ସାର୍ ଆସିବାକୁ ଡେରିଥିଲେ ଭଜାଚୁଡା ମୁଠାଏ କି ମୁଢି ବାରମଜା କିଛି ପାଟିରେ ପକେଇବାକୁ ସଞ୍ଜୁପାଖରେ ଆଣି ଥୁଅନ୍ତି ।


ଆଗରୁ କୁନୁ ତା ବାପାଙ୍କ ସାଙ୍ଗରେ ମୋଟରସାଇକେଲ୍ରେ ସ୍କୁଲ୍କୁ ଯିବାଆସିବା କରୁଥିଲା । କିନ୍ତୁ ଏବେ ସାର୍ଙ୍କର ବେଳେବେଳେ ଡେରିହେବା ଦେଖି ନିଜେ ସାଇକେଲ୍ ନେଇକି ସକାଳେ ସ୍କୁଲ୍ ଯାଉଛି, ସନ୍ଧ୍ୟାରେ ସ୍କୁଲ୍ ଛୁଟିହେବା ସଙ୍ଗେସଙ୍ଗେ ସିଧା ଘରକୁ ଫେରି ଆସୁଛି । ଆସିଲା ବେଳକୁ ସଞ୍ଜୁ ସଉପଟିଏ ଉପରେ ଚଦର ବିଛେଇ କୁନୁ ପଢାଘରେ ବହିଖୋଲି ବସିଥାଏ । କୁନୁ ବି ଆଜିକାଲି ଆଉ ବାହାରକୁ ଖେଳିବାକୁ ନଯାଇ ସଞ୍ଜୁସାମ୍ନାରେ ନିଜବହି ଧରି ପଢିବା ପାଇଁ ବସୁଛି । ଗୋଟିଏ ସ୍କୁଲ୍ରେ ଦୁଇଜଣଯାକ ପଢନ୍ତି । ଶ୍ରେଣୀକକ୍ଷା ଅଲଗା ଅଲଗା । ସଞ୍ଜୁର ସପ୍ତମକୁ କୁନୁର ନବମ । ମାତ୍ର ତିନିବର୍ଷ ବୟସରେ ସାନ ବଡ । ସଞ୍ଜୁର ବଢିଲା ବୟସ । ଦିନେଦିନେ ଘରପିନ୍ଧା ଢିଲା ପୋଷାକଭିତରୁ ସଞ୍ଜୁର ଉନ୍ମୁକ୍ତ ବକ୍ଷୋଜଦ୍ୱୟ ସାମ୍ନାପଟରୁ କୁନୁକୁ ସ୍ପଷ୍ଟ ଦେଖାଯିବାରୁ ତା’ର ଶରୀରରେ ଉନ୍ମାଦନା ସୃଷ୍ଟିକରେ । ଗତବର୍ଷରୁ କୁନୁର ନାକତଳେ ସଅଁବାଳୁଆ ରୁମପରି ଅଳ୍ପଅଳ୍ପ ନିଶ ଗଜୁରି ତାର ତରୁଣ ହେବାର ସଙ୍କେତ ଦେଲାଣି । ନିଜନିଜର ଅଜ୍ଞାତରେ ଦୁହେଁଦୁହିଁଙ୍କୁ ମନ ଦିଆନିଆ ହୋଇ ହୃଦୟରେ ଭଲପାଇ ବସିଲେଣି ।


ନିର୍ବାଚନ ସମୟ ଆସିଲା । ଗୋବିନ୍ଦସାର୍ ଗୋଟିଏ ଦୂରମଫସଲ୍ ଗାଁକୁ ନିରୀକ୍ଷକ ହିସାବରେ ତିନିଦିନ ପାଇଁ ଚାଲିଗଲେ । ସଞ୍ଜୁ ନିଜଘରେ ଏ ବିଷୟରେ କିଛି କହିଲାନି । ସାର୍ ଥିଲାବେଳେ ଯେମିତି ପ୍ରତିଦିନ ଟୁ୍ୟସନ୍ ପଢିବାକୁ ଆସୁଥିଲା ସେମିତି ଆସିଲା । କୁନୁ ବି ସବୁଦିନେ ତା ସହ ତାଙ୍କଘରେ ପଢିବାକୁ ବସେ । କିନ୍ତୁ ଏ ତିନିଦିନ କୁନୁ ନିଜେ ପଢିଛି କମ୍ ସଞ୍ଜୁକୁ ପଢେଇଛି ବେଶି । ସଞ୍ଜୁ ଗୃହଯୋଗ୍ୟା ହେବାର ଦୁଇବର୍ଷ ହେଲାଣି । ବାରବର୍ଷ ବୟସ ସିନା କିନ୍ତୁ ପୁରିଲାପୁରିଲା ଗାଲକୁ ଗୋରା ତକତକ ଚେହେରା ଦେଖି ମାଧବବାବୁଙ୍କର ଅନେକ ସହକର୍ମୀ ସଞ୍ଜୁକୁ ନିଜ ପୁଅପାଇଁ ବୋହୂ କରିବାକୁ ଆଖେଇଲେଣି । କିନ୍ତୁ ମାଧବବାବୁଙ୍କ ମନ ସଞ୍ଜୁକୁ ଏତେ ଶୀଘ୍ର ବାହାଦେବାରେ ନାହିଁ । ତାଙ୍କ ଇଚ୍ଛା ଏବେ ସଞ୍ଜୁ ପାଠପଢୁ ।
ସଞ୍ଜୁ ଗଣିତରେ ଦୁର୍ବଳ । କୁନୁର ଗଣିତ ଭଲହୁଏ । ସେଦିନ କୁନୁ ବାରମ୍ବାର ସଞ୍ଜୁକୁ ସହଜିଆ ଅଙ୍କଟିକୁ ବୁଝେଇଲା ପରେ ବି ସଞ୍ଜୁମୁଣ୍ଡରେ କିଛି ପଶୁନି । କୁନୁର ମୁହଁକୁ ସଞ୍ଜୁ ବଲବଲ ହୋଇ ଚାହୁଁଛି । ମଝିରେମଝିରେ କରେଂଟ ମାଇଲାପରି ଚମକି ପଡୁଛି । କୁନୁ ସଞ୍ଜୁର ଏମିତି ଅନ୍ୟମନସ୍କତା ଦେଖି ତା ପୁଚୁକା ବାଁ ଗାଲକୁ ନିଜର ବୁଢାଆଙ୍ଗୁଠି ଓ ବିଶିଆଙ୍ଗୁଠି ଟିପରେ ଚିପିଦେଲା । ପ୍ରଥମଥର ପାଇଁ କୁନୁ ସଞ୍ଜୁରଦେହକୁ ସ୍ପର୍ଶ କରିବାରେ ତା ନିଜଦେହରେ କେମିତି ଗୋଟାଏ ଅଜବ ଶିହରଣ ତାଳୁରୁ ତଳିପାଯାଏଁ ଚହଲିଗଲା । ସଞ୍ଜୁ ମୁରୁକିହସା ଦେଇ ମୁହଁତଳକୁ କରି ଗଣିତବହିର ଫର୍ଦ୍ଦ ପରେ ଫର୍ଦ୍ଦ ଧିରେଧିରେ ଲେଉଟାଉ ଲେଉଟାଉ ଦୁଇଆଖିର ଡୋଳାଦୁଇଟାକୁ ତେର୍ଚ୍ଛାକରି କୁନୁ ଆଡକୁ ଚାହିଁଲା । କୁନୁ ସଞ୍ଜୁଗାଲର ସେହି ଜାଗାଟି ନାଲି ପଡିଯିବା ଦେଖି ସରି ସରି କହୁକହୁ ନିଜର କଅଁଳ ପାପୁଲିରେ ସେହି ଗାଲଟିକୁ ଧିରେଧିରେ ଆଉଁସିବାକୁ ଲଗିଲା । କଅଁଳାବାଛୁରୀର ବେକ ଆଉଁସିଲା ବେଳେ ଯେମିତି ସିଏ ପୁରାବେକକୁ ପାଖକୁ ଦେଖାଇ ନିଶ୍ଚଳ ଭାବରେ ଛିଡାହୁଏ ସେହିପରି ସଞ୍ଜୁ ତା ଗାଲଟିକୁ କୁନୁ ଆଡକୁ ଦେଖେଇ ତାର କଅଁଳପାପୁଲି ଆଉଁସାରେ ମିଠାମିଠା ପରଶପାଇ ଧିରସ୍ଥିର ହୋଇ ବସିଥାଏ । କିଛି ସମୟପରେ ଦୁହେଁ ପ୍ରକୃତିସ୍ଥ ହେବା ପରେ କୁନୁ ଉଠିପଡି ମାଆଙ୍କୁ ଦେଖିବାକୁ ରୋଷେଇ ଘରକୁ ଗଲା । କାନ୍ଥଘଂଟା ଟିଙ୍ଗ୍ଟିଙ୍ଗ୍ ଶଦ୍ଦକରି ସୂଚାଇଦେଲା ସନ୍ଧ୍ୟାସାତଟା ବାଜିଗଲା । ଆଜି ଗୋଟାଏ ଅଙ୍କରେ ଘଂଟାଏ କେତେଶୀଘ୍ର କଟିଗଲା ଦୁହେଁ ଆଶ୍ଚର୍ଯ୍ୟ ହେଉହେଉ ଚକରା ପିଅନର ସାଇକେଲ୍ ଘଂଟିର କ୍ରିଂ କ୍ରିଂ ଶଦ୍ଦ ସଞ୍ଜୁକାନରେ ପଡିଲା । ଅମ୍ବିକା ମାଉସୀ ଭିତରୁ ଡାକ ପକେଇଲେ, ‘ସଞ୍ଜୁ! ଅଙ୍କଲ୍ ଆସିଲେଣି ।’
ସଞ୍ଜୁର ମନ ଏବେ ପକ୍ଷିରାଜ ଘୋଡାପରି ଆକାଶରେ ଉଡୁଛି । ଲଗାମଛଡା ମନଘୋଡାର ନାକରେ ଫାଶ ପଡିଥିବା ରେଶମ ଦଉଡିଟା ଯେତେ ଟାଣିଲେ ବି ହାତରୁ ଖସିଯାଉଛି । ବାଦଲରୁ ବାଦଲ ଡେଇଁଡେଇଁ ଜହ୍ନଆଡକୁ ଖୁରା ଉଠେଇଲା ବେଳକୁ ସଞ୍ଜୁ ଡରିଯାଏ । ଏବେ ଏବେ ତ ତାର ଅଷ୍ଟମ ଶ୍ରେଣୀ ଏବଂ କୁନୁଭାଇର ଦଶମ ହେଲା । ଦୁହିଁଙ୍କର ମିଳନପାଇଁ ଆଉରି ବହୁତ ବର୍ଷ ବାକି ଅଛି । ଏତେଗୁଡା ବର୍ଷର ଏତେସବୁ ଦିନଗୁଡା କେମିତି କଟିବ! ସବୁଠାରୁ ବଡଚିନ୍ତା ହେଲା ଆରବର୍ଷକୁ କୁନୁଭାଇ କଲେଜ ପାଠ ପଢିବାକୁ ସହର ପଳେଇବ । କୁନୁଭାଇ ପଳେଇଲେ ସଞ୍ଜୁକୁ ଆଉ ଏ ଗାଁ ସ୍କୁଲ୍ କ’ଣ ଭଲ ଲାଗିବ! ସାର୍ଙ୍କ ଘରେ ଅବଶ୍ୟ ଟୁ୍ୟସନ୍ ପଢା ଚାଲିବ । ଛୁଟିରେ ଆସିଲେ କେତେବେଳେ କେମିତି ଦେଖାହେବ ଯେ ସେତିକିରେ କ’ଣ ଅମାନିଆ ମନଟା ବୁଝିବ! ଏଇକଥା ଭାବି ଭାବି ସେଦିନ ସଞ୍ଜୁ ଅଗଣାରେ ଝୁଂଟି ଗୋଡନଖ ଫାଳେ ଉଠେଇ ଦେଇଛି । ମାଆ ମାଳତୀ ପଚାରିଲେ, ‘ତୋତେ କଣ ଦେଖାଯାଉନି?’ ଏତେ କଷ୍ଟ ହେଲେ ବି ମୁରୁକି ମୁରୁକି ହସି କହୁଥାଏ, ‘ଦେଖା ଯାଉଛି ଯେ ହେଲେ..ଦିଶିଲାନି ।’ ଆଉଦିନେ ଓଲଟା ସାର୍ଟ ପିନ୍ଧି ବାହାରକୁ ବାହାରୁଥିଲା ଯେ ମାଧବବାବୁ ଦେଖି କହିବାରୁ ଦେହରୁ ଓହ୍ଲେଇ ବଦଳେଇ ପିନ୍ଧିଲା । ଦିନେଦିନେ ଦାନ୍ତ ଘସିବାକୁ ଭୁଲିଯାଇ ଗାଧୋଇ ପଡି ଖାଇବାକୁ ବସିଲାବେଳେ ମନେ ପଡୁଛି ଯେ ଦାନ୍ତ ଘସିନି । ପିଣ୍ଡାରେ ବସିଲା ବେଳେ ଗୋଟାଏ ଆଡେ ଟକଟକି ଲଗେଇ ଏମିତି ଦଶଦଶ ମିନିଟ୍ ଚାହିଁବାର ମାଳତୀ କେତେଥର ଦେଖି ମାଧବବାବୁଙ୍କୁ କହିଲେଣି, ‘ସଞ୍ଜୁକୁ ବେଶିଦିନ ଆଉ ଆମ ପାଖରେ ରଖି ହେବନି । କୋଉଠି ଗୋଟାଏ କାହାକୁ ଠିକ୍ କରି ତା ସବାରି ସଅଳ ଉଠେଇବାକୁ ପଡିବ । ପଇସାପତ୍ର ଯୋଗଡ କର, ଅତିବେଶି ହେଲେ ଦି ବର୍ଷ । ଲାଗୁଛି ଆଇଏ ପାସ୍ କଲାଯାଏଁ ସମ୍ଭଳା ପଡିବନି । ଏତେ ଜଲଦି ତା’ଠେଇ ସବୁଯାକ ବିଦାହେବା ଲକ୍ଷଣମାନ ଦେଖାଗଲାଣି । ସେତିକି ଯାଏ ଗୋଡେଗୋଡେ ଜଗିବାକୁ ହେବ, ନହେଲେ କାହା ସାଙ୍ଗରେ ଯଦି ଛୁ କଲା ତେବେ ଇଜ୍ଜତ ମହତ ସାରିବ ।’
ଏଣେ କୁନୁ ପୁଅଟା ବୋଲି କେହି କିଛି ଜାଣି ପାରୁନଥାନ୍ତି । କୁନୁର ଦଶମ ସରିଲା ପରେ ବାରିପଦା ଏମ୍ପିସି କଲେଜରେ ନାଁ ଲେଖାହେଲା । ସେ ସେଇଠି କଲେଜ ହଷ୍ଟେଲରେ ରହି ପଢିଲା । ପନ୍ଦର ଦିନ କି ମାସକୁ ଥରେ ଘରକୁ ଗଲେ ସଞ୍ଜୁ ସାଙ୍ଗରେ ଭେଟ ହୁଏ । ସେହି ଟୁ୍ୟସନ୍ ବାହାନା । କୁନୁ ଘରକୁ ଆସିଥିଲେ ସଞ୍ଜୁ ଅଧଘଂଟା ପୂର୍ବରୁ ଟୁ୍ୟସନ୍ ପଢିବାକୁ ଆସିଯାଏ । ଆସୁ ଆସୁ ମିଛି ମିଛିକିଆ ଗଣିତ ବହି ଖୋଲି, ‘କୁନୁଭାଇ! କୁନୁଭାଇ! ଟିକେ ଏ ଅଙ୍କଟା ବୁଝେଇଦେଲ’ – ବୋଲି ରଡି ଛାଡେ । କୁନୁଭାଇ ତ ସେଇଥିପାଇଁ ସେଇ ପାଖରେ ନସରପସର ହେଉଥାନ୍ତି । ତୁରନ୍ତ ଯାଇ ଗଣିତ ପଢା ନାଁରେ ପାଖରେ ବସି କଥାବାର୍ତା ଜମିଯାଏ । – ‘କେତେଦିନ ଛୁଟି ଅଛି?’ – ‘ତିନି ଦିନ ।’ – ‘ବାରିପଦାରେ ମୋତେ ମନେ ପକାଅ?’ – ‘ସବୁଦିନେ ।’ – ‘କେତେବେଳେ?’ – ‘ଗାଧୋଇବା ବେଳେ ଗାଧୁଆ ଘରେ ।’ – ‘ ଉଁ! ଏମିତି ଓଦା ଅସନା ଜାଗାରେ କାହିଁକି?’ ଗାଧୁଆଘର ଭିତରେ ଗୋଟେ ଦର୍ପଣ ଅଛି । ସାବୁନ୍ ଲଗେଇ ସେଥିରେ ମୁହଁ ଦେଖିଲା ବେଳକୁ ବେଳେବେଳେ ତୁମ ମୁହଁ ମୋ କାନ୍ଧରେ ଥିବା ପରି ମନେହୁଏ । ଏଠି ମୁଁ କ’ଣ ତୁମର କେବେ ବି ମନେ ପଡେନି? – ବହୁତ ମନେ ପଡୁଛ । ମୋତେ କିଛି ଭଲ ଲାଗୁନି । ପଢିବାକୁ ବି ମନ ଲାଗୁନି । ଏଥର ପରୀକ୍ଷାରେ କେମିତି ପାସ୍ କରିବି ଚିନ୍ତା ହେଉଛି । ବହି ଖୋଲିଲା ମାନେ ସେଥିରେ ତୁମରି ମୁହଁ ତୁମରି ଆଖି ଦେଖାଯାଉଛି । ଏମିତି ଗପର ଆସର ଜମିଆସିଲା ବେଳକୁ ଗୋବିନ୍ଦସାର୍ଙ୍କ ମୋଟରସାଇକେଲ୍ ଶଦ୍ଦ ଦାଣ୍ଡପଟରେ ଶୁଭେ । କୁନୁ ବାଏ କହି ଧିରେ ସଞ୍ଜୁପାଖରୁ ଉଠି ଚାଲିଯାଏ । କୁନୁ ଯିବାର ତିନିମାସପରେ ସଞ୍ଜୁର ଦେହ ଭୀଷଣ ଖରାପ ହୋଇଗଲା । ସାରସକଣା ଡାକ୍ତର ଫେଲ୍ ମାଇଲେ । ବାରିପଦାରେ ମଳ, ମୂତ୍ର ଓ ରକ୍ତ ସହ ସମ୍ପୂଣ୍ଣ ଶରୀର ପରୀକ୍ଷା ନିରୀକ୍ଷା କରାଗଲା । କିନ୍ତୁ କିଛି ବାହାରିଲାନି । ସଞ୍ଜୁକୁ ଡାକ୍ତର ଦେଖେଇବାକୁ ମାଧବବାବୁ ବାରମ୍ବାର ଅଫିସରୁ ଛୁଟିନେଇ ବାରିପଦା ସହର ଆସି ବହୁତ ହଇରାଣ ହେଲେ । ଶେଷରେ ମାଧବବାବୁ ଜିଲ୍ଲାପାଳଙ୍କୁ ଦରଖାସ୍ତ କରି ବଡବାବୁଙ୍କ ସୁପାରିସ କ୍ରମେ ବାରିପଦାକୁ ବଦଳି ହୋଇ ଆସିଲେ ।

ବାରିପଦା ଆସିଲାପରେ ସଞ୍ଜୁ ଦିନେ ତା’ର ମାଆ ମାଳତୀଙ୍କୁ କହିଲା, ‘କୁନୁଭାଇକୁ ଡାକୁନୁ ଏଠି ମୋତେ ଟୁ୍ୟସନ୍ ପଢେଇବେ । ସନ୍ଧ୍ୟାରେ ଘଂଟାଏ ଲେଖା ଆସିଲେ ଅଙ୍କଗୁଡା ବୁଝେଇଦିଅନ୍ତେ ।’ କୁନୁଭାଇକୁ ଟେଲିପାଥି ହେଲାପରି ସେହିଦିନ ସନ୍ଧ୍ୟାରେ ଆସି ସଞ୍ଜୁଘରେ ହାଜର । •ଚା ଦେଉଦେଉ ମାଳତୀ ପଚାରିଲେ, ‘ପୁଅ କୁନୁ! ସଞ୍ଜୁର ଦେହଖରାପ ଯୋଗୁଁ ଏବେ ଏଠି କ୍ଲାସରେ ସିେ ଅଙ୍କ ବିଷୟ ମୋଟେ ଧରିପାରୁନି । ତୁମେଟିକେ ସଞ୍ଜବେଳେ ଅଧଘଂଟାଏ ଘଂଟାଏ ଆସି ଧରେଇଦେଲେ ହୁଅନ୍ତାନି । ଯାହା କହିବ ପଛେ ତା ବାପାକୁ କହିବି, ସିଏ ତୁମ ଟୁ୍ୟସନ୍ ଫିସ୍ ଦେଇଦେବେ ।’ ମଳୁ ଖୋଜୁଥିଲା କାକର ପାଣି । ବଇଦ କହିଲା ଦେ’ ତୋରାଣି । କୁନୁର ବାରିପଦା ସହରର ନୀରସ ଜୀବନରେ ଋତୁରାଜ ବସନ୍ତ ଆସିଲା । ରଜନିଗନ୍ଧାର ବାସ୍ନା ସହ ସଞ୍ଜୁପରି ଅପସରି ଝିଅଟିଏ କୁନୁ ମନ ବଗିଚାରେ ଦୋଳି ଖେଳିଲା । ମାଳତୀଙ୍କ କଥା ନ’ସରୁଣୁ ସଙ୍ଗେସଙ୍ଗେ କୁନୁ କହିଲା, ‘ଆଂଟି! ପଇସାଫଇସା କଥା ଛାଡନ୍ତୁ ।

ମୁଁ ସେମିତି ଆସି ସବୁସନ୍ଧ୍ୟାରେ ସଞ୍ଜୁକୁ ପଢେଇବି ।’ ମାଳତୀଙ୍କର ତ ବିବେକ ବୋଲି କିଛି ଅଛି । କୁନୁ କଲେଜ ପରେପରେ ସିଧା ସଞ୍ଜୁଘରକୁ ଆସିଯାଏ । ଦୁହେଁ ଏକାଠି ତାଙ୍କଘରେ ଜଳଖିଆ କରି ସାରିଲା ପରେ ପଢିବାକୁ ବସନ୍ତି । କୋଉଦିନ ସୁଜି ଉପମା ତ କୋଉଦିନ ଚୁଡାସନ୍ତୁଳା । କେବେକେବେ ପୁରି ଭୁଗୁନି ତ ଆଉକେବେ ଚକୁଳି ଡାଲ୍ମା । ମାଳତୀ ଆଂଟିଙ୍କ ହାତରନ୍ଧା ଖାଇଲା ପରେ କୁନୁର ଠାକରା ଗାଲଦୁଇଟା ପୁରିପୁରି କାଶ୍ମିରୀସେଓ ପରି ଦିଶିଲା । ଦିନେ ଥଟ୍ଟାରେ ସଞ୍ଜୁକୁ କୁନୁ କହିଲା, ‘ମୁଁ ଏବେ ବୁଝୁଛି ତୁମେ ଏତେ ସୁନାରୀ ପୁଚିକିଗାଲି କେମିତି ହେଲ?’ – ‘କେମିତି ହେଲି?’ – ‘ଆଂଟିଙ୍କର ଏତେ ଟେଷ୍ଟି ଖାଦ୍ୟ ଖାଇଲେ ଯିଏ ମନେ ସିଏ ତୁମପରି ସୁନ୍ଦରୀ ପୁଚିକିଗାଲି ହୋଇଯିବ ।’ ସଞ୍ଜୁର ମୁହଁ ଲଜ୍ଜାରେ ଝାଳେଇ ନାଲି ପଡିଗଲା ।
କୁନୁ ପାଖରେ ଟୁ୍ୟସନ୍ ପଢିବାପରେ ଦିନେହେଲେ ବି ସଞ୍ଜୁର ଦେହ ଖରାପ ହୋଇନି । ମାଧବବାବୁଙ୍କୁ ମୁଖ୍ୟ କାର୍ଯ୍ୟାଳୟ ବୋଲି ବାରିପଦା ବଦଳି ହୋଇ ଆସିବାପରେ ବେଶି ଖଟିବାକୁ ପଡୁଛି । ଆସୁଆସୁ ରାତି ଆଠଟା ଉପରେ ବାଜିଯାଉଛି । ଏହି ସମୟସୀମା ଭିତରେ କୁନୁ ସଞ୍ଜୁର ଟୁ୍ୟସନ୍ ସହ ଗପସପ ସାରି ହଷ୍ଟେଲ ଫେରିବାକୁ ଢେର ସମୟ ମିଳୁଛି । କିଛିଦିନ ଦୁହିଁଙ୍କର ସମୟ ଭଲରେଭଲରେ ଅତିବାହିତ ହେଲା । କୁନୁର ପ୍ଲସ୍ ଟୁ ସାଇନସ୍ ସରିଲା ପରେ ଇଂଜିନିୟରିଂ ପଢିବାପାଇଁ କଟକ ସହରକୁ ଚାଲିଗଲା । ଏବେ ସଞ୍ଜୁର ଦଶମ ଶ୍ରେଣୀ । କୁନୁର ଅବର୍ତ୍ତମାନରେ ସଞ୍ଜୁ ମାନସିକ ଭାରସାମ୍ୟ ହରାଇ ବସିଲା । ଗତଥର ସିନା ସଞ୍ଜୁ ଧରା ପଡିନଥିଲା ।

କିନ୍ତୁ ଏଥର ମାଳତୀ ସଞ୍ଜୁର ଦୁର୍ବଳତା କୁନୁପ୍ରତି ଥିବା କଥା ଜାଣିବା ସହ ଯାବତୀୟ ଶାରୀରିକ ଅସୁସ୍ଥତାର କାରଣ କେବଳ କୁନୁବୋଲି କେଇଟା ଦିନରେ ଧରି ପାରିଲେ । ନିଦରେ ସଞ୍ଜୁ – ‘କୁନୁଭାଇ! କୁନୁଭାଇ! ତୁମେ ଫେରିଆସ କୁନୁ ଭାଇ! ମୁଁ ଏଠି ଏକାଏକା ବଂଚି ପାରିବିନି’ – ବୋଲି ରାତି ଅଧରେ ବିଳିବିଳେଇବାର ମାଧବବାବୁ ଶୁଣି ବଡ ଚିନ୍ତାରେ ପଡିଗଲେ । ସ୍କୁଲ୍ର କାଉନ୍ସିଲର୍ ମାଧବବାବୁଙ୍କୁ ଡାକି କହିଲେ ସଞ୍ଜୁକୁ ନିରୋଲୋଜିରେ ଦେଖାଅ । ସଞ୍ଜୁ ଖିଆପିଆ ଛାଡିଦେଲା । ମାଳତୀ ଶେଷରେ କୁନୁକୁ ଆସିବାପାଇଁ ଚିଠି ଲେଖିଲେ । କୁନୁ ଚଠି ପାଇବା ଦିନ ସନ୍ଧ୍ୟାରେ ବାହାରି ସକାଳେ ମାଧବବାବୁଙ୍କ ଘରେ ପହଁଚିଗଲା । କୁନୁକୁ ଦେଖିବା ପରେ ସଞ୍ଜୁ ସମ୍ପୂର୍ଣ୍ଣ ସୁସ୍ଥ । ଦେହ ଖରାପ ଉଭେଇଗଲା, ସବୁକିଛି ଠିକ୍ଠାକ୍ । ସପ୍ତାହପରେ କୁନୁ କଟକ ଫେରିଗଲା ।
ଦୁହେଁ ଦୁହିଁକୁ ଭଲ ପାଉଛନ୍ତି ବୋଲି ସେପର୍ଯ୍ୟନ୍ତ କେହି କାହାକୁ କହି ନଥାନ୍ତି । ସବୁକିଛି ନିଜ ନିଜର ଅଜାଣତରେ ହୃଦୟର ଏତେ ଗଭୀରତାକୁ ଏ କଥା ଚାଲିଯାଇଥାଏ ଯେ କେହି କାହାକୁ ଛାଡି ଭିନ୍ନଭିନ୍ନ ସହରରେ ରହିବାକୁ ଅସମର୍ଥ ହେଉଥାନ୍ତି । ସେଇ କେତେଦିନ ରହଣି ଭିତରେ କଟକରେ କୁନୁ ତାର ଜଣେ ସହପାଠୀ ଆଗରେ ଦୈନିକ ସଞ୍ଜୁର ପାଦଠାରୁ ଆରମ୍ଭ କରି ଚୁଟିଯାଏ ଘଂଟାଏରୁ ଦୁଇଘଂଟା ବର୍ଣ୍ଣନା କରେ । ବେଳେବେଳେ ତା ହସ, ଗାଲ ମଝିରେ ଭଉଁରି, ତା ମୁହଁର ଗଢଣ ବିଷୟରେ କହୁକହୁ କୁନୁର ଆଖି ଭରିଆସେ । ଦୁହେଁ କେବେ ବି ତାଙ୍କର ସମ୍ପର୍କରେ ଅଶ୍ଲୀଳତାକୁ ଜାଗା ଦେଇ ନଥାନ୍ତି । ଖାଲି ଏମିତି ଦେଖାସାକ୍ଷାତ ସହ କିଛି ଗପସପ ଥଟ୍ଟାମଜାରେ ଦୁହିଁଙ୍କର ଆତ୍ମାକୁ ତୃପ୍ତି ମିଳିଯାଏ । ଏକଥା ଶେଷରେ ଉଭୟଙ୍କ ପିତାମାତାଙ୍କ କାନକୁ ଗଲା । ସଞ୍ଜୁର ଘରେ କୁନୁକୁ ପସନ୍ଦ କରନ୍ତି, କୁନୁର ମାଆ ଅମ୍ବିକା ବି ସଞ୍ଜୁକୁ ମନେମନେ ନିଜର ବୋହୁ କରିବାକୁ ଭାବିଥିଲେ ବୋଲି ପରେ ପ୍ରକାଶ କଲେ । ସମସ୍ତଙ୍କ ପାଖରେ ଏ ତଥ୍ୟ ଖୋଲା ହୋଇଯିବା ପରେ ଦୁହେଁ ଯୁଆଡେ ଇଚ୍ଛା ସିଆଡେ ସାଙ୍ଗ ହୋଇ ବୁଲିଲେ । ସବୁ ରବିବାର ନୂଆ ନୂଆ ସିନେମା ଦେଖିବାକୁ ଚାଲିଲେ ରକ୍ସି ସିନେମା ।
ସଞ୍ଜୁର ଦଶମ ପରୀକ୍ଷା ମାର୍ଚ୍ଚମାସର ଶେଷ ସପ୍ତାହରୁ ଆରମ୍ଭ ହେବାକୁ ସ୍ଥିର ହେଲା । ଠିକ୍ ସେତିକି ବେଳକୁ କୁନୁର ପରୀକ୍ଷାର ସମୟ ନିର୍ଘଂଟ ତାଙ୍କ ଅନୁଷ୍ଠାନରେ ଘୋଷଣା କରାଗଲା । ସଞ୍ଜୁ କହିଲା କୁନୁଭାଇ ନଆସିଲେ ସିଏ ବୋର୍ଡ ପରୀକ୍ଷା ଦେବନି । ସମସ୍ତେ ଚିନ୍ତାରେ ପଡିଗଲେ । ସଞ୍ଜୁ ଜିଦ୍ ଧରି କାହାକଥା ଶୁଣିଲାନି । କୁନୁ ବୁଝେଇବୁଝେଇ ଥକିଗଲା ସିନା ସଞ୍ଜୁ ବୁଝିଲାନି । ଶେଷରେ ଦୁହିଁଙ୍କର ଅଦ୍ଭୁତ ସମ୍ପର୍କ ଓ ସଞ୍ଜୁର ଦଶମ ବୋର୍ଡ ପରୀକ୍ଷାପାଇଁ କୁନୁ ତ୍ୟାଗ ସ୍ୱୀକାର କଲା । ସେ ତାର ଇଂଜିନିୟରିଂ ପାଠ୍ୟକ୍ରମ ଅଧାରୁ ଛାଡି ବାରିପଦା ଫେରିଆସି ଏମ୍ପିସି କଲେଜରେ ବିଏସ୍ସି ପାଠ୍ୟକ୍ରମରେ ଦାଖଲା ନେଲା ।

ସଞ୍ଜୁ ସେହିକଲେଜରେ ଆଇଏସ୍ସି ପାଠ୍ୟକ୍ରମରେ ଯୋଗଦେଲା । ସଞ୍ଜୁ ଓ କୁନୁ ଦୁହେଁ ତାଙ୍କରି ଘରେ ରହି ପଢାପଢି ଆରମ୍ଭ କଲେ । କୁନୁର ପେୟିଂଗେଷ୍ଟ ଫି ବଦଳରେ ସଞ୍ଜୁକୁ କୁନୁ ହିସାବରେ ସ୍ଥାୟି ଟୁ୍ୟସନ୍ ମାଷ୍ଟ୍ରଟିଏ ମିଳିଗଲା । କୁନୁର ବର୍ଷେ ନଷ୍ଟ ହେଲା । ଯାହାହେଉ କୁନୁର ବିଏସ୍ସି ପ୍ରଥମବର୍ଷକୁ ସଞ୍ଜୁର ଆଇଏସ୍ସି ପ୍ରଥମବର୍ଷ ଏକା କଲେଜରେ ହୋଇଗଲା । ଦୁହେଁ ଘରୁ ସାଇକେଲ୍ରେ ଆଗପଛ ହୋଇ ଯାଆନ୍ତି । ବେଳେବେଳେ ସାଇକେଲ୍ ଚକାରେ ପବନ ନଥିଲେ ସଞ୍ଜୁକୁ କୁନୁ ବସେଇ ଗୋଟିଏ ସାଇକେଲ୍ରେ ପଳାନ୍ତି । ଘରେ ସନ୍ଧ୍ୟାବେଳ ଟୁ୍ୟସନ୍ ସହ କୁନୁକୁ ପାହାନ୍ତିଆ ଉଠି ଦିନେଦିନେ ସଞ୍ଜୁକୁ ପଢେଇବାକୁ ପଡିଲା । ଯେତେବେଳେ ସଞ୍ଜୁର ଇଚ୍ଛା ସେତେବେଳେ କୁନୁକୁ ସଞ୍ଜୁ ଡାକିଲା ପାଠ ବୁଝେଇବାକୁ । କୁନୁ ବି ପାଠଗୁଡା ଏମିତି ଗୋଳି ବାଟି ସଞ୍ଜୁକୁ ପିଆଇଲା ଯେ ସଞ୍ଜୁର ଆଇଏସ୍ସି ଶେଷପରିକ୍ଷାରେ ହାୟର୍ଫାଷ୍ଟ ଡିଭିଜନ୍ ସହ ମେଡିକାଲ୍ ଏଂଟ୍ରାନ୍ସ ବି କ୍ଲିୟର୍ ହୋଇ କଟକ ଏସ୍ସିବି ମେଡିକାଲ୍ କଲେଜରୁ ଦାଖଲା ନେବାକୁ ସଞ୍ଜୁଘରକୁ ଡାକରେ ଆଡମିସନ୍ ସ୍ଲିପ୍ ଆସିଗଲା ।
ସଞ୍ଜୁ ଏସ୍ସିବି ମେଡିକାଲ୍ କଲେଜରେ ନାଁ ଲେଖାଇବାକୁ ପ୍ରସ୍ତୁତ ହେଲାବେଳେ କୁନୁ ନିଜକୁ ଅସୁରକ୍ଷିତ ମନେକଲା । ପାଂଚବର୍ଷ ପରେ ସଞ୍ଜୁ ଡାକ୍ତରାଣୀ ହୋଇଗଲେ ଯଦି ମନ ବଦଳେଇ ଦିଏ? ସିଏ ତ ତାରି ଯୋଗୁଁ ଇଂଜିନିୟରିଂ ପାଠ୍ୟକ୍ରମକୁ ଛାଡି ବିଏସ୍ସି ପରେ ବିଏଡ୍ କରି ଏବେ ଶିକ୍ଷକ ବୃତ୍ତିକୁ ଆଦରିବା କଥା ଚିନ୍ତା କରୁଛି । ଆଜିପର୍ଯ୍ୟନ୍ତ କିନ୍ତୁ ଦୁନିଆରେ କୋଉପୁଅ ମାଷ୍ଟ୍ର ହୋଇ ତ କେହି ଡାକ୍ତରଝିଅକୁ ବାହା ହୋଇନାହାନ୍ତି । ଓଲଟା ହୋଇପାରେ କିନ୍ତୁ ଏମିତି ଉଦାହରଣ କୋଉଠି ବି ନାହିଁ । ତେଣୁ ସଞ୍ଜୁକୁ ମେଡିକାଲ ପାଠ୍ୟକ୍ରମରେ ଯୋଗ ନଦେବାପାଇଁ ଅନୁରୋଧ କରିବାରୁ ସଞ୍ଜୁ ପ୍ରତ୍ୟାଖାନ କଲା । ତାପରେ ମାଳତୀଙ୍କ ମାଧ୍ୟମରେ ସଞ୍ଜୁକୁ ବୁଝାଇ ବିଫଳ ହେବାପରେ ଦିନେ କୁନୁ ତା ବାପାମାଆଙ୍କୁ ସଞ୍ଜୁ ଘରକୁ ନିମନ୍ତ୍ରଣ କଲା । ରବିବାର ସକାଳ । ମାଧବବାବୁଙ୍କର ଅଫିସ ଛୁଟି ଥାଏ । ଘଂଟାରେ ଦିନ ଦଶଟା ବାଜିବାକୁ ଅଳ୍ପ କିଛି ବାକି । ଏତିକିବେଳେ ଗାଁରୁ ଶିବପାର୍ବତୀ ବସ୍ରେ ପହଁଚିଲେ ଗୋବିନ୍ଦବାବୁ ଓ ତାଙ୍କର ଧର୍ମପତ୍ନୀ ଅମ୍ବିକା । ଫାଟକ ଭିତରେ ଦୁଇଜଣ ପଶିବା ଦେଖି କୁନୁ ବାପାମାଆଙ୍କୁ ପ୍ରଣାମ କରି ମାଧବବାବୁଙ୍କର ବୈଠକିଖାନାକୁ ନେଇଗଲା । ବୈଠକ ଖାନାରେ ପୂର୍ବରୁ ମହଜୁଦ ଥାଆନ୍ତି ସଞ୍ୁ ଓ ତାର ବାପା ମାଆ । ଅଳ୍ପସମୟ ଅପେକ୍ଷା କରି କୁନୁ ଗମ୍ଭୀର ଗଳାରେ ଆରମ୍ଭ କଲା ।
-“ମୁଁ କେବଳ ସଞ୍ଜୁପାଇଁ କଟକରୁ ଇଂଜିନିୟରିଂ ପାଠ ଅଧାରୁ ଛାଡି ଏଠିକି ଆସି ବିଏସସି ପଢୁଛି । ଏବେ ସିଏ ମେଡିକାଲ୍ ପାଇଛି ସତ, କିନ୍ତୁ ମୁଁ ପଢିବାକୁ ଦେବିନି । କାରଣ ଆମେ ଦୁହେଁ ଦୁହିଁଙ୍କୁ ଭଲପାଉ ଓ ବିବାହ କରିବୁ ବୋଲି ଆପଣ ସମସ୍ତେ ଜାଣନ୍ତି । ମୁଁ ମାଷ୍ଟ୍ର ହେଲାବେଳେ ସିଏ ଡାକ୍ତର ହେଲେ, ମୋତେ କେମିତି ବାହା ହେବ? ଲୋକେ କ’ଣ କହିବେ? ତେଣୁ ଆପଣଙ୍କ ସମସ୍ତଙ୍କ ଉପସ୍ଥିତିରେ ମୁଁ ସଞ୍ଜୁକୁ ନିବେଦନ କରୁଛି ଯେ ସିଏ ଏଇଠି ବିଏସ୍ସି ପଢୁ । ନଚେତ୍ ମୁଁ କ’ଣ ନାଇଁ କ’ଣ କରି ବସିବି ।

ନିଜେ ମରି ବି ପାରେ , ଅନ୍ୟ କାହାକୁ ମାରି ବି ପାରେ । ସେତେବେଳେ ତା ଦରକାର ପାଇଁ ମୁଁ ଆସିଥିଲି । ଏବେ ମୁଁ ତାକୁ ଛାଡି ରହିପାରିବିନି ।’- ଏତିକି କହି କୁନୁ ଦୁଇ ଆଖିରୁ ଦୁଇଧାର ଲୁହ ଗଢେଇ କୋଠରିରୁ ଚାଲିଯିବାକୁ ଉଦ୍ୟତ ହେଲାବେଳେ ସଞ୍ଜୁ ସମସ୍ତଙ୍କ ଉପସ୍ଥିତିକୁ ଅଣଦେଖା କରି କୁନୁକୁ ନିଜର ବାହୁ ଯୁଗଳରେ କୁଣ୍ଢେଇ ପକେଇ ପାଖ ଚଉକିରେ ବସେଇଦେଲା । ଝପଟି ନିଜର ପଢାଘର ଭିତରକୁ ଯାଇ ତା’ର ସମସ୍ତ ଶିକ୍ଷା ପ୍ରମାଣପତ୍ର ଓ ମେଡିକାଲ ଏଂଟ୍ରାନ୍ସ ଆଡମିଟ୍ ସ୍ଲିପ୍ଟି ଆଣି କୁନୁର ମୁହଁ ଆଗରେ ଚିରି ଚାରିଖଣ୍ଡ କରିଦେଇ ତାର ପାଦତଳେ ରଖି ମୁଣ୍ଡନୁଆଁଇ ପ୍ରଣାମକରି କହିଲା, ‘ଆଜିଠାରୁ ମୋର ପାଠପଢା ବନ୍ଦ । ମେଡିକାଲ୍ ନୁହେଁ କି କିଛି ବି ପଢିବା ମୋର ଦରକାର ନାହିଁ । ଯେତିକି ପଢିଲି ଯଥେଷ୍ଟ । ଆମ ବାହାଘର ଶୀଘ୍ର କର, ମୁଁ ମାସେ ଦୁଇମାସ ଭିତରେ ସବୁ ରୋଷେଇବାସ ଶିଖି ତୁମ ସାଙ୍ଗରେ ଏକାଠି ରହିବାକୁ ଚାହୁଁଛି । ଆଜିଠାରୁ କେହି କାହାଠାରୁ ଅଲଗା ହୋଇ ରହିବାନି ।’ ପରିଶେଷରେ ସେଇଆ ହିଁ ହେଲା ।

ବିଏସ୍ସି ପରେ ବିଇଡି ପାଠ୍ୟକ୍ରମ ମଝିରେ ଦୁହେଁ ବାପମାଆ ହୋଇଗଲେ । ସେବେଠାରୁ ଏପର୍ଯ୍ୟନ୍ତ ଗତ ଚାଳିଶିବର୍ଷ ଭିତରେ ଦିନକ ପାଇଁ ବି କେହି କାହାଠାରୁ ଅଲଗା ନରହି ଏକ ବିରଳ ରେକର୍ଡ କରିବାକୁ ସମର୍ଥ ହୋଇ ଦୁହେଁ ଏକ ବିରଳ ପ୍ରେମର ଉଦାହରଣ ସୃଷ୍ଟି କରିଛନ୍ତି । କୁନୁ ଏମିତି ଟୁ୍ୟସନ୍ ସାର୍ରୁ ହେଲା ଜଣେ ସଫଳ ପ୍ରେମିକ । ସଞ୍ଜୁ ଏପର୍ଯ୍ୟନ୍ତ କୁନୁକୁ ସାର୍ ବୋଲି ସମ୍ବୋଧନ କରିବା ଦେଖି ଅନେକ ପ୍ରଶ୍ନକଲେ ଲଜ୍ଜାରେ ଝାଁଉଳିଯାଇ କହେ ସିଏ ଥିଲେ ମୋର ଟୁ୍ୟସନ୍ ସାର୍ ।

Leave A Reply