ଶୁଭନାରାୟଣ ଶତପଥୀ : ସମୟକୁ ଆୟତ କିମ୍ବା ତା ଉପରେ ଆଧିପତ୍ୟ ବିସ୍ତାର କରିବାକୁ ସମସ୍ତେ ଚାହାଁନ୍ତି । ସମୟକୁ ଯିଏ ନିଜ ହାତମୁଠାରେ ରଖିପାରିବ ସେ ହିଁ ଦୁନିଆର ସବୁଠାରୁ ଶକ୍ତିଶାଳୀ ରୂପେ ଗଣ୍ୟ ହେବ । ବିଜ୍ଞାନର ଯଥେଷ୍ଟ ଅଗ୍ରଗତି ସତ୍ୱେ ଆଜି ପର୍ଯ୍ୟନ୍ତ ମନୁଷ୍ୟ ସେମିତି ଏକ ସ୍ଥିତିରେ ପହଁଚି ନାହିଁ ଯେ ସେ ସମୟକୁ ନିୟନ୍ତ୍ରଣ କରିପାରିବ । ତେବେ ଜନ୍ମରୁ ମଣିଷ ଜାଣିଛି ଯେ କେବଳ ପ୍ରକୃତିର ହିଁ ଆଧିପତ୍ୟ ଓ ନିୟନ୍ତ୍ରଣ, ସମୟ ଓ ମନୁଷ୍ୟ ଉପରେ ରହିଛି । ଏହା ଧ୍ରୁବ ସତ୍ୟ । ପ୍ରତ୍ୟେକ୍ଷରେ ହେଉ ବା ପରୋକ୍ଷରେ, କ୍ଷଣସ୍ଥାୟୀ ଜୀବନରେ ମଣିଷ ବିତଶାଳୀ ବା କ୍ଷମତାଶାଳୀ ହେବା ମଧ୍ୟ ପ୍ରକୃତିର ଅବଦାନ । ତଥାପି ମଣିଷ ବେଳେ ବେଳେ ନିଜକୁ ପ୍ରକୃତିଠାରୁ ଉର୍ଦ୍ଧରେ ବୋଲି ଭାବିବସେ । ଯେବେ ସେ ଏହାକୁ କର୍ଯ୍ୟରେ ପରିଣତ କରେ ସେତେବେଳେ ପ୍ରକୃତି ତାର ପରାକାଷ୍ଠା ଦେଖାଏ ଓ ସେ ଦେଇଥିବା ସମୟକୁ ମଣିଷ ହାତରୁ ଛଡାଇ ନିଏ ।
ପ୍ରକୃତି ବିନା ଜୀବଜଗତର ସ୍ଥିତି ଅସମ୍ଭବ ।
ପ୍ରକୃତିଦତ ପଦାର୍ଥ, ବସ୍ତୁ, ଜୀବନ, ଜୈବବିବିଧତା, ଶକ୍ତି, ଭୂବୈଜ୍ଞାନିକ ପ୍ରକ୍ରିୟା, ଜଳବାୟୁ ଆଦି ଆମ ପ୍ରାକୃତିକ ପରିବେଶର ଅଂଶବିଶେଷ । ପ୍ରାକୃତିକ ପରିବେଶ ହିଁ ମଣିଷ ଜୀବନର ଆଧାରଶୀଳା । ଏହି ଆଧାର ବିନା ମଣିଷ ବଂଚିବା ଅସମ୍ଭବ । ସକାଳର ସୂର୍ଯ୍ୟୋଦୟଠାରୁ ଚନ୍ଦ୍ରର ସୁଶୀତଳ କିରଣ, ଶୁଦ୍ଧବାୟୁର ନିଶ୍ୱାସପ୍ରଶ୍ୱାସଠାରୁ ବିଶୁଦ୍ଧ ଜଳପାନ ଭିତରେ ନିତିଦିନର ଜୀବ ଓ ଜୀବନ ନିୟନ୍ତ୍ରିତ । ପ୍ରକୃତି କୋଳରେ ଜନ୍ମଲାଭ କରି ଶେଷରେ ମଣିଷ ଚିରନିଦ୍ରାରେ ଶୋଇଯାଏ ସେହି ପ୍ରକୃତି କୋଳରେ । ପ୍ରକୃତି ହେଉଛି ସର୍ବଶକ୍ତିମାନ ମାଆ ଯିଏ ଅମକୁ ଓ ଆମ ଜନ୍ମଦାତ୍ରୀଙ୍କୁ କୋଳରେ ବସାଇ ଶିଶୁଟି ବେଳରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଜୀବନ ଓ ବିକାଶ ପାଇଁ ଯୋଗାଇଦିଏ ବାୟୁ, ଜଳ, ଖାଦ୍ୟ ସହ ସ୍ୱାଛନ୍ଦ୍ୟମୟ ପରିବେଶ । ଏମିତି ଅନେକ ପ୍ରକୃତିଦତ ପଦାର୍ଥକୁ ନେଇ ମଣିଷର ଜୀବନଚକ୍ର ଚାଲେ । ଏଇଥି ପାଇଁ ବୋଧହୁଏ ପୂର୍ବରୁ ପ୍ରକୃତିପୂଜନ, ପ୍ରାକୃତିକ ସଂରକ୍ଷଣ, ସୁରକ୍ଷା ଦାୟିତ୍ୱର ପ୍ରଥା ଓ ପରମ୍ପରା ଚାଲି ଆସିଛି । ତେବେ ମଣିଷ ଏକ ଏମିତି ଜୀବ ତାର ଆଶାର ପାହାଚର ଶେଷ ନାହିଁ । ଫଳରେ ଅସୀମିତ ଆଶାକୁ ନେଇ ମଣିଷ ଯେତେବେଳେ ସ୍ୱାର୍ଥାନ୍ଧ ହୁଏ ଓ ନିଜର ଆଶା, ଆକାଂକ୍ଷାର ପୂରଣ ପାଇଁ ସେତେବେଳେ ସେ ପ୍ରକୃତିର ବିନାଶ କରିବାକୁ ବି ପଛାଏ ନାହିଁ । ଜୈବବିବିଧତାକୁ ନଷ୍ଟ କରେ, ଜଳବାୟୁକୁ ପ୍ରଦୂଷିତ କରି କୃତ୍ରିମତାର ପରିବେଶରେ କ୍ଷଣିକ ଜୀବନ ଜିଏଁ ଓ ସୁଖ ସାଉଁଟେ । ଯାହାର ପାଶ୍ୱର୍ ପ୍ରତିକ୍ରିୟା ସ୍ୱରୂପ ବଡବଡ ପ୍ରକୃତିକ ବିପର୍ଯ୍ୟୟର ଶିକାର ହୁଏ ।
କାରଣ ମଣିଷ ଭୁଲିଯାଇଥାଏ ଯେ ସେ ବି ଏହି ପ୍ରକୃତିର ଏକ ଅଂଶ । ବିଜ୍ଞାନ, ବିକାଶ, ବ୍ୟବସ୍ଥା କେବେ ପ୍ରକୃତି ବିରୁଦ୍ଧ ନୁହେଁ ବରଂ ଏସବୁର କର୍ଯ୍ୟକାରିତା ବେଳେ ସମନ୍ୱୟ ଓ ଯୋଜନାର ସଠିକ ରୂପାୟନ ଜରୁରୀ । ନଚେତ ପ୍ରକୃତିର ହନନ ପରବର୍ତି ସମୟରେ ମହଙ୍ଗା ସାବ୍ୟସ୍ତ ହୁଏ । ଏହାର ନଜିର ଅତୀତ ଘଟଣାବଳୀରୁ ମିଳିସାରିଛି ।
ପ୍ରକୃତି ହେଉଛି ସୁନ୍ଦର, ସୁଶୀଳ, ପ୍ରାକୃତିକ ସଂପଦର ସମ୍ଭାର । ସେ ଶୋଭାମୟ, ଦିପ୍ତୀମୟ ଓ ରହସ୍ୟମୟ ବି । ପ୍ରକୃତିର ଭୈାଗଳିକ, ବୈଜ୍ଞାନିକ, ସାମାଜିକ ପରିବେଶର ଅବସ୍ଥିତି, ସୃଷ୍ଟି, ଆଧାର, ସହାୟତାରୁ ମଣିଷର ଜୀବନଧାରା ପ୍ରବାହିତ । କିନ୍ତୁ ସମୟାନ୍ତରରେ ମଣିଷ ରହସ୍ୟ ଉନ୍ମୋଚନ ହେଉ ବା ପରମାଧିପତ୍ୟ ଜାହିର କରିବାକୁ ପ୍ରକୃତିର ଛାତି ଚିରି ଅନୁସନ୍ଧାନରେ ମଗ୍ନ । ଅନ୍ୟପକ୍ଷରେ ପ୍ରକୃତିରୂପୀ ମାଆର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ଏହି ମାନବଜାତି । ତଥାପି ଏକବିଂଶ ଶତାବ୍ଦୀରେ ମଣିଷ ଅନୂଭବ କରୁଛି ଯେ ପ୍ରକୃତି ଓ ପ୍ରାକୃତିକ ପରିବେଶ ଧିରେ ଧିରେ ନଷ୍ଟ ହେବାରେ ଲାଗିଛି । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି, ଜଳରେ ରାସାୟନିକ ଦ୍ରବ୍ୟର ମିଶ୍ରଣ, ମାଟିର ଉର୍ବତା ହ୍ରାସ, ଓଜନ କ୍ଷୟ ହେଉଛି ମଣିଷର ପ୍ରକୃତି ବିରୋଧି କାରନାମାର ଫଳ ।
ବିଶାଳତା ଓ ସହନଶୀଳତାକୁ ନେଇ ପ୍ରକୃତିକୁ ମାଆର ସ୍ଥାନ ଦେଇଛି ମଣିଷ । କିନ୍ତୁ ସେହି ସହନଶୀଳତାର ସୀମାଲଂଘନ କଲେ ପ୍ରକୃତି ହୁଏ କ୍ରୁର ଓ ସର୍ବଗ୍ରାସୀ । ବୈଜ୍ଞାନିକ ସିଦ୍ଧାନ୍ତ ଆଧାରରେ କୈ÷ାଣସି କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ମିଳିବ ଏଥିରେ ଦ୍ୱିମତ ନାହିଁ । ମଣିଷର ବିପରୀତ ପ୍ରତିକ୍ରିୟା ସତ୍ୱେ ପ୍ରକୃତିର ସମୟ ଯେ ସବୁବେଳେ ସହେଯାଗୀ, ସହାୟତାପୂର୍ଣ୍ଣ ଓ ଗଠନମୂଳକ ଢଙ୍ଗରେ କେମିତି ଅତିବାହିତ ହେବ ? ଏହି ସଦ୍ଧାନ୍ତ ଆଧାରରେ ପ୍ରକୃତି ତାର ବିପକ୍ଷବାଦୀଙ୍କଠାରୁ ଯାହା ପାଏ ତାହା ସାଗରପରି ଫେରାଇ ଦିଏ । ସେ କୃତ୍ରିମ ପରିବେଶରୁ ସୃଷ୍ଟ ବିଷରଜ୍ୱାଳାକୁ ଫେରାଇ କେବେ ଦାଉ ସାଧେ ତ ଆଉ କେବେ ନୂଆ ଜୀବାଣୁ, ଭୂତାଣୁ ମାଧ୍ୟମରେ ଜନଜୀବନକୁ ବିପଦରେ ପକାଏ ।
ପରିବେଶବିତ, ଭୂବିଜ୍ଞାନୀ, ସମାଜିକ କର୍ମୀମାନେ ପରିବେଶର ଅବକ୍ଷୟକୁ ନେଇ ଯେତିକି ଚିନ୍ତାରେ ମଣିଷ ସ୍ୱାର୍ଥସାଧନର ସନ୍ଧାନରେ ସେତିକି ଆଗରେ । ବିପରୀତ ପ୍ରତିକ୍ରିୟାର ସିଦ୍ଧାନ୍ତକୁ ଭୁଲିଯିବା ବା ଅଣଦେଖା କରିବାର ଅର୍ଥ ନୁହେଁ ଯେ ପ୍ରକୃତିର ପ୍ରତିକ୍ରିୟା ସଂଗଠିତ ହେବନାହିଁ । ସମୟର ଚକ୍ରର ଗତିରେ ସମସ୍ତେ ଘୂର୍ଣ୍ଣାୟମାନ । ଆଜି ମଣିଷର ସମୟ ତ କାଲି ପ୍ରକୃତିର । ସୁରକ୍ଷା ପ୍ରତିଦାନରେ ସୁରକ୍ଷା, ଧ୍ୱଂସର ପ୍ରତିଦାନରେ ବିଧ୍ୱଂସାତ୍ମକ ପରିଣାମ ଭୋଗିବାକୁ ପଡିବ ହିଁ ପଡିବ । ଏହାକୁ ଉପଲବ୍ଧି କରି ମଣିଷ କରୋନାର ଭୂତାଣୁ ସଂକ୍ରମଣ ଜନିତ ବିଭିଷିକାମୟ ପରିବେଶରେ କରୁଛି ନିଜ କଲା କର୍ମର ପ୍ରାୟଶ୍ଚିତ । କରୋନା ହେଉ ଅବା ଅମ୍ଫାନ ଏମିତିକା ଭୂତାଣୁ ଓ ବାତ୍ୟା ବାରମ୍ବାର ଆସିବେ । ଏହାର କାରଣ ମଣିଷର ସେହି ବିଧ୍ୱଂସାତ୍ମକ ଚିନ୍ତାଧାରା । ଏମିତି ପରିସ୍ଥିତି ହୋଇଛିଯେ ମଣିଷ ନିଜର ଜୀବନ ରକ୍ଷା ପାଇଁ ଘରେ ରହୁଛି ଏବଂ ପ୍ରକୃତି ତାର କୋଳ ସଜାଡୁଛି । ବାୟୁ ଶୁଦ୍ଧ ହେଉଛି, ଜଳ ନିର୍ମଳ ହେଉଛି, ଜୀବଜନ୍ତୁ ନିର୍ଭୟରେ ବିଚରଣ କରୁଛନ୍ତି, ମାଟିର ଉର୍ବରତା ବଢୁଛି । ସତରେ କଣ ମଣିଷ ସ୍ୱପ୍ନରେ ଭାବିଥିବଯେ ଏମିତି ଦିନ ଆସିବ ସେ ନିରୂପାୟ ହୋଇ ଘରେ ବସିରହିବ ଓ ପ୍ରକୃତି ପୁଣି ନିଜର ଶ୍ରେଷ୍ଠତ୍ୱ ଜାହିର କରିବ । ହଁ ଏହା ମଣିଷ ଜାଣେ , ଯୁଗେ ଯୁଗେ ପ୍ରାମଣିତ, ଇତିହାସ ସାକ୍ଷୀ, ପୁରାଣ ବର୍ଣ୍ଣିତ ।
ତଥାପି କାହିଁକି ମଣିଷର ଏ େଓ÷ଦ୍ଧତ୍ୟ । ସମୟକୁ ନିଜ କରାୟତ କରିବା ଅସମ୍ଭବ । ପ୍ରକୃତିରଦାନକୁ ବଡଦାନ ଭାବି ନିଜକୁ ଧନ୍ୟ ମଣିବା ବଦଳରେ ପ୍ରକୃତିକୁ ଖିନଭିନ କରିବାର ପ୍ରୟାସ ମନରୁ ପୋଛିଦେବା ଦରକାର । ପ୍ରକୃତି ହାତରେ ସମୟର ଚାବିକାଠୀ । ପ୍ରକୃତି ଦେଇଛି ଦିନରାତି, ନିଶ୍ୱାସପ୍ରଶ୍ୱାସ, ମାଧ୍ୟାକର୍ଷଣ ଓ ମହାକର୍ଷଣ ଶକ୍ତି ଯାହାକୁ ନେଇ ସମୟର ଗତି । ଏ ଗତି ପ୍ରକୃତିର ନିୟତି । ପ୍ରକୃତିର ନିୟତି ସହ ମନୁଷ୍ୟର ଭାବିଷ୍ୟତ ଯୋଡା ।
ବିଳାସବ୍ୟସନରେ ଜୀବନ ଅତିବାହିତ କରିବା ପ୍ରବୃତିରେ ମଣିଷ ପୋହଳା ଏଣ୍ଡୁଅ ଭଳି ଅଭିନୟ କରୁଛି । ଏମିତି ସମୟ ନଆସୁ ରଙ୍ଗବଦଳାଉ ବଦଳାଉ ମଣିଷ ନିଜେ ରଙ୍ଗହୀନ ହୋଇସାରିଥିବ । ବେଳହୁଁ ପ୍ରକୃତିର ସୁରକ୍ଷା ପ୍ରତି ସମ୍ବେଦନଶୀଳ ହୋଇ ପ୍ରାକୃତିକ ସଂରକ୍ଷଣକୁ ଗୁରୁତ୍ୱ ଦେଇ ପ୍ରକୃତି ନିକଟରେ ନିଜକୁ ସମର୍ପଣ କଲେ କାଳେ ପ୍ରକୃତି ସମୟକୁ ମଣିଷ ହାତରେ ଟେକିଦେବ । ସେ ସମୟକୁ ଅପେକ୍ଷା କରିବାକୁ ହେଲେ ବ୍ୟକ୍ତିଗତ ଜୀବନରୁ ଗୋଷ୍ଠୀଗତ ଓ ବିଶ୍ୱସ୍ତରରେ ପ୍ରକୃତି ସହ ସଂପର୍କ ଯୋଡିବାକୁ ପଡିବ । ଜୀବନର ପ୍ରତିଟି ସମୟକୁ ଉଚିତ ଓ ଉତମ ଉଦେ୍ଦଶ୍ୟରେ ବିନିଯୋଗ କରିବା ନିହାତି ଆବଶ୍ୟକ । ନଚେତ ଦିନ ଆସିବ ପ୍ରକୃତି ଏମିତି ଏକ ଦଃୁସମୟ ସୃଷ୍ଟି କରିବ ଯେ ମଣିଷ କଳ୍ପନାରେ ସୁଦ୍ଧା ଭାବି ନଥିବ