କାଲିଠାରୁ ଆରମ୍ଭ ହେବ ଟ୍ରେନ ସେବା : ପ୍ରଥମ ଦିନରେ ଟ୍ରେନରେ ୧.୪୫ଲକ୍ଷ ଯାତ୍ରୀ ଯାତ୍ରା କରିବେ, କାଲିଠାରୁ ୨୦୦ଟି ଟ୍ରେନ ଚଳାଚଳ ଆରମ୍ଭ
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ଟ୍ରେନ ସେବା | ଏ ନେଇ ମେ ୧୯ରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ ଜରିଆରେ ସୂଚନା ଦେଇଥିବା ବେଳେ କାଲିଠାରୁ ୨୦୦ଟି ଟ୍ରେନ ଚଳାଚଳ କରିବା ଆରମ୍ଭ କରିବ | ତେବେ ପ୍ରଥମ ଦିନରେ ଟ୍ରେନରେ ୧.୪୫ଲକ୍ଷ ଯାତ୍ରୀ ଯାତ୍ରା କରିବେ ବୋଲି ରବିବାର ସ୍ପଷ୍ଟ କରିଛି ଭାରତୀୟ ରେଳ |
ଜୁନ୍ ୧ରୁ ଜୁନ୍ ୩୦ପର୍ଯ୍ୟନ୍ତ ପ୍ରାୟ ୨୬ଲକ୍ଷ ଯାତ୍ରୀ ଆଡଭାନ୍ସ ରିଜର୍ଭେସନ୍ ପିରିୟଡ୍ (ଆର୍ପି) ପାଇଁ ବୁକ୍ କରିଥିବା ନେଇ ରବିବାର ଭାରତୀୟ ରେଳ ପକ୍ଷରୁ କୁହାଯାଇଛି | ଯାତ୍ରୀମାନଙ୍କୁ ଷ୍ଟେସନରେ ଅତି କମରେ ଟ୍ରେନ ସମୟର ୯୦ମିନିଟ ପୂର୍ବରୁ ପହଞ୍ଚିବାକୁ ପଡିବ ଏବଂ କେବଳ ଟିକେଟ୍ ନିଶ୍ଚିତ ହୋଇଥିବା ଯାତ୍ରୀଙ୍କୁ ରେଳ ଷ୍ଟେସନ ଭିତରକୁ ଯିବାକୁ ଅନୁମତି ମିଳିବ ସହ ଟ୍ରେନରେ ଚଢ଼ିବାକୁ ଅନୁମତି ମିଳିବ | ଗୃହ ମନ୍ତ୍ରାଳୟର ଗାଇଡଲାଇନ ଅନୁଯାୟୀ, ସମସ୍ତ ଯାତ୍ରୀଙ୍କର ବାଧ୍ୟତାମୂଳକ ସ୍କ୍ରିନିଂ କରାଯିବ ଏବଂ କେବଳ କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କୁ ଟ୍ରେନରେ ପ୍ରବେଶ କିମ୍ବା ଚଢ଼ିବାକୁ ଅନୁମତି ଦିଆଯିବ ବୋଲି ଭାରତୀୟ ରେଳବାଇ ସ୍ପଷ୍ଟ କରିଛି |
ସୂଚନା ମୁତାବକ, ପୂର୍ବରୁ କେବଳ ଅଣ-ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚାଲିବ ଓ ଏହାର ଟିକେଟ୍ ଅନଲାଇନରେ ହିଁ ମିଳିପାରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ ଜରିଆରେ ସ୍ପଷ୍ଟ କରିଥିଲେ । ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୦ ନନ-ଏସି ଟାଇମଟେବୁଲ ଟ୍ରେନ ଚଳାଚଳ କରିବ ଓ ଏଥିରେ ସାଧାରଣ ଯାତ୍ରୀ ଯାତାୟାତ କରିପାରିବେ । ଅନଲାଇନ ଜରିଆରେ ନନ ଏସି ଦ୍ୱିତୀୟ ଶ୍ରେଣୀ ଟିକେଟ ମିଳିବ । ସବୁ ବର୍ଗର ଲୋକେ ଏହି ଟିକେଟ କିଣିବା ସୁବିଧା ପାଇପାରିବେ । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ପୂର୍ବ ଭଳି ଚାଲିବ ବୋଲି ସେ ସୂଚନା ଦେଇଥିଲେ ।