ଓ୍ଵାସିଂଟନ୍: ‘ଷ୍ଟେଟ୍ ଅଫ୍ ୟୁନିୟନ୍’ ଅଭିଭାଷଣ ପାଇଁ ‘ୟୁଏସ୍ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍’ରେ ପହଞ୍ଚିଥିବା ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍ କରମର୍ଦ୍ଦନ (ହ୍ୟାଣ୍ଡ୍ସେକ୍) ନ କରିବାରୁ ବାଚସ୍ପତି ନାନ୍ସି ପଲୋସି ତାଙ୍କ ଅଭିଭାଷଣ କପିକୁ ଚରି ପକାଇଛନ୍ତି। ପଲୋସି ହେଉଛନ୍ତି ଟ୍ରମ୍ପ୍ଙ୍କର ଅନ୍ୟତମ ତୀବ୍ର ସମାଲୋଚିକା।
ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କୁ ଅଭିନନ୍ଦନ ଜଣାଇବାକୁ ନାନ୍ସି ପଲୋସି ତାଙ୍କ ଆଡ଼କୁ ହାତ ବଢ଼ାଇଥିଲେ, କିନ୍ତୁ ରାଷ୍ଟ୍ରପତି ତାଙ୍କୁ ନିଜ ଭାଷଣର ଗୋଟାଏ କପି ଧରାଇ ଦେଇ କରମର୍ଦ୍ଦନ କରିବାକୁ ମନା କରି ଦେଇଥିଲେ।
ଟ୍ରମ୍ପ୍ଙ୍କର ଏତାଦୃଶ ଆଚରଣ ପଲୋସିଙ୍କୁ ଆଘାତ ଦେଇଥିଲା ଓ ସେ ହତବାକ୍ ହୋଇଯାଇଥିବା ପରି ମନେହୋଇଥିଲା। ପରେ ସେ ରାଷ୍ଟ୍ରପତିଙ୍କ ପଛପଟେ ଚୁପ୍ଚାପ୍ ବସିଥିଲେ। ଥରକୁ ଥର ଭ୍ରୂକୁଞ୍ଚନ କରି ରାଷ୍ଟ୍ରପତିଙ୍କ ଅଭିଭାଷଣ ଶେଷଯାଏଁ ଗୋଟାଏ ପ୍ରକାର ଅବିଶ୍ୱସନୀୟ ହସ ହସୁଥିଲେ। ଅଭିଭାଷଣ ଶେଷରେ ରିପବ୍ଲିକାନ୍ମାନେ ତାଳିମାରିବା ବେଳେ ପଲୋସି ରାଷ୍ଟ୍ରପତି ଦେଇଥିବା ଅଭିଭାଷଣ କପିକୁ ଚିରି ପକାଇଥିଲେ।

ଏ ଭଳି କାହିଁକି କଲେ ବୋଲି ସାମ୍ବାଦିକମାନେ ପଚାରିବାରୁ ପଲୋସି କହିଲେ, ଏ ଘଟଣାର ବିକଳ୍ପ କଥା ବିଚାର କଲେ ଏହା ହିଁ ଭଦ୍ରାମି।
ପରେ ପରେ ୭୯ ବର୍ଷିୟ ପଲୋସି ଟୁଇଟ୍ କରି କହିଥିଲେ, କାର୍ଯ୍ୟ ହାସଲ ନ ହେବା ଯାଏଁ ଡେମୋକ୍ରାଟ୍ମାନେ ବନ୍ଧୁତ୍ୱର ହାତ ବଢ଼ାଇବାରୁ ବିରତ ହେବେନାହିଁ।