ଗୋଲାବନ୍ଧା : ବାଲେଶ୍ୱରର ବାହନଗା ଠାରେ ସଂଘଟିତ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତର ରଘୁବେଡା ଗ୍ରାମର ଭୁବନ ନାୟକଙ୍କ ମୃତ୍ୟୁ ଘଟିଛି। ଗତକାଲି ଠାରୁ ତାଙ୍କ ଫୋନ ରିଙ୍ଗ ହେଉଥିଲେ ମଧ୍ୟ ସେ ଉଠାଉନଥିବା ଯୋଗୁ ପରିବାର ଲୋକ ବ୍ୟତିବ୍ୟସ୍ତ ହେଇ ବାହାନଗା ଯାଇଥିଲେ ଓ ଅନେକ ସମୟ ବ୍ୟାକୁଳ ହେଇ ଖୋଜାଖୋଜି ପରେ କୁଢ଼କୁଢ଼ ଶବ ମଧ୍ୟରୁ ଭୁବନଙ୍କୁ ଚିହ୍ନଟ କରି ଶବ ନେଇ ଗାଁ କୁ ଫେରିଥିଲେ। ଆଜି ସକାଳେ ଘଟଗାଁ ବ୍ଲକ ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ଭାରପ୍ରାପ୍ତ ଜିପିଇଓ ନୀଳମଣି ଜେନା, ସାନ୍ତରାପୁର ସରପଞ୍ଚ ସେବତୀ ସିଂ , ଗ୍ରାମରୋଜଗାର ସେବକ ଏସ କେ ମହମ୍ମଦ ପ୍ରମୁଖ ମୃତକଙ୍କ ଗ୍ରାମ ରଘୁବେଡାରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ୩୦୦୦ ଟଙ୍କା, ଜିଲ୍ଲାପାଳଙ୍କ ରେଡ଼କ୍ରସ ପାଣ୍ଠିରୁ ୨୦୦୦୦ ଟଙ୍କା ଓ ମୃତଦେହ ବାଲେଶ୍ୱରରୁ ଗାଁ କୁ ଆଣିବା ବାବଦକୁ ୫୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏତଦଭିନ୍ନ ବିଡ଼ିଓ ଶ୍ରୀଯୁକ୍ତ ଉମାକାନ୍ତ ପରିଡାଙ୍କ ନିର୍ଦ୍ଦେଶକ୍ରମେ ମୃତକଙ୍କ ପତ୍ନୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଖୁବ ଶୀଘ୍ର ୨୦୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରେଇବାକୁ ବ୍ଲକ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଉଥିବା ଏବିଡ଼ିଓ ଶ୍ରୀ ନାୟକ ପ୍ରକାଶ କରିଥିଲେ। ଏଠାରେ ସୂଚନା ଥାଉ କି ରେଳ ଦୁର୍ଘଟଣାର ମୃତକଙ୍କୁ କେନ୍ଦ୍ର ରେଳ ମଂତ୍ରାଳୟ ସୌଜନ୍ୟରୁ ୧୦ ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୌଜନ୍ୟରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଭୁବନଙ୍କ ଅକାଳ ମୃତ୍ୟୁରେ ରଘୁବେଡା ଗ୍ରାମରେ ଵୋକାକୁଳ ପରିବେଶ ସୃଷ୍ଟି ହେବାସହ ଶହ ଶହ ଲୋକ କୋହଭରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।