Odisha news

ଜାନୁଆରୀରୁ ଟୀକାକରଣ ସମ୍ଭାବନା

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଦେଶରେ କରୋନା ସଂକ୍ରମଣ ଥମିନାହିଁ, କିନ୍ତୁ କରୋନାର ପ୍ରକୋପ କ୍ରମଶଃ କମି କମି ଆସୁଛି । ତେବେ ବର୍ତ୍ତମାନ ପ୍ରତିଦିନ ୨୦ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀରୁ ଦେଶରେ କରୋନା ଟୀକାକରଣର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ କହିଛନ୍ତି । ସେ କହିଛନ୍ତି, ବିଶ୍ୱର ଅନ୍ୟ ବିକଶିତ ରାଷ୍ଟ୍ରଗୁଡିକ ତୁଳନାରେ ଭାରତରେ କରୋନାର ସୁସ୍ଥହାର ସବୁଠୁ ଅଧିକ ରହିଛି । ସୁସ୍ଥହାର ରହିଛି ୯୫ରୁ୯୬ ପ୍ରତିଶତ ମଧ୍ୟରେ ।

ଆମେରିକା ରୁଷ ଓ ବ୍ରାଜିଲ ଭଳି ବିକଶିତ ଦେଶରେ ଏହା ୬୦ରୁ ୮୦ ପ୍ରତିଶତ ମଧ୍ୟରେ ରହିଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗଦେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କରୋନା ଟୀକା ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବା ପାଇଁ ପଡିବ ନାହିଁ । ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସବୁଜ ସଙ୍କେତ ମିଳିବା ପରେ ଭାରତରେ କୋଭିଡ ଟୀକାକରଣ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।

ଅପରପକ୍ଷେରେ, ଆମେରିକୀୟ ମେଡିସିନ୍ କମ୍ପାନୀ ଫାଇଜର ଓ ଜର୍ମାନ କମ୍ପାନୀ ବାୟୋଟେକ୍ର ମିଳିତ ଉଦ୍ୟମରେ ବିକଶିତ କରୋନା ଟୀକାର ବ୍ୟବହାର ପାଇଁ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ୍ ଅନୁମତି ପ୍ରଦାନ କରିଛି । ଏକ ଉଲ୍ଲେଖନୀୟ ଘଟଣା କ୍ରମରେ ବ୍ରିଟେନ୍ରେ ମଙ୍ଗଳବାର ଠାରୁ ଫାଇଜର କରୋନା ଟୀକା କରଣ ଆରମ୍ଭ ହୋଇଛି । ଦେଶର ଜଣେ ୯୦ବର୍ଷିୟା ବୃଦ୍ଧା ମାର୍ଗାରେଟ୍ କୀନନ୍ ବିଶ୍ୱର ପ୍ରଥମ ଫାଇଜର ଟୀକା ନେଇ ରେର୍କଡ ସୃଷ୍ଟି କରିଛନ୍ତି । ବି୍ରଟେନ୍ ପରେ ବାହାରିନ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଟୀକାକରଣ ପାଇଁ ଅନୁମତି ଦେଇଛି ।ଏହା ସହ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ଏହି ଟୀକାକୁ ଅନୁମତି ମିଳିସାରିଛି ।

ସେହିପରି ଋଷିଆର ରାଜଧାନୀ ମସ୍କୋରେ କୋଭିଡ-୧୯ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡିଛି । ସେହିପରି ଆମ ଦେଶର ଲୋକଙ୍କ ଲାଗି ମଧ୍ୟ ବଡ ଖୁସି ଖବର ଆସିଛି । ନୂଆଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଉ କିଛି ସପ୍ତାହ ପରେ ଭାରତରେ କରୋନା ଟୀକା ଉପଲବ୍ଧ ହେବ । ଏଥିସହିତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟୀକା କରଣ ବ୍ୟବସ୍ଥାର ଅନୁଧ୍ୟାନ ଲାଗି କୋ-ୱିନ ଆପ୍ ବ୍ୟବସ୍ଥା କରାଯାଇଛି ।

କରୋନାକୁ ନେଇ ଯେଉଁ ମହାମାରୀର ରୂପ ଦେଖାଦେଇଛି ଆଜି ତାହା ନୂଆ ନୁହେଁ । ବିଶ୍ୱ ଇତିହାସରେ ଅନେକ ସମୟରେ ଅନେକ ଦେଶ ଏମିତି ମହାମାରୀର ସାମ୍ନା କରିଛନ୍ତି ଓ ହଜାର ହଜାର ଲୋକବି ମୃତୁ୍ୟ ବରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣା ପଡିଛି ଯେ, ବହୁ ଚର୍ଚ୍ଚିତ ଟୀକା ଗୁଡିକ ମଧ୍ୟରେ ଫାଇଜର, ମଡର୍ଣ୍ଣା, ଜାଇଡସ୍ କାଡିଲା,ଆଷ୍ଟ୍ରଜେନେକା ଅକ୍ସଫୋର୍ଡ, ଗାମାଲେୟା ସ୍ପୁଟନକ୍ ଓ ଭାରତ ବାୟୋଟେକ୍ର କୋଭାକ୍ସିନ୍ ରହିଛି । ଏଥିମଧ୍ୟରୁ ଅକ୍ସଫୋର୍ଡ, ଗାମାଲେୟା-ସ୍ପୁଟନକ୍, ମଡର୍ଣ୍ଣା ଓ ଫାଇଜର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ହେଲେ ଫାଇଜର ଟୀକାର ଟୀକାକରଣ ଆରମ୍ଭ ହୋଇଛି ।

ମାତ୍ର ଏହି ଟୀକାର ମୂଲ୍ୟ ୩୭ଡଲାର ବା ୨୭୨୮ ଟଙ୍କା ରହିଥିବା ବେଳେ ଏହା ସବୁଠୁ ମହଙ୍ଗା ରହିଛି ।ଅନ୍ୟ ପକ୍ଷରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟୀକା, କୋଭିଶିଲ୍ଡର ମୂଲ୍ୟ ୩ଡଲାର ବା ୨୨୨ ଟଙ୍କା ରହିଛି । ଏପରିକି ରୁଷିଆ ଟୀକା ସ୍ଫୁଟନିକ-ଭିର ଦାମ୍ ୧୦ ଡଲାର ବା ୭୩୭ ଟଙ୍କା ରହିଥିବା ବେଳେ ଭାରତ ବାୟୋଟକ ଓ ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ଟୀକାର ମୂଲ୍ୟ ୩ ରୁ ୬ଡଲାର ରହିବ ବୋଲି ଆଶା କରାଯାଉଛି । ଆମ ଦେଶରେ ୬ଟି ଟୀକା କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜରେ ରହିଛି । ସେରମର କୋଭାସିଲ୍ଡ, ଭାରତ ବାୟୋଟେକ୍ର କୋଭାକ୍ସିନ୍ ବ୍ୟତୀତ ରୁଷ୍ର ସ୍ଫୁଟନିକ୍-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚଳିତ ବର୍ଷ ଆରମ୍ଭ ହେବ । ସେହିଭଳି ଜେଡ୍,ୱାଇ, ସିଓଭି-ଡି, ଏନ୍ଭିଏକ୍ସ-ସିଓଭି-୨୩୭୩, ଏଚ୍ଜିସିଓ-୧୯ ଟୀକା ମଧ୍ୟ ବିକଶିତ ହେଉଛି । ଏହା ମଧ୍ୟରୁ କିଛି ଟୀକା ଆସନ୍ତା କିଛି ସପ୍ତାହ ମଧ୍ୟରେ ଅନୁମୋଦନ ପାଇବାର ସମ୍ଭାବନା ରହିଛି । ଚୂଡାନ୍ତ ନିଷ୍ପତ୍ତି ଡିସିଜିଆଇ ନେବ ।

ଏହିପରି କରୋନା ଟୀକାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବୟାନ ଲୋକଙ୍କ ମନରେ ଆଶ୍ୱସ୍ତି ଆଣିଦେଇଛି । ମୋଦି କହିଛନ୍ତି ଯେ, ଟୀକା କରଣ ପାଇଁ ରାଜ୍ୟ ଓ କୋନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତି କରିବା ସହ ଏହା ଉପରେ କାମ କରୁଛନ୍ତି । ଟୀକାର ଦରଦାମ୍ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଥିବା ସେ କହିଛନ୍ତି । ତେବେ ପ୍ରଥମେ ଟୀକା କାହାକୁ ଦିଆଯିବ ସେ କଥା ମଧ୍ୟ ପ୍ରାଥମିକ ସ୍ତରରେ ସ୍ଥିର କରାଯାଇଛି ।

କରୋନା ଟୀକା ଭାରତରେ ପହଞ୍ଚିବା ପରେ ପ୍ରଥମ ଦଫାରେ ଦେଶର ପ୍ରାୟ ୧ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହା ପ୍ରଦାନ କରାଯିବ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ଟୀକା ପ୍ରାଥମିକତା ଭିତ୍ତିରେ ଦିଆଯିବ । ଏଥିସହିତ ବହୁବିଧ ରୋଗରେ ଆକ୍ରାନ୍ତ, ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରାଯିବାର ଯୋଜନା ରହିଛି । ଏହାପରେ ପୋଲିସ, ଅର୍ଦ୍ଧସାମରିକ ବାହିନୀ, ମୁ୍ୟନିସିପାଲିଟି କର୍ମୀଙ୍କ ଭଳି ୨ କୋଟି ଆଗଧାଡିର କର୍ମଚାରୀଙ୍କ ଟୀକା କରଣ କରାଯିବ ବୋଲି ଜଣା ପଡିଛି । ଇତିମଧ୍ୟରେ କେନ୍ଦ୍ର ସରକାର ଗାଇଡ ଲାଇନ୍ ଜାରି କରିଛନ୍ତି ଲୋକମାନେ ୧୨ପ୍ରକାରର ପରିଚୟ ପତ୍ର ଯଥା- ଡିଏଲ୍, ଆଧାର କାର୍ଡ, ଭୋଟର ପରିଚୟ ପତ୍ର ପାସପୋର୍ଟ ଆଦି ଦେଇ ନାମ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ କେନ୍ଦ୍ରରେ କେବଳ ପଞ୍ଜିକରଣ କରିଥିବା ଲୋକଙ୍କୁ ଟୀକା ଦିଆଯିବ ।

ଆମ ରାଜ୍ୟ ସରକାର ମଧ୍ୟ କୋଭିଡ୍ ଟୀକା କରଣ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି । ଏଥିପାଇଁ ୮୩୦୦ ଟୀକା ପ୍ରଦାନ କାରୀ ଓ ୩୦,୦୦୦ ବିତରଣ କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି । ପ୍ରଥମେ ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟପଟେ ଟୀକା ପ୍ରଦାନ ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କ ସମତେ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ପ୍ର୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏଥି ସହିତ ଟୀକା କରଣ ବ୍ୟବସ୍ଥା ଯେପରି ସୁବିଧା ହୋଇ ପାରିବ ସେଥିପାଇଁ ବିଭିନ୍ନ କମିଟି ଗଠନ କରିଛନ୍ତ ରାଜ୍ୟ ସରକାର । ତେବେ ପ୍ରଥମ ପର୍ଯ୍ୟାୟରେ ଦେଶରେ ଟୀକାକରଣ ପାଇଁ ଖର୍ଚ୍ଚ ହେବ ୧.୮ ବିଲିୟନ୍ ଡଲାର ।ଏସବୁ ସତ୍ତ୍ୱେ କେନ୍ଦ୍ର ସରକାର ଦେଶରେ ଟୀକାକରଣ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

କରୋନାର ଖରାପ ସମୟ ବୋଧ ହୁଏ ଟଳିବାରେ ଲାଗିଛି । କିନ୍ତୁ ଆମକୁ ସତର୍କତା ଅବଲମ୍ବନ କରୋନା ମହାମାରୀରେ ଆତଙ୍କିତ ଅବସ୍ଥାରେ ଥିବା ସାରା ବିଶ୍ୱରେ ଏବେ ଖୁସିର ଖବର । କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ନଜର ଟୀକା ଉପରେ ରହିଛି । ୟୁକେ ଓ ଆମରିକାରେ ଲୋକଙ୍କୁ ଫାଇଜର ଟୀକା ପ୍ରଦାନ ପାଇଁ ଅନୁମତି ମିଳିବା ପରେ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଲୋକଙ୍କୁ ଟୀକା ପ୍ରଦାନ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି । ବହୁ ସଂଖ୍ୟାରେ ଔଷଧ କମ୍ପାନୀ ନିଜ ନିଜର ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୧୬୪ କମ୍ପାନୀଙ୍କ ଟୀକା ପ୍ରାଥମିକ ପର୍ଯ୍ୟାୟରେ ଥିବା ବେଳେ ୪୮ ଟୀକା ବିଭିନ୍ନ ପର୍ଯ୍ୟାୟ ମାନବ ପରୀକ୍ଷଣରେ ରହିଛି ।

ଭାରତ ମଧ୍ୟ କରୋନା ଟୀକା ଦୈାଡରେ ପଛରେ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ, ଅଦ୍ୟାବଧି ଏହି କରୋନା ରୋଗରେ ବିଭିନ୍ନ ପ୍ରଭାବିତ ରାଷ୍ଟ୍ର ମାନଙ୍କରେ ମୃତୁ୍ୟ ସଂଖ୍ୟା ସମୁଦାୟ ୧୫ ଲକ୍ଷରୁ ଉଦ୍ଧ୍ୱର୍ରେ ପହଞ୍ଚିଛି ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟିରୁ ଉଦ୍ଧ୍ୱର୍ରେ ରହିଛି । ଏହାର ମୁକାବିଲା ଲାଗି ଟୀକା ଗବେଷଣା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆମେ କରୋନା ସମାପ୍ତିର ସ୍ୱପ୍ନ ଦେଖି ପାରିବା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । କରୋନା ବିରୋଧରେ ବିଭିନ୍ନ ଟୀକାର ସଫଳ ପରୀକ୍ଷଣକୁ ଦୃଷ୍ଟିରେ ରଖି ‘ହୁ’ ର ମହାନଦେ୍ର୍ଦଶକ ଡା. ଟଡୋ୍ରସ୍ ଏହା କହିଛନ୍ତି ।

Leave A Reply