ତିହିଡି, ୦୨/୦୯ ( ଯଦୁମଣି ପାଣିଗ୍ରାହୀ ): ବିଜେପି ପକ୍ଷରୁ ବୟାଙ୍ଗ ଅଞ୍ଚଳର ବନ୍ୟା ବିପନ୍ନଙ୍କୁ ଭେଟିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ । ସପ୍ତାହେ ହେଲା ଜଳବନ୍ଦୀ ହୋଇ ରହିଛନ୍ତି ତିହିଡି ବ୍ଲକର ବାରସର ଓ ଗୋବିନ୍ଦପୁର ପଞ୍ଚାୟତବାସୀ । ପ୍ରଶାସନ ପକ୍ଷରୁ ନାଁ ମିଳୁଛି ଶୁଖିଲା ଖାଦ୍ୟ ଓ ନା ପାନୀୟ ଜଳ । ସରକାରୀ ଭୁଟୁଭୁଟିରେ ବନ୍ୟାଞ୍ଚଳ ପରିଦର୍ଶନ କରି ପ୍ରଶାସନିକ ଅଧିକାରୀ ଦାୟିତ୍ୱ ସାରିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ଅଧିକ ଜଟିଳ ଆଡକୁ ଗତି କରୁଛି ।
ରୁଆଧାନରେ ୪ରୁ ୫ ଫୁଟର ବନ୍ୟା ଜଳ ଲହଡି ମାରୁଥିବା ବେଳେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି । ବିଦୁ୍ୟତ ସରବରାହ ବନ୍ଦ ହୋଇଥିବାରୁ ପାନୀୟ ଜଳ ଯୋଗାଣ ଠପ୍ ହୋଇଥିବା ଏବଂ ନଳକୂପ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଲୋକେ ପିଇବା ପାଣି ପାଇଁ ପାଖ ଗାଁକୁ ଯିବାକୁ ପଡୁଛି । କାମଧନ୍ଦା ବନ୍ଦ ଥିବାବେଳେ ଗରିବ ଲୋକେ ଦୁଇ ଓଳି ଦୁଇ ମୁଠା ଖାଦ୍ୟରୁ ବଞ୍ଚôତ ହୋଇଛନ୍ତି । ବହୁ ·ଳ ଛପର ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଜଣାଯାଇଛି ।
ଅନ୍ୟପଟେ ବିଲବାଡି ବନ୍ୟାଜଳ ଜମାଟ ବାନ୍ଧିଥିବା ଏବଂ କୁଟା ଛଅଣ ପାଣିରେ ବୁଡି ରହିଥିବାରୁ ଗୃହପାଳିତ ପଶୁ ଅନାହାରରେ ରହୁଥିବା ଶ୍ରୀ ସାମଲ ଅବଗତ ହେବା ସହ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇ ନଥିବା ବଡ ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ । ପ୍ରଶାସନ ପକ୍ଷରୁ ତଦନ୍ତ କରି ତୁରନ୍ତ ବିପନ୍ନମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଶ୍ରୀ ସାମଲ ଦାବି କରିଛନ୍ତି । ଶ୍ରୀ ସାମଲଙ୍କ ସହିତ ବିଜେପି ନେତା କମଳାକାନ୍ତ ସୁତାର, ଶଶିକାନ୍ତ ବିଶ୍ୱାଳ, ମାନସ ରଞ୍ଜନ ନାୟକ, ଦୀନବନ୍ଧୁ ମହାକୁଡ ଓ ଭରତ ମାଝୀ ପ୍ରମୁଖ କୃତ୍ତିବାସପୁର, ବାଗସାହିପାଳ, ତଳହଂସପାଟ, ଗୋବିନ୍ଦପୁର, କଉଯୋଡି, ହଂସପାଟ, ମଧୁପୁର, ମୁଟୁରୀଗଡ ଓ ସାପକାତିଆ ଆଦି ଉପାନ୍ତ ଅଞ୍ଚଳର ବିପନ୍ନଙ୍କୁ ଭେଟି ସମବେଦନା ଜ୍ଞାପନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।